ଶ୍ରାବଣ ମାସରେ ଏହି ରଙ୍ଗ ପିନ୍ଧିବା ହୋଇଥାଏ ଶୁଭ, ପ୍ରସନ୍ନ ହୁଅନ୍ତି ବାବା ଭୋଳାଶଙ୍କର

Published By : Prameya-News7 Bureau | July 14, 2022 IST

ନୂଆଦିଲ୍ଲୀ ୧୪/୦୭: ଶିବ ତପେ ବର ନହେଲେ କୋପେ ବର। ପ୍ରଭୁ ଭୋଳାନାଥଙ୍କୁ ପ୍ରସନ୍ନ କରିବାକୁ ହେଲେ ନାନା ତପସ୍ୟା କରିବାକୁ ପଡେ । ଭକ୍ତମାନେ ମଧ୍ୟ ମହାଦେବଙ୍କ କୃପା ଦୃଷ୍ଟି ଲାଭ କରିବା ପାଇଁ ସବୁ କଷ୍ଟ ସହିବାକୁ ପ୍ରସ୍ତୁତ ରହିଥାନ୍ତି । ପବିତ୍ର ମହାଶିବରାତ୍ରୀର ହେଉ ବା ଶ୍ରାବଣ ମାସର କାଉଡି ଯାତ୍ରା । ସବୁ ପୂଜା ଭାରି ଶ୍ରଦ୍ଧାର ସହିତ କରନ୍ତି ।

ବିଶ୍ୱାସ ରହିଛି ନିଷ୍ଠାର ସହ ଶ୍ରାବଣ ସୋମବାରରେ କାଉଡି ଯାତ୍ରାକରି ବାବା ଭୋଳାଶଙ୍କରଙ୍କୁ ପାଣି ଚଢେଇଲେ ବାବା ସବୁ ମନସ୍କାମନା ପୁରଣ କରନ୍ତି । ତେବେ ଆଉ କ’ଣ କ’ଣ କଲେ ବାବା ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ଅଛି ଆସନ୍ତୁ ଜାଣିବା।

ଶ୍ରାବଣ ମାସଟି ହେଉଛି ଭଗବାନ ଶିବଙ୍କ ମାସ । ୧୪ ଜୁଲାଇ ରୁ ଆରମ୍ଭ ହେଉଥିବା ଏହି ଶ୍ରାବଣ ମାସରେ ପ୍ରାୟ ୪ଟି ସୋମବାର ପଡିଥାଏ । ବର୍ଷସାରା ପ୍ରଭୁଙ୍କ ଆରାଧନା କରାଗଲେ ବି ଶ୍ରାବଣ ମାସର ଶିବ ଆରାଧନାରେ ରହିଛି ବିଶେଷ ମହତ୍ତ୍ୱ । ନିଜ ଆରାଧ୍ୟଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗେ ଦେବାଧି ଦେବ ମହାଦେବଙ୍କ ପୀଠରେ ।

ପୁରାଣନୁଯାୟୀ ଶ୍ରାବଣ ମାସରେ ଶିବଙ୍କ ପୁଜାବିଧିରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ପୌରାଣିକ ତଥ୍ୟ ଆଧାରରେ ପ୍ରଭୁ ଶିବଙ୍କ ପ୍ରିୟ ରଙ୍ଗର ପୋଷାକ ପିନ୍ଧି ପୂଜା କରିବାକୁ ବହୁତ ଶୁଭ ବୋଲି ଧରାଯାଏ । ବାବା ନୀଳକଣ୍ଠେଶ୍ବରଙ୍କ ସବୁଜ ରଙ୍ଗ ଭାରି ପ୍ରିୟ । କେବଳ ଶ୍ରାବଣ ସୋମବାର ନୁହେଁ, ଶିବରାତ୍ରୀରେ ବି ଭକ୍ତମାନେ ସବୁଜ ରଙ୍ଗର ବସ୍ତ୍ର ପିନ୍ଧିଥାନ୍ତି ।

ଏହା ବ୍ୟତୀତ ଶିବଙ୍କ ପୁଜା ସମୟରେ ନାରଙ୍ଗୀ, ଧଳା, ଲାଲ୍‌ ଓ ହଳଦିଆ ରଙ୍ଗର ବସ୍ତ୍ରକୁ ବି ଶୁଭ ବୋଲି ଧରାଯାଏ। ଏସବୁ ରଙ୍ଗ ପୁଜା ପାଠରେ ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି କହନ୍ତି । କୁହାଯାଏ ଭଗବାନ ଶିବଙ୍କୁ କାଳେ କଳା ରଙ୍ଗ ପସନ୍ଦ ନୁହେଁ । ତେଣୁ ଶ୍ରାବଣ ସୋମବାରର ପୁଜା ସମୟରେ ଭକ୍ତ ଏହି କଳା ରଙ୍ଗରୁ ଦୁରେଇ ରହିଥାନ୍ତି ।
ପୁଜା ପାଇଁ ଯେ କେବଳ ନୁଆଁ ପିନ୍ଧିବ ତାହା ବାଧ୍ୟ ନୁହେଁ । କିନ୍ତୁ ପରିଷ୍କାର ପୋଷାକ ପିନ୍ଧିବା ଆବଶ୍ୟକ ଅଟେ । ପୁଅମାନଙ୍କ ଧୋତୀ ପିନ୍ଧିବାକୁ ମଧ୍ୟ ଅତ୍ୟନ୍ତ ଶୁଭ ମନାଯାଇଥାଏ। ମାନ୍ୟତା ଅନୁସାରେ ଶ୍ରାବଣ ସୋମବାରରେ ବାବା ସୋମନାଥଙ୍କ ଶିବଲିଙ୍ଗ ଉପରେ ଚଢା ଯାଇଥିବା ପ୍ରସାଦକୁ ନଖାଇବା ପାଇଁ ଉପଦେଶ ଦିଆଯାଏ । ତତ୍‌ ସହିତ ଏହି ଶ୍ରାବଣ ମାସରେ ଶିବଙ୍କ ଆରାଧନାକୁ ଅତ୍ୟନ୍ତ ପବିତ୍ର ଓ ଶୁଭ ମନାଯାଏ । ଏହି ମାସରେ ୨୫ ଜୁଲାଇ ଦିନ ପ୍ରଦୋଷ ବ୍ରତ ଓ ୨୬ ଜୁଲାଇରେ ମାସିକ ଶିବରାତ୍ରୀ ମଧ୍ୟ ପାଳନ କରାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.