ରୁଷିଛି ମୌସୁମୀ : ବନ୍ୟା ପରଠୁ ବର୍ଷା ଗାଏବ, ଖରାରେ ଅସ୍ତବ୍ୟସ୍ତ ସାରା ଓଡିଶା

Published By : Prameya-News7 Bureau | September 02, 2022 IST

ନୂଆଦିଲ୍ଲୀ ୦୨।୦୯:  ରୁଷିଛି ମୌସୁମୀ । ବନ୍ୟା ପରଠୁ ବର୍ଷା ଗାଏବ । ବନ୍ୟାଞ୍ଚଳରେ ପାଣି ଶୁଖିଗଲାଣି । ନଈରେ ପୁଣି ବାଲି ଦିଶିଲାଣି । ଚାଇଁଚାଇଁ ଖରାକୁ ଭୀଷଣ ଗୁଳୁଗୁଳି । ନୟାନ୍ତ ଉପକୂଳରୁ ଆଭ୍ୟନ୍ତରୀଣ । ଲଗାଣ ବର୍ଷାରୁ ବର୍ତ୍ତିଯାଇଥିବା ଫସଲ ଏବେ ଡହଡହ ଶୁଖିଲା ପାଗରେ ମରିବାକୁ ବସିଲାଣି । ନୂଆ ତଳି ଗଜରୁନି । ବନ୍ୟା କ୍ଷତରୁ ବାହାରି ପୁଣି ଥରେ ନୂଆ ତଳି ଖୋଜୁଥିବା ଚାଷୀକୁ ତଳି ମିଳୁନି।

ଯେଉଁଠି ତଳି ଅଛି, ତାହା ଶୁଖିଗଲାଣି । ଏମିତିରେ ଆଶା ଦେଖାଇଛି ପାଣିପାଗ ପୂର୍ବାନୁମାନ, ଆସନ୍ତା ୪ ତାରିଖ ପରେ ପାଗ ବଦଳିପାରେ । ଲଘୁଚାପ ଦାନା ବାନ୍ଧି କିଛି ବର୍ଷା ଆଣିବ । ପ୍ରଥମ ଲଘୁଚାପ ୬/୭ ତାରିଖବେଳକୁ ଆସିପାରେ, ପୁଣି ଆଉ ଗୋଟିଏ ଆସିପାରେ ୧୩ ତାରିଖ ପାଖାପାଖି । ଦ୍ୱିତୀୟ ଲଘୁଚାପ ଭଲ ବର୍ଷା ଆଣିବ । ସେପ୍ଟେମ୍ବର ମାସରେ ବର୍ଷା ଠିକଠାକ ରହିବ ।

ପାଣିପାଗ ବିଭାଗ କହିଛି, ଚଳିତ ସେପ୍ଟେମ୍ବରରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଦେଶରେ ସ୍ୱାଭାବିକଠାରୁ ଅଧିକ ରହିପାରେ । ଓଡ଼ିଶାରେ ସ୍ୱାଭାବିକ ବର୍ଷା ସମ୍ଭାବନା ଅଛି ଏଇ ମାସରେ । ସମ୍ଭାବ୍ୟ ଚିତ୍ରରେ ଯାହା ଦର୍ଶାଯାଇଛି, ସେଥିରୁ ଅନୁମାନ କରାଯାଉଛି, ରାଜ୍ୟରେ ବର୍ଷା ଭଲ ରହିବ । ତଥାପି ଝାଡ଼ଖଣ୍ଡ ପାଶ୍ୱର୍ବର୍ତ୍ତୀ ଓଡ଼ିଶାର କିଛି ଉତ୍ତର ପଶ୍ଚିମ ଅଞ୍ଚଳରେ ବର୍ଷା କମ୍‌ ରହିପାରେ । ସେହିସବୁ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ଅଧିକ ରହିପାରେ । ଆଇଏମଡି ଆହୁରି ଅନୁମାନ କରିଛି, ଆସନ୍ତା ୭ ତାରିଖବେଳକୁ ଲଘୁଚାପ ହୋଇପାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ । ଏବେ ବଡ଼ ବର୍ଷା ନାହିଁ । ଯାହା ହେବ, ଘଡ଼ଘଡ଼ି ସହ ବର୍ଷା ଠାଏଠାଏ ହୋଇପାରେ । ୨ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୩ରେ ଦକ୍ଷିଣ ଆଭ୍ୟନ୍ତରୀଣ ସମେତ କେତେକ ଜାଗାରେ ଅସରାଏ ଲେଖାଏଁ ବର୍ଷା ହୋଇପାରେ । ୪ ଓ ୫ରେ କାଁ ଭାଁ ବର୍ଷା ସମ୍ଭାବନା ଅଛି । ତା’ପରେ ଲଘୁଚାପ ଯୋଗୁ ପାଗ ବଦଳିପାରେ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି, ଆସନ୍ତା ୬ ତାରିଖବେଳକୁ ବିଶାଖାପାଟଣା ନିକଟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ହୋଇପାରେ । ଏହା ପ୍ରଭାବରେ ୪ରୁ ରାଜ୍ୟରେ ପାଗ ବଦଳିବ । ୪ରୁ ୭ ତାରିଖ ଭିତରେ କିଛି ବର୍ଷା ହେବ । ଉପକୂଳରେ ହାଲୁକାରୁ ସ୍ୱଳ୍ପ (ମୋଟ ହାରାହାରି ୪୦ ମିଲିମିଟର) ଓ ଦକ୍ଷିଣ ଓଡ଼ିଶାରେ ସାମାନ୍ୟ ଅଧିକ (୪୦ରୁ ୬୦ ମିମି), ପଶ୍ଚିମରେ ସର୍ବାଧିକ ହାରାହାରି ୮୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ପୁଣି ୯ ତାରିଖରୁ ଖରା ବଢ଼ିବ । ତେବେ ୧୩ ତାରିଖବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ହୋଇପାରେ । ଏହା ପ୍ରଭାବରେ ଭାରି ବର୍ଷା ସମ୍ଭାବନା ଅଛି ରାଜ୍ୟରେ ।

ବନ୍ୟା ପରେ ମୌସୁମୀ ଦୁର୍ବଳ । ମୌସୁମୀ ଟ୍ରଫ ଯାଇ ଉତ୍ତର ଭାରତ ଉପରେ ରହିଛି । ରାଜ୍ୟରେ ବର୍ଷା ନାହିଁ । ଚାଇଁଚାଇଁ ଖରା । ସକାଳୁ ସନ୍ଧ୍ୟା ସାଢ଼େ ୫ ଯାଏଁ ନିସ୍ତାର ମିଳୁନି । ଭୀଷଣ ଗୁଳୁଗୁଳି । ରାତିରେ ବି ତ୍ରାହି ନାହିଁ । ଅଧା ଓଡ଼ିଶା ଗରମରେ ଏମିତି ସନ୍ତୁଳି ହେଉଛି । ୧୪ ସହରରେ ପାରଦ ୩୫ ଡିଗ୍ରୀ ସେଲସିୟସ୍‌ ଉପରେ । ଗୁରୁବାର ସନ୍ଧ୍ୟା ୫ଟା ୪୫ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ପ୍ରଖର କୋପ ଏମିତି ଥିଲା ଯେ ପଶ୍ଚିମ ଦିଗକୁ ଚାହିଁ ଗାଡ଼ିମୋଟର ଚଳାଇବା କଷ୍ଟକର ହୋଇପଡ଼ିଥିଲା ।

ଗୁରୁବାର ରାଜ୍ୟର ୧୪ଟି ସହରରେ ଅସହ୍ୟ ତାତି ଅନୁଭୂତ ହେଉଥିଲା । ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଅଧିକ ରହିଥିଲା ଅନେକ ସ୍ଥାନରେ । ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିଲା ଚାନ୍ଦବାଲିରେ, ପାରଦ ୩୬.୭ ଡିଗ୍ରୀ ଛୁଇଁଥିଲା । କଟକ ୩୫.୮, ଅନୁଗୁଳ ୩୫.୭, ତାଳଚେର ୩୫.୬, ସମ୍ବଲପୁର ୩୫.୫, ମାଲକାନଗିରି ୩୫.୫, ଭୁବନେଶ୍ୱର ୩୫.୧, ବାଲେଶ୍ୱର ୩୫.୩, ପୁରୀ ୩୫, ସୁନ୍ଦରଗଡ଼ ୩୫, ଭବାନୀପାଟଣା ୩୫, ନୟାଗଡ଼ ୩୫, ବୌଦ୍ଧ ୩୫, ଭଦ୍ରକ ୩୫, ବରଗଡ଼ ୩୫.୨ ଡିଗ୍ରୀରେ ସିଝିଥିଲା । କଟକରେ ସ୍ୱାଭାବିକଠାରୁ ୪ ଡିଗ୍ରୀ ଓ ଭୁବନେଶ୍ୱରରେ ପାରଦ ୩ ଡିଗ୍ରୀ ଅଧିକ ରହିଥିଲା ।

ଖାଲି ସେତିକି ନୁହେଁ, ରାଜ୍ୟବ୍ୟାପୀ ଖରା ବଢ଼ିବା ସହ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିଯାଇଛି । ଭୁବନେଶ୍ୱରରେ ଦିନର ସର୍ବାଧିକ ଆର୍ଦ୍ରତା ୭୯% ରହୁଥିବାବେଳେ କଟକରେ ୬୯%, ଭବାନୀପାଟଣୋରେ ୯୫%, ବଲାଙ୍ଗିରରେ ୮୬%, ମାଲକାନଗିରିରେ ୯୩%, ଭଦ୍ରକରେ ୮୫%, ଚାନ୍ଦବାଲିରେ ୭୦% ରହିଛି । ପ୍ରାୟତଃ ଆର୍ଦ୍ରତା ୭୦% ଉପରେ ଅଛି । ଆର୍ଦ୍ରତା ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି ।

ତାପମାତ୍ରା ଯେତିକି ରହୁଛି, ତା’ଠାରୁ ୪-୫ ଡିଗ୍ରୀ ଅଧିକ ଅନୁଭୂତ ହେଉଛି । ତେଣୁ ଭୁବନେଶ୍ୱର ଓ କଟକରେ ଆଜି ୪୦ ଡିଗ୍ରୀ ଭଳି ଗରମ ଅନୁଭୂତ ହୋଇଥିଲା । ବଡ଼ କଥା ହେଲା, ୮/୧୦ ଦିନ ତଳେ ବନ୍ୟାରେ ଅଧା ଓଡ଼ିଶା ବୁଡ଼ିଥିବାବେଳେ ଏବେ ବର୍ଷା ଅଭାବରୁ ସିଝୁଛନ୍ତି । ଏମିତିକି ୮ ଦିନ ଯେଉଁ ମହାନଦୀ, କାଠଯୋଡ଼ି, କୁଆଖାଇ ଫୁଲି ଉଛୁଳୁଥିଲା, ସେଥିରେ ଅନେକ ଜାଗାରେ ପାଣି ଶୁଖିଗଲାଣି । ଏମିତିକି ଅନେକ ନଦୀ ଶୁଖି ପୁଣି ବାଲି ଦିଶିଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.