ତାତିରୁ ତ୍ରାହି ନାହିଁ, ରଜ ଆଗରୁ ଆସିନପାରେ ମୌସୁମୀ

Published By : Prameya-News7 Bureau | June 03, 2022 IST

ଭୁବନେଶ୍ୱର,୦୩/୦୬: ନିସ୍ତାର ନାହିଁ । ପଶ୍ଚିମରୁ ଉପକୂଳ, ଦକ୍ଷିଣରୁ ଉତ୍ତର, ସାରା ଓଡ଼ିଶା କଲବଲ । ପାରଦ ୪୫ ଡିଗ୍ରୀ ପାଖାପାଖି ପହଞ୍ଚିଯାଇଛି । ଗୁଳୁଗୁଳି ବି ନୟାନ୍ତ କରୁଛି । ଏପଟେ ମୌସୁମୀ ଆଶା ଘୁଞ୍ଚିବାରେ ଲାଗିଛି । ରଜ ଆଗରୁ ମୌସୁମୀ ଓଡ଼ିଶା ଆସିବା ସମ୍ଭାବନା କ୍ଷୀଣ । ଅର୍ଥାତ୍‌ ଏଭଳି ଅସହ୍ୟ ଗ୍ରୀଷ୍ମ ଜ୍ୱାଳା ଜାରି ରହିବ ରାଜ୍ୟରେ ।

ରାଜ୍ୟର ୧୫ଟି ଜାଗାରେ ଗୁରୁବାର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା । ଏଥିରୁ ୯ଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ପାର୍‌ କରିଥିଲା । ସୋନପୁରରେ ପାରଦ ୪୪.୮ ଡିଗ୍ରୀ ଛୁଇଁଥିବାବେଳେ ଟିଟିଲାଗଡ଼ ୪୪.୪, ବଲାଙ୍ଗିର ୪୪.୫, ଝାରସୁଗୁଡ଼ା ୪୩.୪, ସମ୍ବଲପୁର ୪୩.୮, ହୀରାକୁଦ ୪୩.୫, ଭବାନୀପାଟଣା ୪୩.୫, ବରଗଡ଼ ୪୩.୬, ମାଲକାନଗିରି ୪୩.୫ ଡିଗ୍ରୀରେ ଯେମିତି ଜଳିଥିଲା ।

ଉପକୂଳ ଓଡ଼ିଶାରେ ତାତି ୪୦ ଡିଗ୍ରୀ ତଳେ ଥିଲା । ମାତ୍ର ବାୟୁମଣ୍ଡଳରେ ଆର୍ଦ୍ରତା ଭରି ରହିଥିବାରୁ ଗୁଳୁଗୁଳି ପ୍ରକୋପରେ ନା ପଦାରେ ରହି ହେଉଛି ନା ଘରେ ଆଶ୍ୱସ୍ତି ମିଳୁଛି । ଛଟପଟ କରୁଛି ଗୁଳୁଗୁଳି ଯନ୍ତ୍ରଣା । ପବନ ନାହିଁ । ବିଜୁଳିର ଲୁଚକାଳି ଖେଳ ଆହୁରି ନାକେଦମ କରୁଛି।

ଭାରତୀୟ ପାଣିପାଗ ବିଭାଗର ଆକଳନ ହେଲା, ରାଜ୍ୟର ଅଧିକାଂଶ ସ୍ଥାନରେ ୨ରୁ ୮ ତାରିଖ ଭିତରେ ତାପମାତ୍ରା ସ୍ୱାଭାବିକଠାରୁ ୧.୬ ଡିଗ୍ରୀରୁ ୩ ଡିଗ୍ରୀ ଅଧିକ ରହିପାରେ । ବିଶେଷ ବର୍ଷା ସମ୍ଭାବନା ନାହିଁ । ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୫ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ କୌଣସି ଘୂର୍ଣ୍ଣିବଳୟ ବା ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା କମ୍‌ । ଆଇଏମଡି ଜାରି କରିଥିବା ସମ୍ଭାବ୍ୟ ଚିତ୍ର ଅନୁଯାୟୀ ୩ରୁ ୯ ପର୍ଯ୍ୟନ୍ତ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । ୯ରୁ ୧୫ ଭିତରେ ବି ରାଜ୍ୟରେ ଗରମ ଜାରି ରହିବ । ୧୦ରୁ ୧୬ ତାରିଖ ଭିତରେ କିଛି କିଛି ବର୍ଷା ହୋଇପାରେ ।

  କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜୁନ୍‌ ଦ୍ୱିତୀୟ ସପ୍ତାହରେ ୧୦ରୁ ୧୨ ତାରିଖ ଭିତରେ କେନ୍ଦ୍ରୀୟ ଓଡ଼ିଶାରେ (ଉପକୂଳ ଓ ପଶ୍ଚିମ ଓଡ଼ିଶା ମଝିରେ) ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ।ଫଳରେ ସେତେବେଳେ ଏ ଅଂଚଳରେ ତାତି କମିବ । ତେବେ ଓଡ଼ିଶାକୁ ଆସନ୍ତା ୧୦ ଦିନ ଭିତରେ ମୌସୁମୀ ଆସିବା ସମ୍ଭାବନା ନାହିଁ ।

ଆଭ୍ୟନ୍ତରୀଣ ଓଡ଼ିଶାର ବିଶେଷ କରି ବଲାଙ୍ଗିର, କଳାହାଣ୍ଡି, ସୋନପୁର, ଆଦି ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଗରମ ଚାଲୁ ରହିବ । ଜୁନ୍‌ ୪ କିମ୍ବା ୫ରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଟପିପାରେ । ୬ ତାରିଖ ପରେ ତାତି କିଛି ମାତ୍ରାରେ କମିବ । ଭୁବନେଶ୍ୱର ସମେତ ଉପକୂଳରେ ଗରମ କମ୍‌ ରହିବ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଠାରେ ତାପମାତ୍ରା ୩୮ ଡିଗ୍ରୀ ଟପିବ ନାହିଁ । 

କୃଷକମାନଙ୍କୁ ପରାମର୍ଶ ଦେଇ ପ୍ରଫେସର ପଶୁପାଳକ କହିଛନ୍ତି, ଜଳସେଚନ ସୁବିଧା ଥିଲେ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଧାନ ତଳି ପକାନ୍ତୁ । ମକା ମଧ୍ୟ ଲଗାନ୍ତୁ । ନଚେତ ବର୍ତ୍ତମାନ ଖରିଫ ବୁଣାବୁଣି ପାଇଁ ଉପଯୁକ୍ତ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.