ଫେବ୍ରୁୟାରୀରେ ୪୦ ଟପିବ ତାପମାତ୍ରା, ୧୮ ପରେ ବଢିବ ତାତି

Published By : Prameya-News7 Bureau | February 13, 2023 IST

ଭୁବନେଶ୍ୱର ୧୩।୦୨: ଫେବ୍ରୁଆରୀ ମାସରେ ହିଁ ତାତି ୪୦ ଡିଗ୍ରୀ ଛୁଇଁଯିବ । ଆଗକୁ ଆହୁରି ବଢିବ ତାତି । ୧୮ ତାରିଖ ପରଠାରୁ ରାଜ୍ୟରେ ତାପମାତ୍ରା ଆହୁରି ବଢ଼ିଯିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଡ. ପଶୁପାଳକଙ୍କ ଆକଳନ କରିଛନ୍ତି, ୧୮ରୁ ବଢ଼ିବ ତାତି । କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୬ ଡିଗ୍ରୀ ଅଧିକ ରହିବ । ୨୨ ତାରିଖ ବେଳକୁ ଭୁବନେଶ୍ୱର ସମେତ ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା ୪୦ଡିଗ୍ରୀ ପାଖାପାଖି ପହଞ୍ଚି ଯାଇଥିବ । ଫେବ୍ରୁଆରୀ ଶେଷ ସପ୍ତାହରେ ତାପମାତ୍ରା ୪୦ଡିଗ୍ରୀ ଛୁଇଁବ ବୋଲି ସେ କହିଛନ୍ତି ।

ଶନିବାର ଭୁବନେଶ୍ୱରର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ତାପମାତ୍ରା ୩୭.୪ ଡିଗ୍ରୀ ରହିଥିଲା । ୨୦୧୬ ମସିହା ଫେବ୍ରୁଆରୀ ୨୧ରେ ରାଜଧାନୀ ତାପମାତ୍ରା ୪୦.୯ ଡିଗ୍ରୀ ରେକର୍ଡ ହୋଇଥିଲା । ୨୦୨୧ ଫେବ୍ରୁଆରୀ ୨୭ରେ ସର୍ବୋଚ୍ଚ ତାପମାତ୍ରା ୪୦.୬ ଡିଗ୍ରୀ ଥିଲା । ମାଲକାନଗିରିରେ ଦିନ ତାପମାତ୍ରା ସବୁଠୁ ଅଧିକ ବା ୩୭ ଡିଗ୍ରୀ ରହିଛି । ଭୁବନେଶ୍ୱରରେ ୩୬.୬ ଡିଗ୍ରୀ, ଅନୁଗୁଳରେ ୩୬.୭, ଝାରସୁଗୁଡାରେ ୩୬.୬, ତାଳଚେର, ବୌଦ୍ଧ ଓ ଛତ୍ରପୁରରେ ୩୬, ଭଦ୍ରକ ଓ ସୁନ୍ଦରଗଡ଼ରେ ଦିନ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି ।

ରବିବାର ଭୁବନେଶ୍ୱର ତାପମାତ୍ରା ସ୍ୱାଭାବିକଠାରୁ ୫ଡିଗ୍ରୀ ଅଧିକ ରହିଛି । ଅନୁଗୁଳରେ ସ୍ୱାଭାବିକଠାରୁ ୫ଡିଗ୍ରୀ ଅଧିକ, ବାଲେଶ୍ୱର ଓ ବାରିପଦାରେ ୫ଡିଗ୍ରୀ, ସୁନ୍ଦରଗଡରେ ୪, କେନ୍ଦୁଝରରେ ୩ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୨୨ ସୁଦ୍ଧା ରାଜଧାନୀ ସମେତ ଆଭ୍ୟନ୍ତର ଓଡ଼ିଶାରେ ତାତି ଆହୁରି ବଢ଼ିଯିବ । ସୋମବାରଠାରୁ ଉତ୍ତର ଭାରତରେ ତାପମାତ୍ରା ବଢ଼ିବ । ଉତ୍ତର ପଶ୍ଚିମ ଭାରତରୁ ରାଜ୍ୟକୁ ଗରମ ପବନ ପ୍ରବାହିତ ହେବ । ଏହାର ପ୍ରଭାବରେ ମାସର ଚତୁର୍ଥ ସପ୍ତାହ ବେଳକୁ ତତଲା ପବନ ବହିବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଏଥର ଫେବ୍ରୁଆରୀରୁ ଅସହ୍ୟ ଗରମ ହେବ । ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ରାଜ୍ୟରେ ପ୍ରଚଣ୍ଡ ଗରମ ହେବ ବୋଲି ସେ ଆକଳନ ଲଗାଇଛନ୍ତି ।

ନଭେମ୍ବରଠାରୁ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି । ଆକାଶ ନିର୍ମଳ ସହ ମାଟି ଶୁଖିଲା ଅଛି । ପବନର ଗତି କମ୍‌ ରହିଛି । ସହରୀକରଣ, କଂକ୍ରିଟ୍‌ ଜଙ୍ଗଲ, ଗାଡି ଚଳାଚଳ ସଂଖ୍ୟା ବୃଦ୍ଧି, ଜଳାଶୟର ଅଭାବ ଯୋଗୁ ରାଜଧାନୀ ତାପମାତ୍ରା ବଢୁଛି । ବାୟୁ ପ୍ରବାହ ଜନିତ ଉତ୍ତାପ ନିର୍ଗତ ବାଧାପ୍ରାପ୍ତ ହେଉଛି । ଏଥିପାଇଁ ରାଜଧାନୀରେ ତାତି ଅଧିକ ରହୁଛି ବୋଲି ସେ କହିଛନ୍ତି । ସୋମବାର ସକାଳୁ ଆଗାମୀ ତିନି ଦିନ ଯାଏ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଆଗାମୀ ଦୁଇ ଦିନରେ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ ଡିଗ୍ରୀ କମିବ । ପରେ ପୁଣି ଏହା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.