୨୦୨୨ରେ ଛଟପଟ କରିବ ଅସମ୍ଭାଳ ତାତି, ଭଲ ବର୍ଷା ବି ହେବ

Published By : Prameya-News7 Bureau | January 01, 2022 IST

ଭୁବନେଶ୍ୱର,୦୧/୦୧: ୨୦୨୨ରେ ରାଜ୍ୟବାସୀଙ୍କୁ ଛଟପଟ କରିବ ଅସମ୍ଭାଳ ତାତି । ଆଗୁଆ ମାଡ଼ି ଆସିବ ଗ୍ରୀଷ୍ମ । ମାର୍ଚ୍ଚରୁ ସିଝେଇବ ଭୀଷଣ ଗ୍ରୀଷ୍ମ ଜ୍ୱାଳା । ପୂର୍ବବର୍ଷ ଭଳି ମେ’ ମାସରେ ନିଆଁ ବର୍ଷିଲା ଝାଞ୍ଜି ପିଟିବ। ଆଶ୍ୱସ୍ତି ଏତିକି ଯେ ପ୍ରଚଣ୍ଡ ଗରମ ହେଲେ ବି ଏ ବର୍ଷ ସଅଳ ଆସିବ ମୌସୁମୀ । ଭଲ ବର୍ଷା ବି ଦେବ। ଓଡ଼ିଶାରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ନୂଆବର୍ଷ ୨୦୨୨ର ସମ୍ଭାବ୍ୟ ପାଣିପାଗକୁ ନେଇ ଏଭଳି ଆକଳନ ଲଗାଇଛନ୍ତି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ।

ତାଙ୍କ ଆକଳନ ଅନୁସାରେ ଜାନୁଆରୀ ଓ ଫେବ୍ରୁଆରୀ ମାସରେ ରାଜ୍ୟର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଫଳରେ ଶୀତ ଅପେକ୍ଷାକୃତ କମ୍‌ ଅନୁଭବ ହେବ । ଶୀତ ଉଭାନ୍‌ ନ ହେଲେ ବି ସେତେଟା ପ୍ରଭାବୀ ହେବନି । ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଭଳି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଶୀତ ପ୍ରକୋପ ଅପେକ୍ଷାକୃତ କମିଯିବ । ରାତି ତାପମାତ୍ରା ବଢ଼ିବା ଯୋଗୁ ଥଣ୍ଡା ଅଧିକ ରହିବନି ।

୨୦୨୧ ଡିସେମ୍ବର ମାସରେ ଲା-ନିନା ପ୍ରଭାବ ରହିଥିଲା । ଆସନ୍ତାବର୍ଷ ଏପ୍ରିଲ ଯାଏ ଏହାର ପ୍ରଭାବ ଜାରି ରହିବ ।ମେ’ ମାସ ସୁଦ୍ଧା ଲା-ନିନାର ପ୍ରଭାବ କମି ସ୍ୱାଭାବିକ ଅବସ୍ଥାକୁ ଫେରିବ ବୋଲି ଅଧିକାଂଶ ମଡେଲ ଆକଳନ କରୁଛନ୍ତି । ଏହା ପ୍ରଭାବରେ ବିଭିନ୍ନ ଦେଶର ତାପମାତ୍ରା ପ୍ରଭାବିତ ହୋଇପାରେ ।
  

କଲମ୍ବିଆ ବିଶ୍ୱବିଦ୍ୟାଳୟର ଆକଳନକୁ ଅନୁଧ୍ୟାନ କରି ପ୍ରଫେସର ପଶୁପାଳକ କହିଛନ୍ତି, ଜାନୁଆରୀ ଓ ଫେବ୍ରୁଆରୀରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ପ୍ରଚଣ୍ଡ ତାତି ରହିବ । ଜୁନ୍‌ ମାସ ବେଳକୁ ତାତି ପ୍ରକୋପ କମିବ । ଜୁନ୍‌ରୁ ଅଗଷ୍ଟ ମାସ ଭିତରେ ଲା-ନିନା ବା ଏଲ୍‌-ନିନୋ ନ ରହି ନ୍ୟୁଟ୍ରାଲ ଅବସ୍ଥା ରହିବ । ଜୁନ୍‌ ତାପମାତ୍ରା ଅଧିକ ନ ରହିବା ଯୋଗୁ ମୌସୁମୀ ଠିକ୍‌ ସମୟରେ ଆସି ପହଞ୍ଚିବ । ଏ ବର୍ଷ ରାଜ୍ୟରେ ଭଲ ବର୍ଷା ହୋଇପାରେ ବୋଲି ମଧ୍ୟ ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ତେବେ ଚଳିତ ସପ୍ତାହରେ ସର୍ବନିମ୍ନ ତାପମାତ୍ରା କମିବ । ୨ ଓ ୩ ତାରିଖରେ କେତେକ ସ୍ଥାନରେ ରାତି ତାପମାତ୍ରା ୧ ଡିଗ୍ରୀ ଖସିବ । ୫ ତାରିଖରୁ ପୂରା ରାଜ୍ୟରେ ପାରଦ ବଢ଼ିବ । ଫଳରେ ପୂରା ରାଜ୍ୟରୁ ଶୀତ ପ୍ରକୋପ କମିବ । ଉପକୂଳ ଜିଲ୍ଲାରେ ୫ରୁ ୭ ତାରିଖ ଯାଏ ସର୍ବନିମ୍ନ ତାପମାତ୍ରା ୨ଡିଗ୍ରୀ ବଢ଼ିବ । ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ପ୍ରାୟ ୪ଡିଗ୍ରୀ ବଢ଼ିବା ସମ୍ଭାବନା ଅଛି । ପରବର୍ତ୍ତୀ ୩ଦିନ ଏହା ଅପରିବର୍ତ୍ତିତ ରହିବ । ଦିନବେଳା ତାପମାତ୍ରା ବଢ଼ିବା ଯୋଗୁ ପାଗ ଆରାମଦାୟକ ରହିବ । ବସନ୍ତ ମାସ ଆରମ୍ଭ ହେବା ଭଳି ଅନୁଭୂତ ହେବ । ୭ ଓ ୮ ତାରିଖରେ ଆଭ୍ୟନ୍ତରୀଣ ଓଡିଶାରେ ପାଗ ଆଂଶିକ ମେଘୁଆ ରହିପାରେ । ଛତିଶଗଡ଼ ସୀମାନ୍ତବର୍ତ୍ତୀ କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ ବୋଲି ମଧ୍ୟ ଡକ୍ଟର ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.