ଆସନ୍ତା ୧୦ରୁ ବଢିବ ତାତି
6/05/2018 at 6:58 AM

କାଳବୈଶାଖୀ ପ୍ରଭାବରେ ବେଶ୍ କିଛିଦିନ ତାତିରୁ ନିସ୍ତାର ମିଳିଥିବା ପରେ ପୁଣି ଥରେ ପାରଦ ହୋଇଛି ଉପରମୁହାଁ। ଉପକୂଳରେ ତାପମାତ୍ରା କିଛି କମିଥିବାବେଳେ ପଶ୍ଚିମ ଓଡିଶାରେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଅନୁଭୁତ ହେଉଛି।ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।କାଲି ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଟପିଥିଲା। ବଲାଙ୍ଗିର ରହିଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୨.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।୧୦ରୁ ତାତି ଆହୁରି ବଢିବ।ଗ୍ରୀଷ୍ମପ୍ରକୋପ ଯୋଗୁ କିଛି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଟପିବାର ସମ୍ବାବନା ରହିଛି ବୋଲି ପାଣିପାଗ ବିଭାଗ କରିଛି ପୂର୍ବାନୁମାନ। କାଳବୈଶାଖୀର ପ୍ରଭାବ ରାଜ୍ୟରେ ଆହୁରି ୨୪ ଘଣ୍ଟା ଲାଗିରହିବାର ସମ୍ବାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ। କନ୍ଧମାଳ,କଳାହାଣ୍ଡି,ନବରଙ୍ଗପୁର,ରାୟଗଡା,କୋରାପୁଟ,ମାଲକାନଗିରି ଓ ଗଜପତି ଏହି ୭ଟି ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିବାର ସମ୍ଭାବନା ରହିଛି। ଏହି ସମୟରେ ୫୦ରୁ ୬୦ କମି ବେଗରେ ପବନ ବହିବା ସହିତ ଧୁଳିଝଡ଼ରେ କ୍ଷୟକ୍ଷତି ଆଶଙ୍କା ରହିଛି।ଏଥିପାଇଁ ଲୋକମାନଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ପରାମର୍ଶ।