କଲବଲ କରିବ ତାତି, ୧୭ ଯାଏଁ ବର୍ଷିବ ନିଆଁ

Published By : Prameya-News7 Bureau | April 14, 2022 IST

ଭୁବନେଶ୍ୱର ୧୪/୦୪: ଆଗକୁ ଆହୁରି ଜଳାଇବ ତାତି । ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ରତାପ କଲବଲ କରିବ । ୧୭ ତାରିଖ ଯାଏ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ଅସମ୍ଭାଳ ତାତି ଅନୁଭୂତ ହେବ । ବରିଷ୍ଠ ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି । ସେପଟେ କାଳବୈଶାଖୀ ପ୍ରଭାବରୁ ୧୯ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସତର୍କ ସୂଚନା ଜାରି କରିଛନ୍ତି ।

ପ୍ରଫେସର ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଆଜି ପର୍ଯ୍ୟନ୍ତ ଉପକୂଳରେ ବଙ୍ଗୋପସାଗରୀୟ ପବନ ବହୁଥିଲା । ଏଥିପାଇଁ ତାପମାତ୍ରା କମ୍‌ ରହୁଥିଲା । ଆସନ୍ତାକାଲିଠାରୁ ରାଜ୍ୟକୁ ସିଧାସଳଖ ଉତ୍ତର ପଶ୍ଚିମା ଗରମ ପବନ ପ୍ରବାହିତ ହେବ । ଏଥିପାଇଁ ତାପମାତ୍ରା ବଢ଼ିବ ।
ଉପକୂଳରେ ଆସନ୍ତା ୧୭ ତାରିଖ ଯାଏ ଗରମ ଅଧିକ ରହିବ । ୧୫ ବା ୧୬ରେ ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିବ । ତେବେ ୧୮ ତାରିଖଠାରୁ ତାପମାତ୍ରା କମିପାରେ । ୧୯ରୁ ତାପମାତ୍ରା ପୁଣି ୩୬ ବା ୩୭ ଡିଗ୍ରୀକୁ ଖସିଯିବ । ୧୯ରୁ ୨୧ ତାରିଖ ଯାଏ କାଳବୈଶାଖୀ ବର୍ଷା ପ୍ରଭାବ ରହିବ । କିନ୍ତୁ ୨୨ରୁ ପୁଣି ଗରମ ବଢ଼ିବ ବୋଲି ସେ କହିଛନ୍ତି ।

ସେହିଭଳି ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ରୀୟ ଓଡି଼ଶାରେ ୨୨ ତାରିଖ ଯାଏ ଅସମ୍ଭାଳ ଗରମ ହେବ । ୧୮ ଓ ୧୯ ତାରିଖରେ କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ଛୁଇଁପାରେ । ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ବି ତାପମାତ୍ରା କ୍ରମଶଃ ବଢ଼ିବ । ୧୭ରେ ଏହା ସବୁଠୁ ଅଧିକ ରହିବ । ୧୮ରୁ ଏହା ପୁଣି କମିପାରେ । ୨୧ରେ କୁଆପଥର ମାଡ଼ ସହ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ସେପଟେ ପାଣିପାଗ ବିଭାଗ ଭିନ୍ନ ଆକଳନ କରିଛି । ୧୪ରୁ ୧୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୟେଲୋ ସତର୍କତା ଜାରି କରାଯାଇଛି । ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝରରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ ।୧୫ରେ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜରେ ବର୍ଷା ସମ୍ଭାବନା ଅଛି । ୧୬ ଓ ୧୭ରେ ଏହି ସମସ୍ତ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.