ଓଡିଶାରେ ସକ୍ରିୟ ମୌସୁମୀ ବାୟୁ, ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷା

Published By : Prameya-News7 Bureau | June 21, 2022 IST

ଭୁବନେଶ୍ୱର ୨୧।୦୬: ଦୀର୍ଘ ଦିନ ଧରି ଲୁଚକାଳି ଖେଳିବା ପରେ ମୌସୁମୀ ପୂରା ଓଡ଼ିଶା ଛୁଇଁଛି । ଆଗରୁ ୬ ଜିଲ୍ଲା ସ୍ପର୍ଶ କରି ସୁପ୍ତ ହୋଇ ରହିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସୋମବାର ବାକି ୨୪ ଜିଲ୍ଲାରେ ପ୍ରବେଶ କରିଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହା ଘୋଷଣା କରିଛି । ଆସନ୍ତା ୫ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ମଙ୍ଗଳବାର ଉତ୍ତର ଉପକୂଳ ଓଡିଶା ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବାକି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

୨୨ରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସୋନପୁର, ସମ୍ବଲପୁର, ବରଗଡ଼, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ଦେବଗଡ଼, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୩, ୨୪ ଓ ୨୫ ରେ ବି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆସନ୍ତା ୫ ଦିନ ଲଗାଣ ବର୍ଷାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ସତର୍କତା ଜାରି କରିଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ଏଥିପାଇଁ ସତର୍କ କରାଯାଇଛି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ପ୍ରଶାସନିକ କଳ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମୌସୁମୀ ସମ୍ପୂର୍ଣ୍ଣ ରାଜ୍ୟକୁ ଛୁଇଁବା ସହ ଭଲ ବର୍ଷା କରାଇଛି । ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣ ଓ ପ୍ରବଳ ବର୍ଷା ହୋଇଛି । ସବୁଠୁ ଅଧିକ ବର୍ଷା ହୋଇଛି ବୌଦ୍ଧ ଓ ପାରାଦୀପରେ । ବୌଦ୍ଧରେ ସର୍ବାଧିକ ୧୦୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ୭୫.୭, ସୋନପୁରରେ ୬୫, ପାରଳାଖେମୁଣ୍ଡିରେ ୩୮.୮ ମିଲିମିଟର, ନବରଙ୍ଗପୁରରେ ୨୯, ଢେଙ୍କାନାଳରେ ୨୮, ଭବାନୀପାଟଣାରେ ୨୪.୬, ବାରିପଦାରେ ୧୯.୮, ଖୋର୍ଦ୍ଧାରେ ୧୮, ଛତ୍ରପୁରରେ ୧୧.୬, ଦାରିଙ୍ଗିବାଡ଼ିରେ ୧୩ ଓ ଭୁବନେଶ୍ୱରରେ ୧୦.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.