କମିବ ଶୀତ, ବଢିବ ସର୍ବନିମ୍ନ ତାପମାତ୍ରା : ୧୬ରେ କିଛି ସ୍ଥାନରେ ବର୍ଷା ସମ୍ଭାବନା

Published By : Prameya-News7 Bureau | February 13, 2021 IST

ଭୁବନେଶ୍ୱର,୧୩/୦୨: ରାଜ୍ୟରୁ ଶୀତ ଗାଏବ ହୋଇଯିବ ।ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବଢିବ । ୧୬ ତାରିଖରୁ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏନେଇ ଅନୁମାନ କରିଛନ୍ତି ପାଣିପାଗବିତ୍‌ । 

ଶନିବାର ରାଜ୍ୟରେ ପାଗ ଶୁଖିଲା ରହିବ । ତେବେ କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।ସେହିପରି ଆସନ୍ତା ୧୬ ତାରିଖରେ ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଦେଓଗଡ଼, କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ୱାସ ଆକଳନ କରିଛନ୍ତି ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ମଧ୍ୟ ୧୭ରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ ବୋଲି ଅନୁରୁପ ଭାବେ ପୂର୍ବାନୁମାନ କରିଛନ୍ତି ।

ସେହିପରି କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ରହିଛି । ଯାହା କ୍ରମଶଃ ବଢ଼ିବ । ୧୬ରେ ପଶ୍ଚିମ ଓଡ଼ିଶା ଓ ଏହା ସଂଲଗ୍ନ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ବଙ୍ଗୋପସାଗରୀୟ ପବନ ଓ ଉତ୍ତରା ପବନର ସମ୍ମିଶ୍ରଣ ହେବ । ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୪ଦିନ ଧରି ପାଗ ମେଘୁଆ ରହିବ । କୋହଲା ପାଗ ରହିବା ସହିତ କେତେକ ସ୍ଥାନରେ ହାଲୁକାରୁ ସ୍ୱଳ୍ପ ବର୍ଷା ହେବ । ତେବେ ୨୦ରୁ ପୁଣି ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ବଢ଼ିବ । ତାପରେ ଶୀତ ଫେରିବାର ସମ୍ଭାବନା କମ ରହିଛି ।

ଉପକୂଳରେ ୨.୫ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ୧୭ରୁ ୧୯ ଭିତରେ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀସେଲସିୟସ୍‌ କମିବା ବେଳେ ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ୪ ଡିଗ୍ରୀ ସେଲସିୟସ୍‌ କମିପାରେ ବୋଲି ପ୍ରଫେସର ପଶୁପାଳକ ଅନୁମାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.