ଉପର ମୁଣ୍ଡରେ ଛାଡୁନି କି ତଳମୁଣ୍ଡରେ ଥମୁନି ବର୍ଷା : ତଳି ଅଞ୍ଚଳକୁ ଡରାଇଲାଣି ବନ୍ୟା ଆଶଙ୍କା

Published By : Prameya-News7 Bureau | August 14, 2022 IST

ଭୁବନେଶ୍ୱର,୧୪/୮ : ଅବିରତ ବର୍ଷା । ଉପରମୁଣ୍ଡରେ ବର୍ଷା ଛାଡୁନି କି ତଳମୁଣ୍ଡରେ ଥମୁନି । ମହାନଦୀ ଫୁଲି ଚାଲିଛି । ତଳି ଇଲାକାକୁ ଡରାଇଲାଣି ବନ୍ୟା ଆଶଙ୍କା । ମହାନଦୀ ତଳମୁଣ୍ଡର ୭ ଜିଲ୍ଲାରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଜିଲ୍ଲାର ତଳି ଅଞ୍ଚଳକୁ ସତର୍କ କରାଯାଇଛି । ସନ୍ଧ୍ୟା ୭ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ୩୪ଟି ଗେଟ୍‌ ଖୋଲାଯାଇଛି ।

ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁଁ ଉପରମୁଣ୍ଡରୁ ଜଳ ପ୍ରବାହ ବଢ଼ିବାରେ ଲାଗିଛି । ଆଶଙ୍କା କରାଯାଉଛି, ଆଜି ରାତି ଭିତରେ ହୀରାକୁଦର ଆଉ ୪ଟି ଗେଟ ଖୋଲିପାରେ । ଜଳଭଣ୍ଡାରକୁ ଯେଉଁଭଳି ଜଳପ୍ରବାହ ବଢ଼ୁଛି, ଆସନ୍ତାକାଲି ଅପରାହ୍ନକୁ ହୀରାକୁଦକୁ ଉପରମୁଣ୍ଡରୁ ୬ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରିପାରେ । ଏଭଳି ସ୍ଥିତି ଆସିଲେ ଜଳଭଣ୍ଡାର କର୍ତ୍ତୃପକ୍ଷ ୫୦ଟି ପର୍ଯ୍ୟନ୍ତ ଗେଟ ଖୋଲିବା ନେଇ ବିଚାର ବିମର୍ଷ ଚଳାଇଛନ୍ତି । ଯଦି ଏମିତି ହୁଏ, ହୀରାକୁଦରୁ ପ୍ରତି ସେକେଣ୍ଡରେ ପ୍ରାୟ ସାଢ଼େ ୭ ଲକ୍ଷ ଘନଫୁଟ ଜଳ ନିଷ୍କାସିତ ହେବ । ଛତିଶଗଡ଼ ଓ ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ରବିବାର ତେଲ ନଦୀରୁ ଅଧିକ ପରିମାଣରେ ଜଳ ମହାନଦୀରେ ପଡ଼ିବ ।     

ଫଳରେ ମୁଣ୍ଡଳୀରେ ୧୫ ତାରିଖ ସନ୍ଧ୍ୟା ସୁଦ୍ଧା ପ୍ରାୟ ୯ ଲକ୍ଷ ଘନଫୁଟ ଜଳ ପହଞ୍ଚିପାରେ । ଏ ପରିସ୍ଥିତିରେ ମହାନଦୀର ତ୍ରିକୋଣ ଭୂମି ଓ ତଳି ଇଲାକାରେ ପାଣି ପଶିଯିବା ଆଶଙ୍କା ରହିଛି । ଚିନ୍ତାର ବିଷୟ ହେଲା ରବିବାର ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଜଳ ସମ୍ପଦ ବିଭାଗ ସହ ଅଗ୍ନିଶମ ବିଭାଗ ବି ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ଟିମ୍‌ ପଠାଇଛନ୍ତି । ମହାନଦୀ ବଢ଼ୁଥିବାବେଳେ ବୈତରଣୀ ଓ ଜଳକା ବିପଦ ସଙ୍କେତ ପାର୍‌ କରି ଉଛୁଳୁଛନ୍ତି । ମହାନଦୀରେ ବନ୍ୟା ଆସିଲେ କଟକର ବାଙ୍କୀ, ତିଗିରିଆ, ବଡ଼ମ୍ବା, ଭଟ୍ଟାରିକା, ନରସିଂହପୁର, ଖୋର୍ଦ୍ଧାର ଦୟା, ଭାର୍ଗବୀ, କୁଶଭଦ୍ରାର ତଳି ଅଞ୍ଚଳ, ପୁରୀର କଣାସ ଓ ନିମାପଡ଼ାର ତଳି ଇଲାକା, କେନ୍ଦ୍ରାପଡ଼ାର ଲୁଣା ନଦୀର ତଳି ଅଞ୍ଚଳ ଏବଂ ନୟାଗଡ଼ର ତଳି ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ରହିଛି । ବୈତରଣୀ ବଢ଼ୁଥିବାବେଳେ ଏହା ପ୍ରଭାବରେ ଯାଜପୁର ଓ ଭଦ୍ରକରେ ବନ୍ୟା ସ୍ଥିତି ଆସିପାରେ ।

ପାଣିପାଗ ବିଭାଗ ସୂଚନା ଦେଇଛି, ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ରବିବାର ସୁଦ୍ଧା ଏହା ଘନୀଭୂତ ହୋଇ ଅବପାତ (ଡିପ୍ରେସନ୍‌) ରୂପ ନେଇପାରେ । ଏହା ପ୍ରଭାବରେ ରବିବାର ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ରହିଛି ୧୦ଟି ଜିଲ୍ଲାରେ । ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି । ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏହି ୧୧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାବାଦ ବାଲେଶ୍ୱର, ଭଦ୍ରକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜର ସ୍ଥାନେ ସ୍ଥାନେ ପ୍ରବଳ ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୫ ତାରିଖରେ  ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ନୂଆପଡ଼ାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ବର୍ତ୍ତମାନ ତୁଳନାରେ ୧୫ରୁ ବର୍ଷା ପରିମାଣ କମିବ । ୧୬ ଓ ୧୭ରେ ବର୍ଷା ପରିମାଣ ସାମାନ୍ୟ କମ୍‌ ରହିବ । ୧୮ରୁ ଆଉ ଏକ ଲଘୁଚାପ ସମ୍ଭାବନା ଥିବାବେଳେ ପୁଣି ବର୍ଷା ବଢ଼ିବ । ଏହି ସମ୍ଭାବ୍ୟ ଲଘୁଚାପଜନିତ ବର୍ଷା ବନ୍ୟା ସ୍ଥିତିକୁ ପୁଣି ବିଗାଡ଼ିପାରେ ।

 ରାତି ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ୩୪ଟି ଗେଟ ଖୋଲା ରହିଛି । ପ୍ରତି ସେକେଣ୍ଡ ପିଛା ଜଳଭଣ୍ଡାରକୁ ୪ ଲକ୍ଷ ୩୯ ହଜାର ୨୯୧ ଘନଫୁଟ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ସେକେଣ୍ଡ ପିଛା ୫ ଲକ୍ଷ ୬୩ ହଜାର ୮୦୬ ଘନଫୁଟ ଜଳ । ପଥର୍ଲାଠାରେ ତେଲ ନଦୀରୁ ପ୍ରାୟ ୯୦,୭୫୩ ଘନଫୁଟ ପାଣି ମହାନଦୀରେ ମିଶୁଛି । ରାତି ୯ଟାବେଳେ ଖଇରମାଳରେ ୫.୬୯ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ବରମୁଳରେ ୫.୨୭ ଲକ୍ଷ କ୍ୟୁସେକ ଓ ମୁଣ୍ଡଳିରେ ୩ ଲକ୍ଷ ୫୨ ହଜାର ୬୫୫ କ୍ୟୁସେକ ଜଳ ପ୍ରବାହିତ ହେଉଥିଲା ।

  ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ଶଙ୍କର ମିଶ୍ର କହିଛନ୍ତି, ଆସନ୍ତାକାଲି ସକାଳେ ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ ଜଳ ପହଞ୍ଚିବ । ୧୫ ତାରିଖ ସକାଳକୁ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବ ।  ଛତିଶଗଡ଼ ବା ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାବେଳେ ଆସନ୍ତା ଦୁଇଦିନ ତଳମୁଣ୍ଡରେ ବି ପ୍ରବଳ ବର୍ଷା ପୂର୍ବାନୁମାନ ଅଛି । ତେଣୁ ମହାନଦୀ ତଳମୁଣ୍ଡରେ ଛୋଟ ବନ୍ୟା ଆସିପାରେ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

  ଶନିବାର ରାତି ୯ଟାବେଳେ ଜଳକାର ଜଳସ୍ତର ମଥାନିରେ ବିପଦ ସଙ୍କେତ (୫.୫୦ ମିଟର)ଠାରୁ ଉପରେ (୬.୩୧ ମିଟର) ପ୍ରବାହିତ ହେଉଥିଲା । ଜଳସ୍ତର ସନ୍ଧ୍ୟା ପର୍ଯ୍ୟନ୍ତ ବଢ଼ୁଥିବାବେଳେ ରାତିରେ ସ୍ଥିର ରହିଥିଲା । ବୈତରଣୀ ନଦୀ ଆଖୁଆପଦାରେ ବିପଦ ସଙ୍କେତ ଡେଇଁଯାଇଛି । ଆଖୁଆପଦାରେ ବିପଦ ସଙ୍କେତ ସ୍ତର ୧୭.୮୩ ମିଟର ହୋଇଥିବାବେଳେ ଜଳସ୍ତର ୧୮.୧୪ ମିଟରରେ ପହଞ୍ଚିଯାଇଛି । ସନ୍ଧ୍ୟା ପରେ ଜଳସ୍ତର ସ୍ଥିର ରହିଛି । ସୁନ୍ଦରଗଡ଼ରେ ଇବ ଜଳସ୍ତର ଫୁଲୁଥିବାବେଳେ ସୁବର୍ଣ୍ଣରେଖା ବି ବଢ଼ୁଛି । ବଂଶଧାରା ଜଳସ୍ତର ବୃଦ୍ଧି ପାଉଛି । ଗୁଣୁପୁରରେ ଜଳସ୍ତର ୮୨.୮୧ ମିଟର ଛୁଇଁଥିବାବେଳେ ଏହା ସତର୍କ ସଙ୍କେତ (୮୩ମି) ପାଖାପାଖି ରହିଛି । କାଶୀନଗରରେ ସତର୍କ ସଙ୍କେତ (୫୩.୬୦ ମି) ଉପରେ ପ୍ରବାହିତ (୫୩.୭୬ମିଟର) ହେଉଛି । ଜଳସ୍ତର ବଢ଼ୁଛି ।

  ଜଳ ସମ୍ପଦ ବିଭାଗ ପକ୍ଷରୁ ସମ୍ଭାବ୍ୟ ବନ୍ୟା ସ୍ଥିତି ମୁକାବିଲା ପାଇଁ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼କୁ ବରିଷ୍ଠ ଯନ୍ତ୍ରୀଙ୍କୁ ପଠାଯାଇଛି । ଲଗାଣ ବର୍ଷା ଓ ବନ୍ୟାଜନିତ ସ୍ଥିତିରେ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ୧୫ଟି ଜିଲ୍ଲାକୁ ପଠାଯାଇଛି । ସଭିଙ୍କ ଛୁଟି ବାତିଲ କରାଯାଇଛି । ଶନିବାର ସକାଳରୁ ସନ୍ଧ୍ୟା ସୁଦ୍ଧା ସମ୍ବଲପୁରରେ ୧୨୯ ମିମି, ପୁରୀରେ ୬୧, ହୀରାକୁଦରେ ୮୧, ସୋନପୁରରେ ୩୯ ମିମି ବର୍ଷା ହୋଇଥିବାବେଳେ ଦିନ ତମାମ ବର୍ଷା ଲାଗି ରହିଥିଲା । ଗତ ୨୪ ଘଣ୍ଟା ଭିତରେ (ଆଜି ସକାଳ ୮ଟା ୩୦ ସୁଦ୍ଧା) ସୋନପୁରରେ ୯୬.୮, ପାରାଦୀପରେ ୬୦, ଫୁଲବାଣୀରେ ୪୦, ବୌଦ୍ଧରେ ୪୧, ଜଗତସିଂହପୁରରେ ୩୬ ମିମି ବର୍ଷା ହୋଇଥିଲା । ମହାନଦୀ ଉପର ଓ ତଳମୁଣ୍ଡରେ ପ୍ରବଳ ବର୍ଷା ହୋଇଛି ଗତ ୨୪ ଘଣ୍ଟାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.