୨୬ ଜିଲ୍ଲାରେ ବର୍ଷା ଉଭାନ, ଶୁଖିଲା ପଡିଛି ମାଟି : ଜୁଲାଇ ୪ ପରେ ବଦଳିପାରେ ପାଗ

Published By : Prameya-News7 Bureau | June 28, 2022 IST

ଭୁବନେଶ୍ୱର ୨୮/୦୬: ୨୬ ଜିଲ୍ଲାରେ ବର୍ଷା ଅଭାବ । ମାଟି ଶୁଖିଲା ପଡ଼ିଛି । ରାଜ୍ୟରେ ଚଳିତ ଜୁନ୍‌ରେ ଏବେ ସୁଦ୍ଧା ୩୭% ନିଅଣ୍ଟିଆ ରହିଛି ବର୍ଷା । ଟାଏଁଟାଏଁ ଖରା । ଗରମ ଅସ୍ତବ୍ୟସ୍ତ କରୁଛି । ପାଣିପାଗ ପୂର୍ବାନୁମାନ ଯାହା, ଏବେ ଭଲ ବର୍ଷା ସମ୍ଭାବନା କମ୍‌ । ଚଳିତ ଜୁନରେ ନିଅଣ୍ଟିଆ ବର୍ଷା ଭରଣା ହେବା ଆଶା କ୍ଷୀଣ । ଅନ୍ତତଃ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଆଶ୍ୱସ୍ତି ଦେଲା ଭଳି ବର୍ଷା ସମ୍ଭାବନା କମ୍‌ । ଜୁଲାଇ ୪ରୁ ବର୍ଷା ପ୍ରକୋପ ବଢ଼ିପାରେ ।

ପାଣିପାଗ ପୂର୍ବାନୁମାନ ଥିଲା, ଜୁନ୍‌ ଶେଷବେଳକୁ ଲଘୁଚାପ ଆସିପାରେ । ମାତ୍ର ଏବେ ସେମିତି ସମ୍ଭାବନା କମ୍‌ । ପାଣିପାଗ ବୈଜ୍ଞାନିକ ତଥା ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ରାଜ୍ୟରେ ଏବେ କାଁ ଭାଁ ବର୍ଷା ହେବ । ୩ ତାରିଖ ପର୍ଯ୍ୟନ୍ତ ଭଲ ବର୍ଷା ସମ୍ଭାବନା ନାହିଁ । ବର୍ଷା ଅଭାବ ସ୍ଥିତି ଜାରି ରହିବ । ୩ ତାରିଖବେଳକୁ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୪ କିମ୍ବା ୫ ତାରିଖବେଳକୁ ତାହା ଲଘୁଚାପ ରୂପ ନେବା ସମ୍ଭାବନା ଅଛି । ଏହି ଲଘୁଚାପ ହେଲେ ରାଜ୍ୟରେ ୪ରୁ ବର୍ଷା ବଢ଼ିବ । ୬ ତାରିଖ ପର୍ଯ୍ୟନ୍ତ ବର୍ଷା କରାଇବ । ମାତ୍ର ସେତେ ଲଗାଣ ବର୍ଷା ସମ୍ଭାବନା ନାହିଁ । ମୌସୁମୀ ଏବେ ଦୁର୍ବଳ ରହିଛି । ଲଘୁଚାପ ହେଲେ ମୌସୁମୀ ବର୍ଷା ବଢ଼ିପାରେ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ୱାସଙ୍କ କହିବାନୁଯାୟୀ ଜୁନରେ ବର୍ଷା କମ୍‌ ରହିଛି । ମୌସୁମୀ ଆଗମନ ପରେ ବର୍ଷା ସ୍ୱାଭାବିକ ଥିଲେ ମଧ୍ୟ ପୂର୍ବରୁ ଥିବା ନିଅଣ୍ଟିଆ ସ୍ଥିତି ଭରଣା ହୋଇପାରୁନି । ତଥାପି ୨୯ ତାରିଖରୁ ବର୍ଷା ସାମାନ୍ୟ ବଢ଼ିପାରେ । ହେଲେ ଆସନ୍ତା ୫ ଦିନ ଭିତରେ କୌଣସି ଲଘୁଚାପ ସମ୍ଭାବନା ନାହିଁ ।

ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍‌ଡି) ତଥ୍ୟ ଅନୁସାରେ ଜୁନ୍‌ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି ୧୧୮ ମିଲିମିଟର ବର୍ଷା ହୋଇଛି । ଏହା ସ୍ୱାଭାବିକ ତୁଳନାରେ ୩୭% କମ୍‌ । ବୌଦ୍ଧରେ ବର୍ଷା ପରିମାଣ ଅଧିକ ଥିବାବେଳେ ନୂଆପଡ଼ା, ଅନୁଗୁଳ, ଢେଙ୍କାନାଳରେ ବର୍ଷା ପରିମାଣ ସ୍ୱାଭାବିକ ରହିଛି । ବାକି ସବୁଠି ବର୍ଷା କମ୍‌ । ଚିନ୍ତାର ବିଷୟ ହେଲା, ପୁରୀରେ ସର୍ବାଧିକ ୮୪%, କେନ୍ଦ୍ରାପଡ଼ାରେ ୭୦% ଓ ସୁନ୍ଦରଗଡ଼ରେ ୬୪% ବର୍ଷା ନିଅଣ୍ଟିଆ ରହିଛି । ଏ ତିନି ଜିଲ୍ଲା ସ୍ଥିତି ସାଂଘାତିକ । ଏହାବାଦ୍‌ ଖୋର୍ଦ୍ଧାରେ ୫୭%, ଜଗତସିଂହପୁରରେ ୫୬%, ଭଦ୍ରକରେ ୫୪%, ଗଜପତିରେ ୫୪%, ବଲାଙ୍ଗିରରେ ୫୨%, କୋରାପୁଟରେ ୫୦%, ନବରଙ୍ଗପୁରରେ ୪୮%, ଦେବଗଡ଼ରେ ୪୬%, ଝାରସୁଗୁଡ଼ାରେ ୪୨%, ସମ୍ବଲପୁରରେ ୪୧% ବର୍ଷା ଅଭାବ ରହିଛି ଚଳିତ ମାସରେ । ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ୨୪%ରୁ ୩୮% ପର୍ଯ୍ୟନ୍ତ ବର୍ଷା କମ୍‌ ହୋଇଛି ।

ପୂର୍ବରୁ ଜୁନରେ ଭଲ ବର୍ଷା ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଥିଲା । ମାତ୍ର ଜୁନରେ ସେମିତି ବର୍ଷା ନାହିଁ । ପ୍ରଥମେ କିଛିଦିନ ଭଲ ବର୍ଷା ହୋଇଥିଲା । ତା’ପରେ କାଁ ଭାଁ । ଏଠି ବର୍ଷା ହେଲେ ସେଠି ଶୁଖିଲା । ଦିନ ତାପମାତ୍ରା ଓ ଟାଣ ଖରା ଅସ୍ତବ୍ୟସ୍ତ କରି ପକାଉଛି ।
ସୋମବାର ବଲାଙ୍ଗିର ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଅନେକ ସ୍ଥାନରେ ପାରଦ ୩୫-୩୬ ଡିଗ୍ରୀ ପାଖାପାଖି ରହିଥିଲା । ଦିନ ଭିତରେ ଯାଜପୁରରେ ୬୧ ମିଲିମିଟର ବର୍ଷା ହୋଇଥିବାବେଳେ ଢେଙ୍କାନାଳ, ଦାରିଙ୍ଗିବାଡ଼ି, କଟକ, ଭୁବନେଶ୍ୱରରେ ଅସରାଏ ବର୍ଷା ହୋଇଥିଲା । କିନ୍ତୁ, ତାତିି ପ୍ରକୋପ ବି ଭୀଷଣ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.