ଆସୁଛି ବାତ୍ୟା ! ଘୂର୍ଣ୍ଣିବଳୟ ପ୍ରଭାବରେ ଦଶହରା ପରି ବତୁରିବ ଦୀପାବଳୀ

Published By : Prameya-News7 Bureau | October 17, 2022 IST

ଭୁବନେଶ୍ୱର, ୧୭/୧୦: ଆସୁଛି ବାତ୍ୟା । ବିଭିନ୍ନ ମଡେଲ ବାତ୍ୟା ଆକଳନ କରୁଥିବା ବେଳେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବି ବାତ୍ୟାର ଆଭାସ ଦେଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁୟାୟୀ  ୨୪ ରୁ ୨୬ ତାରିଖ ମଧ୍ୟରେ ରାଜ୍ୟରେ ବାତ୍ୟା ହୋଇପାରେ । ତେବେ ୨୨ ତାରିଖ ସୁଦ୍ଧା ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ଆସିବ ।

ପ୍ରତିବର୍ଷ ଅକ୍ଟୋବର ମାସ ଆସିଲେ ଲୋକଙ୍କ ଭିତରେ ଛନକା ପଶେ । ଗତ ୭ ଦିନ ଧରି ବାତ୍ୟା ଚର୍ଚ୍ଚା ଚାଲିଥିବା ବେଳେ ପୂର୍ବରୁ ଆକଳନ କରିପାରିନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଜି କିନ୍ତୁ ଆଭାସ ଦେଇଛି । ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି । ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୨୦ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ୨୧ ତାରିଖ ବେଳକୁ ବାତ୍ୟା ଫନିର ଗତିପଥକୁ ଫଲୋ କରିପାରେ ଲଘୁଚାପ । ୨୪ ରୁ ୨୬ ତାରିଖ ମଧ୍ୟରେ ଓଡ଼ିଶାରେ ବାତ୍ୟା ସମ୍ଭାବନା ରହିଛି । ଲଘୁଚାପ  ଧିରେ ଧିରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରି କେନ୍ଦ୍ରୀୟ ଓ ତତ୍ ସଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଆଡକୁ ମୁହାଁଇବ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ସହ ପବନର ବେଗ ମଧ୍ୟ ଅଧିକ ରହିବ ।

ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ତଥ୍ୟ ଦେଉଛନ୍ତି । ୱିଣ୍ଡିର ଆକଳନ ଅନୁଯାୟୀ ୨୪ ତାରିଖ ବେଳକୁ ରାଜ୍ୟରେ ବାତ୍ୟା ସମ୍ଭାବନା ରହିଛି । ସେହିପରି ଆମେରିକାନ ମଡେଲ୍ ଜିଏଫଏସ ଏବଂ ୟୁରୋପିଆନ୍ ମଡେଲ୍ ବି ବାତ୍ୟା ହେବା ନେଇ ଆକଳନ କରିଛି । ତେବେ ବାତ୍ୟା ପ୍ରଭାବ ଆନ୍ଧ୍ର-ଓଡ଼ିଶା ନଚେତ୍ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପଡିବ । ଦଶହରା ଭଳି ଦୀପାବଳି ବି ବତୁରିବ । ତେବେ ୨୨ ତାରିଖ ସୁଦ୍ଧା ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ସ୍ପଷ୍ଟ ଚିତ୍ର ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.