୧୭ରେ ଓଡିଶା ଛୁଇଁବ ମୌସୁମୀ, ଆଭ୍ୟନ୍ତର ଓ ଉପକୂଳରେ ପ୍ରବଳ ବର୍ଷିବ : ଧାନ ତଳି ପକାଇବାକୁ ଚାଷୀଙ୍କୁ ପରାମର୍ଶ

Published By : Prameya-News7 Bureau | June 13, 2022 IST

ଭୁବନେଶ୍ୱର, ୧୩|୦୬:   ଜୁନ୍‌ ଶେଷ ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ମୌସୁମୀ ଡେରିରେ ପହଞ୍ଚିଲେ ବି ଅଧିକ ବର୍ଷା କରାଇବ । ଆସନ୍ତା ୧୭ରେ ମୌସୁମୀ ଓଡ଼ିଶା ଛୁଇଁବ । ୧୭ରୁ ୨୧ ଭିତରେ ଉପକୂଳ ଓ ଆଭ୍ୟନ୍ତରରେ ଅଧିକ ବର୍ଷିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ଆସନ୍ତା ଜୁନ୍‌ ୧୪ ଯାଏ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହେବ । କିନ୍ତୁ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ୧୫ ଓ ୧୬ରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରାୟ ୪୦ ମିଲିମିଟର ବର୍ଷା ହେବ । ଆଭ୍ୟନ୍ତରରେ ୧୫ରୁ ୨୫ ମିଲିମିଟର ବର୍ଷା ହୋଇପାରେ । କେନ୍ଦ୍ରୀୟ ତଥା ଦକ୍ଷିଣ ଉପକୂଳରେ କମ୍‌ ବା ମାତ୍ର ୧୦ ମିଲିମିଟର ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କହୁଛି, ଆସନ୍ତା ୪ ଦିନରେ ମୌସୁମୀ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରେ ପହଞ୍ଚିବ । ସେହିଭଳି ୧୪ରୁ ୧୬ ଭିତରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି କୁହାଯାଇଛି ।

ରାଜ୍ୟରେ ସମ୍ଭାବ୍ୟ ବର୍ଷା ପାଇଁ ୧୩ରୁ ୧୬ ତାରିଖ ଯାଏ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ଆଜି ରାଜ୍ୟର ୧୦ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସୋନପୁରରେ ସର୍ବାଧିକ ୪୩ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଦାରିଙ୍ଗିବାଡ଼ିରେ ସାମାନ୍ୟ ବର୍ଷା ହୋଇଥିବା ସୂଚନା ମିଳିଛି ।ଡ. ପଶୁପାଳକ ଆହୁରି କହିଛନ୍ତି, ଚଳିତ ସପ୍ତାହରେ ଓଡ଼ିଶା ସମେତ ଦେଶର ପୂର୍ବ ଉପକୂଳ ଓ ସଂଲଗ୍ନ ତେଲଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଓ ପୂର୍ବ ଉତ୍ତରପ୍ରଦେଶରେ ମୌସୁମୀ ବର୍ଷା ହେବାର ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଜୁନ୍‌ ୧୭ରେ ମୌସୁମୀ ଛୁଇଁପାରେ । ୧୮ରେ ଭୁବନେଶ୍ୱର ସମେତ ଉପକୂଳରେ ଛୁଇଁବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ୧୭ରୁ ରାଜ୍ୟରେ ବର୍ଷା ବଢ଼ିବ ।

୧୭ରୁ ୨୧ ଭିତରେ ଉପକୂଳ ଜିଲ୍ଲାରେ ୨୦ରୁ ୩୦ ମିଲିମିଟର ବର୍ଷା ହେବ । ଆଭ୍ୟନ୍ତରୀଣ ଅଞ୍ଚଳରେ ୬୦ରୁ ୭୫ମିଲିମିଟର ବର୍ଷା ହୋଇପାରେ । ଜୁନ୍‌ ଶେଷ ସପ୍ତାହରେ ଅଧିକ ବର୍ଷା ହେବ । ଭୁବନେଶ୍ୱର ସମେତ ଉପକୂଳରେ ଜୁନ୍‌ ୧୪ରୁ ଗରମ କମିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫ରୁ କମିବ ।

ଏବର୍ଷ କେରଳକୁ ୪ଦିନ ଆଗରୁ ମୌସୁମୀ ଆସି ପହଞ୍ଚିଥିଲା । କିନ୍ତୁ ତା ପରେ ଏହାର ଗତି ଦୁର୍ବଳ ହେବା ସହ ଧିମେଇ ଯାଇଥିଲା । ୧୨ ଦିନ ଯାଏ ମୌସୁମୀ ନ ଆଗେଇ ଦକ୍ଷିଣ ପଶ୍ଚିମ ଉପକୂଳରେ ସୀମିତ ରହିଥିଲା । ଗତ ତିନିଦିନ ହେବ ଏହା ପୁଣି ସକ୍ରିୟ ହେବା ସହ ପଶ୍ଚିମ ଉପକୂଳ ଆଡକୁ ଅଗ୍ରସର ହେଉଛି । ଏବେ ଲାଲ୍‌ ନିନାର ପ୍ରଭାବ ଜାରି ରହିଛି । ଶେଷ ଯାଏ ମୌସୁମୀର ଗତି ଦୁର୍ବଳ ରହିବ । ଇଣ୍ଡିଆନ ଓସେନ୍‌ ଡାଇପୋଲ ଇଣ୍ଡେକ୍ସ ଏବେ ନିଉଟ୍ରାଲ୍‌ ଅଛି । ଆଗକୁ ଏହା ନେଗେଟିଭ୍‌ ଅବସ୍ଥାରେ ରହିବ । ସେହିଭଳି ମେଡନ୍‌ ଜୁଲିଏନ୍‌ ଓସିଲେସନ୍‌ (ଏମଜିଓ) ପ୍ରଥମ ପର୍ଯ୍ୟାୟରେ ଅଛି । ଆସନ୍ତା ସପ୍ତାହରେ ଏହା ଉତ୍ତର ଭାରତ ମହାସାଗର ପାଖରେ ପହଞ୍ଚିବ । ଏହା ଆରବ ସାଗରୀୟ ମୌସୁମୀ ଶାଖାକୁ ଅଧିକ ସକ୍ରିୟ କରିବ । ତେବେ ବଙ୍ଗୋପସାଗରୀୟ ଶାଖା ମଧ୍ୟ କିଛି ମାତ୍ରାରେ ସକ୍ରିୟ ହେବ ବୋଲି ଡ. ପଶୁପାଳକ କହିଛନ୍ତି ।

ଚାଷୀଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ଏବେ ଧାନ ତଳି ପକାନ୍ତୁ । ଆଗକୁ ବର୍ଷା ଥିବାରୁ ଗଜା ମରୁଡିର ଆଶଙ୍କା ନାହିଁ । ଅକ୍ଟୋବରରେ ଭଲ ବର୍ଷା ହେବ । ମଧ୍ୟମ ଓ ଖାଲ ଜମି ପାଇଁ ଦୀର୍ଘ ଅବଧି ଧାନ କିସମ ଲଗାନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.