ଦିଲ୍ଲୀ ଏବଂ ପଞ୍ଜାବର ବିଦ୍ୟାଳୟକୁ ବିଶ୍ଵରେ ଶ୍ରେଷ୍ଠ କରିବୁ: ଅରବିନ୍ଦ କେଜ୍ରିଓ୍ଵାଲ
11/02/2023 at 9:11 PM

ନୂଆଦିଲ୍ଲୀ: ଶିକ୍ଷା ଆମ ସରକାରର ପ୍ରଥମ ପ୍ରାଥମିକତା। ଆମ ସରକାର ଶିକ୍ଷାର ମାନଦଣ୍ଡକୁ ବଢାଇବା ଦିଗରେ ବେଶ ଯତ୍ନଶୀଳ। ସରକାରୀ ବିଦ୍ୟାଳୟକୁ ସୁବ୍ୟବସ୍ଥିତ କରିବା ଏବଂ ଉନ୍ନତମାନର ଶିକ୍ଷା ପ୍ରଦାନରେ ଦିଲ୍ଲୀ ଏବଂ ପଞ୍ଜାବର ବିଦ୍ୟାଳୟକୁ ବିଶ୍ଵରେ ଶ୍ରେଷ୍ଠ କରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ।ସଂପ୍ରତି ଦୁଇ ରାଜ୍ୟରେ ଆପ୍ ସରକାରରେ ଅଛି।
ପ୍ରିନ୍ସିପାଲଙ୍କ ସମ୍ମିଳନୀ ସମବେତକୁ ସମ୍ବୋଧିତ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଏହି ସମୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ମଧ୍ୟ ଉପସ୍ଥିତ ଥିଲେ। ମାନ କହିଛନ୍ତି ପଞ୍ଜାବରେ ଶିକ୍ଷକମାନେ କେବଳ ଶିକ୍ଷାଦାନ ପାଇଁ ନିୟୋଜିତ ହେଉଛନ୍ତି, ଅନ୍ୟ କୌଣସି ପାଇଁ ନୁହେଁ।
କେଜ୍ରିଓ୍ଵାଲ କହିଛନ୍ତି, ଆମେ ସରକାରକୁ ଆସିବା ସମୟରେ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥା ଅବ୍ୟବସ୍ଥିତ ଥିଲା। ଆମେ ତୁରନ୍ତ ଭିତ୍ତିଭୂମି ସଜାଡିବା ଦିଗରେ ବିହିତ ପଦକ୍ଷେପ ନେଇଥିଲୁ। ପୁଣି ଶିକ୍ଷକ ଏବଂ ପ୍ରିନ୍ସିପାଲଙ୍କୁ ଉନ୍ନତମାନର ଶିକ୍ଷାପ୍ରଦାନ ପାଇଁ ପ୍ରଶିକ୍ଷଣ ଦେଇଥିଲୁ। ଯେ ପର୍ଯ୍ୟନ୍ତ ଶିକ୍ଷକ ଏବଂ ପ୍ରିନ୍ସିପାଲ୍ ନିଜେ ଉତ୍ସାହିତ ହୋଇ ନାହାନ୍ତି ସେ ପର୍ଯ୍ୟନ୍ତ ଶିକ୍ଷାର ଉନ୍ନତିରେ କୌଣସି ପ୍ରଭାବ ଦେଖିବାକୁ ମିଳିବ ନାହିଁ।
ଯଦି ସରକାର ଚାହିଁବେ ସେମାନେ ଶ୍ରେଷ୍ଠ ବିଦ୍ୟାଳୟ ଏବଂ ଶିକ୍ଷା ପ୍ରଦାନ କରି ପାରିବେ ଯଦି ସେମାନଙ୍କର ଇଚ୍ଛା ଶକ୍ତି ଏବଂ ପ୍ରାଥମିକତାରେ ଏହା ଥାଏ। କିନ୍ତୁ ଶିକ୍ଷା ହେଉଛି ଆପ୍ ସରକାରର ପ୍ରାଥମିକତା। ଆମେ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥା ସଜାଡିବା ପାଇଁ ସାତ ବର୍ଷ ସମୟ ନେଇଗଲୁ, କିନ୍ତୁ ପଞ୍ଜାବରେ କମ ସମୟ ଲାଗିବ ବୋଲି କେଜ୍ରିଓ୍ଵାଲ କହିଛନ୍ତି।
ଆମେ ଦିଲ୍ଲୀ ଏବଂ ପଞ୍ଜାବର ସରକାରୀ ବିଦ୍ୟାଳୟକୁ ବିଶ୍ଵର ଶ୍ରେଷ୍ଠ କରିବୁ ବୋଲି କେଜ୍ରିଓ୍ଵାଲ କହିଛନ୍ତି। ପଞ୍ଜାବରେ ପରୀକ୍ଷଣ କରାଯିବ ଏବଂ ଏଥିରୁ ଦିଲ୍ଲୀ ବି ଶିକ୍ଷାଗ୍ରହଣ କରିବ। ପଞ୍ଜାବ ସରକାରୀ ସ୍କୁଲର ପ୍ରିନ୍ସିପାଲଙ୍କ ଏକ ଦଳ ସିଙ୍ଗାପୁର ଯାଇ ଫେବୃଆରୀ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ ନେଇଥିବା କାର୍ଯ୍ୟକ୍ରମରେ କହିଛନ୍ତି କେଜ୍ରିଓ୍ଵାଲ। ଏହି ସମୟରେ ପଞ୍ଜାବ ଶିକ୍ଷା ମନ୍ତ୍ରୀ ହରଜୋତ ସିଂ ବେନ୍ସ ଉପସ୍ଥିତ ଥିଲେ।