ହୋଲିରୁ ଖସିବ ପାରଦ, ରାଜ୍ୟରେ କମିବ ତାତି

Published By : Prameya-News7 Bureau | March 18, 2022 IST

ଭୁବନେଶ୍ୱର,୧୮/୦୩: ଗରମ ସାମାନ୍ୟ କମିଛି । ଶୁକ୍ରବାରଠାରୁ ଆହୁରି ଖସିବ ପାରଦ । ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା କମିବ । ଏବେ ଆଉ ତାତି ବଢ଼ିବା ସମ୍ଭାବନା ନାହିଁ । ତେଣୁ ହୋଲିରେ ଖରା ତାଉରୁ ହାଲୁକା ଆଶ୍ୱସ୍ତି ମିଳିପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ଗୁରୁବାର ବଲାଙ୍ଗିର ଥିଲା ସବୁଠୁ ଉତ୍ତପ୍ତ । ଏଠାରେ ତାପମାତ୍ରା ୪୦.୬ ଡିଗ୍ରୀ ଥିବାବେଳେ ବୌଦ୍ଧରେ ବି ପାରଦ ୪୦ ଛୁଇଁଥିଲା । ଝାରସୁଗୁଡ଼ା ତାପମାତ୍ରା ୩୯.୨, ସମ୍ବଲପୁର ୩୯.୧, ଭବାନୀପାଟଣା ୩୯.୪, ଟିଟିଲାଗଡ଼ ୩୯.୬, ସୋନପୁର ୩୯.୨, ନୟାଗଡ଼ ୩୯ ଡିଗ୍ରୀ ସେଲସିୟସ୍‌ ଥିଲା । ପଶ୍ଚିମ ତଥା ଉତ୍ତର ପଶ୍ଚିମରୁ ରାଜ୍ୟକୁ ପ୍ରବାହିତ ଶୁଷ୍କ ତତଲା ପବନ ଦୁର୍ବଳ ହେବା ସହ ସାମୁଦ୍ରିକ ପବନ ବଢ଼ୁଥିବାରୁ ତାପମାତ୍ରା କମିବା ଆରମ୍ଭ ହୋଇଛି । ବିଶେଷକରି ଉପକୂଳରେ ତାତି ପ୍ରକୋପ ସାମାନ୍ୟ କମିଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ୩୫-୩୬ ଡିଗ୍ରୀକୁ ଖସି ଆସିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବର୍ତ୍ତମାନ ତାପମାତ୍ରା କମିବ । ଉପକୂଳରେ କମିଥିବାବେଳେ ଶୁକ୍ରବାରଠାରୁ ଆଭ୍ୟନ୍ତରୀଣରେ ମଧ୍ୟ ଖସିବ ପାରଦ । ୨-୩ ଡିଗ୍ରୀ କମିପାରେ । ଏବେ ଆଉ ତାତି ବଢ଼ିବନି । ହୋଲି ଦିନ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ । ବାତ୍ୟାର ସିଧାସଖଳ ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ । ବାତ୍ୟା ଯିବା ପରେ ମାର୍ଚ୍ଚ ଶେଷ ସପ୍ତାହରେ ପୁଣି ତାତି ବଢ଼ିପାରେ ।

ଭିନ୍ନ ଆକଳନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ । ତାଙ୍କ ପୂର୍ବାନୁମାନ ହେଲା, ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ଜାରି ରହିବ । ଧୀରେଧୀରେ ପାରଦ ବଢ଼ି ୨୩ ତାରିଖ ବେଳକୁ ପ୍ରାୟ ୨ ଡିଗ୍ରୀ ବଢ଼ିପାରେ । ରାତି ତାପମାତ୍ରା ୨୩ ତାରିଖ ସୁଦ୍ଧା ପ୍ରାୟ ୩ ଡିଗ୍ରୀ ବଢ଼ିବ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଗୁରୁବାର ସର୍ବାଧିକ ତାପମାତ୍ରା କିଛି କିଛି କମିଛି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ କମ୍‌ ରହିବ ତାପମାତ୍ରା । ୨୩ରୁ ପୁଣି ବଢ଼ିବ ତାତି । ଏବେ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ ।

ସେ କହିଛନ୍ତି, ଲଘୁଚାପଟି ଅବପାତ ରୂପ ନେବା ପରେ ୨୪ରୁ ୩୬ ଘଣ୍ଟା ଦକ୍ଷିଣ ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦୁର୍ବଳ ବାତ୍ୟା ହୋଇପାରେ । ନଚେତ ଅବପାତରେ ହିଁ ରହିଯିବା ସମ୍ଭାବନା ରହିଛି । ମିଆଁମାର ଉପକୂଳରେ ୨୨ ତାରିଖ ସକାଳ ସୁଦ୍ଧା ଛୁଇଁଲାବେଳକୁ ଲଘୁଚାପ ଅବସ୍ଥାକୁ ଆସିଯାଇପାରେ । ଓଡ଼ିଶାରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ।

ରାଜ୍ୟରେ ଗ୍ରୀଷ୍ମ ଲହରୀ ଓ ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ବୈଠକ ବୈଠକ ହୋଇଥିଲା । ଏଥିରେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ମଧ୍ୟ ଉପସ୍ଥିତ ଥିଲେ । ପିଇବା ପାଣି ବ୍ୟବସ୍ଥା, ବନାଗ୍ନି ନିରୋଧ ବ୍ୟବସ୍ଥା, ପଶୁପକ୍ଷୀଙ୍କୁ ପାଣି ଯୋଗାଣ ସହ ଲୋକଙ୍କୁ ସଚେତନ କରିବା ନେଇ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.