୨୪ରେ ଘୂର୍ଣ୍ଣିବଳୟ, ୨୬ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା

Published By : Prameya-News7 Bureau | June 22, 2022 IST

ଭୁବନେଶ୍ୱର ୨୧।୦୬ : ଆସନ୍ତା ୨୪ ତାରିଖରେ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ରାଜ୍ୟରେ ୨୩ରୁ ବର୍ଷା ବଢ଼ିବ। ଉତ୍ତର ଓଡ଼ିଶାରେ ୨୬ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେପଟେ ବୁଧବାର ରାଜ୍ୟର ୧୩ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାର କିଛି ସ୍ଥାନରେ ମଙ୍ଗଳବାର ବର୍ଷା ହୋଇଛି । ସନ୍ଧ୍ୟା ସାଢ଼େ ୮ଟା ସୁଦ୍ଧା ବୌଦ୍ଧରେ ୬୩ ମିଲିମିଟର,ରାୟଗଡାରେ ୩୦.୮, ନବରଙ୍ଗପୁରରେ ୩୦.୨, କଳାହାଣ୍ଡିରେ ୨୯.୫, କନ୍ଧମାଳରେ ୨୫.୬, ଗଞ୍ଜାମରେ ୨୫.୪, ମାଲକାନଗିରିରେ ୨୪.୯, ନୟାଗଡ଼ରେ ୨୩.୧, ଖୋର୍ଦ୍ଧାରେ ୨୦.୧, ସୋନପୁରରେ ୨୯.୨, ଜଗତସିଂହପୁରରେ ୧୩.୪, ଢେଙ୍କାନାଳରେ ୩୨.୮ ଓ ଯାଜପୁରରେ ୨୮.୯ ମିଲିମିଟର ବର୍ଷା ହୋଇଥିବା ଆଇଏମ୍‌ଡି ତଥ୍ୟ ଦେଇଛି ।

ସେହିପରି ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ଆସନ୍ତା ୨୩ରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ୨୪ରେ ଉତ୍ତର ଓଡ଼ିଶା ଉପର ଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଥିବାରୁ ଏହା ପ୍ରଭାବରେ ବର୍ଷା ଅଧିକ ହେବ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ଆର ବିଶ୍ୱାସ କହିଛନ୍ତି, ସ୍ଥାନେ ସ୍ଥାନେ ବର୍ଷା ଜାରି ରହିଛି । ମୌସୁମୀର ବଙ୍ଗୋପସାଗର ଶାଖା ସକ୍ରିୟ ହେଉଛି । ୨୪ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ରହିଛି । ୨୨ରୁ ୨୫ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.