ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା: ଆସୁଛି ଘୁର୍ଣ୍ଣିବଳୟ, ପ୍ରଭାବରେ ୧୫ ଯାଏଁ ବର୍ଷା ସମ୍ଭାବନା

Published By : Prameya-News7 Bureau | October 07, 2022 IST

ଭୁବନେଶ୍ୱର, ୭/୧୦ : ତୁହାକୁ ତୁହା ବର୍ଷା । ନିର୍ଧୁମ ବର୍ଷାରେ ଭାସିଲା ଟ୍ୱିନସିଟି କଟକ ଓ ଭୁବନେଶ୍ୱର । ଗୁରୁବାର ଏମିତି ଲଗାଣ ବର୍ଷା ହେଲା ଯେ ବର୍ଷାରେ ବତୁରିଗଲା ଭସାଣ ଉତ୍ସବ । ଉପକୂଳ ଓଡ଼ିଶା ନାକେଦମ ହୋଇଥିଲା ବର୍ଷାରେ । ପାଣିପାଗ ପୂର୍ବାନୁମାନ କହୁଛି, ଆଗକୁ ପୁଣି ଏକ ଘୂର୍ଣ୍ଣିବଳୟ ଆସୁଛି ବଙ୍ଗୋପସାଗରରେ । ଖାଲି ସେତିକି ନୁହେଁ, ଏ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ପ୍ରକ୍ରିୟା ବିଳମ୍ବିତ ହେବ । ଆସନ୍ତା ୨୫ ତାରିଖ ପୂର୍ବରୁ ମୌସୁମୀ ଓଡ଼ିଶା ଛାଡ଼ିବା ସମ୍ଭାବନା କ୍ଷୀଣ । ଅର୍ଥାତ୍‌ ବର୍ଷା ଅବଧି ଏ ବର୍ଷ ଟିକିଏ ଲମ୍ବା ରହିବ । ମଝିରେ ମଝିରେ ବର୍ଷା ଲାଗି ରହିବ ।

ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମଡି) ସୂଚନା ମୁତାବକ, ଆସନ୍ତା ୧୩ରୁ ୧୬ ତାରିଖ ଭିତରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ, ସେ ନେଇ ଏବେଠାରୁ ସ୍ପଷ୍ଟ ଆକଳନ କରାଯାଇନି । ତଥାପି ରାଜ୍ୟରେ ବର୍ତ୍ତମାନ ପ୍ରତିଦିନ କିଛି କିଛି ଜାଗାରେ ବର୍ଷା ହେବ ।

ଶୁକ୍ରବାର ଉପକୂଳ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ । ୮ରେ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ଜାଗାରେ ବର୍ଷା ସମ୍ଭାବନା ଅଛି । ୯ରେ ଅନେକ ଜାଗାରେ ବର୍ଷା ସମ୍ଭାବନା ଥିବାବେଳେ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା ଓ କୋରାପୁଟର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । କୃଷି ପାଣିପାଗ ବିଶାରଦ ଡକ୍ଟର ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।
ଏହା ତାମିଲନାଡ଼ୁ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ର ଉପକୂଳକୁ କ୍ରମଶଃ ମୁହାଁଇବ । ୮ରେ ଏହା ଲଘୁଚାପ ରୂପ ନେଇପାରେ ।

୧୧ ତାରିଖ ପର୍ଯ୍ୟନ୍ତ ସେଇ ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ରହିବ । ଏହା ପରେ ଆଉ ଏକ ଘୂର୍ଣ୍ଣିବଳୟ ପୁଣି ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଉଣା ଅଧିକ ବର୍ଷା ଲାଗି ରହିବ । ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ । କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ସବୁଠାରୁ ଅଧିକ ବର୍ଷା ସମ୍ଭାବନା ଅଛି । ଏହି ୩ଟି ଜିଲ୍ଲାରେ ସାଧାରଣ ଭାବେ ସ୍ୱଳ୍ପ ଏବଂ ୭, ୯, ୧୧ ଓ ୧୪ରେ ସ୍ଥାନେ ସ୍ଥାନେ ମଧ୍ୟମ ବର୍ଷା (୩୫ ମିମି ପର୍ଯ୍ୟନ୍ତ) ହୋଇପାରେ ।

ବାକି ଜାଗାରେ ହାଲୁକା ଓ ସ୍ଥାନେ ସ୍ଥାନେ ସ୍ୱଳ୍ପରୁ ମଧ୍ୟମ (୧୦ରୁ ୨୦ ମିମି) ବର୍ଷା ହୋଇପାରେ । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ମୌସୁମୀ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ନାହିଁ । ଅନ୍ୟପକ୍ଷରେ ଉତ୍ତର-ପୂର୍ବ ମୌସୁମୀ ଆଗମନ ବିଳମ୍ବିତ ହେବ । ଉତ୍ତରା ପବନ ନ ଆସିବାରୁ ୨୫ ତାରିଖ ତାପମାତ୍ରା ଖସିବା ସମ୍ଭାବନା ନାହିଁ ।

ଚଳିତବର୍ଷ ରାଜ୍ୟରେ ଧାନ ଫସଲ ଏଯାବତ୍‌ ଭଲ ଅଛି । ବର୍ଷା ଯୋଗୁ ଅଣଧାନ ରବି ଫସଲ ଲଗାଇବାରେ ଅସୁବିଧା ହେଉଛି । ଆଭ୍ୟନ୍ତରୀଣ ଜିଲ୍ଲାରେ ୧୧ ତାରିଖ ପରେ ଫସଲ ଲଗାଇବା ଠିକ୍‌ ହେବ । ଉତ୍ତର ଭାରତରେ ଲଗାତାର ବର୍ଷା ଯୋଗୁ ଏ ବର୍ଷ ଧାନ ଚାଷ କମିଯାଇଛି । ତେଣୁ ରାଜ୍ୟର ଚାଷୀମାନେ ଅତ୍ୟାବଶ୍ୟକୀୟ ସାର ପ୍ରୟୋଗ କରି ଭଲ ଅମଳ କଲେ ଚାହିଦା ଅଧିକ ରହିପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।

ଗୁରୁବାର ଦିନ ଭିତରେ କଟକରେ ୬୨.୨ ମିଲିମିଟର ବର୍ଷା ହୋଇଥିବାବେଳେ ଭୁବନେଶ୍ୱରରେ ପ୍ରାୟ ୫୦ ମିମି, ଭଦ୍ରକରେ ୩୨, ଢେଙ୍କାନାଳରେ ୨୭, ନୟାଗଡ଼ରେ ୨୭, ଛତ୍ରପୁରରେ ୨୨, ପୁରୀରେ ୧୬ ମିମି ବର୍ଷା ଢାଳିଛି । ନବମୀରେ ସକାଳୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବାବେଳେ ବିଜୟା ଦଶମୀ ରାତିରେ କଟକ ଓ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ବର୍ଷା ଢାଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.