ରାଜ୍ୟରେ ଶୁକ୍ରବାରଠୁ ବଢିବ ଶୀତ, ୩ ରୁ ୪ ଡିଗ୍ରୀ ଯାଏ ଖସିବ ପାରଦ

Published By : Prameya-News7 Bureau | December 16, 2022 IST

ଭୁବନେଶ୍ୱର,୧୬/୧୨: ରାଜ୍ୟରେ ଶୁକ୍ରବାରଠାରୁ ଶୀତ ବଢ଼ିପାରେ । ଆସନ୍ତା ୩ ଦିନ ଯାଏ ରାତି ତାପମାତ୍ରା ଧୀରେ ଧୀରେ ଖସିବ । ୩ରୁ ୪ ଡିଗ୍ରୀ ଯାଏ ପାରଦ ଖସିବା ସହ ଅଧିକ ଶୀତ ଅନୁଭୂତ ହୋଇପାରେ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ଶୁକ୍ରବାର ରାଜ୍ୟରେ ଅଧିକ କୁହୁଡ଼ି ଦେଖାଯିବନି । କିନ୍ତୁ ରାତି ତାପମାତ୍ରା କ୍ରମଶଃ ଖସିବ । ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ କହିଛନ୍ତି, ୧୬ରୁ ତାପମାତ୍ରା କମିବ । କିନ୍ତୁ ପୂରା ରାଜ୍ୟରେ ଏହା ଅନୁଭୂତ ହେବନି । ଉପକୂଳରେ ୧୮ରୁ ଅଧିକ ଶୀତ ଅନୁଭୂତ ହେବ ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଶୁକ୍ରବାର ରାତିରୁ ପୂରା ରାଜ୍ୟରେ ଶୀତ କମିବ । ଦକ୍ଷିଣ ଉପକୂଳରେ ଅଧିକ ଶୀତ ଅନୁଭୂତ ହେବ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ଅନ୍ୟ ଜିଲ୍ଲାରେ ରାତି ତାପମାତ୍ରା ଖସିଯିବ । ସେପଟେ ଗୁରୁବାର ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ବେଶ୍‌ ଅଧିକ ଥିବା ପାଣିପାଗ ବିଭାଗ ରେକର୍ଡ଼ରୁ ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.