‘ଯାହା ବି ଘଟିଲା ସେଥିପାଇଁ ଆମେ ଦାୟୀ’, ଚିତାଙ୍କ ମୃତ୍ୟୁ ଉପରେ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ
1/06/2023 at 11:12 PM

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର କୁନୋ ରାଷ୍ଟ୍ରୀୟ ଉଦ୍ୟାନରେ ତିନି ମାସରେ ତିନି ଚିତା ଏବଂ ସମାନ ସଂଖ୍ୟକ ଶାବକଙ୍କ ମୃତ୍ୟୁ ଉପରେ କେନ୍ଦ୍ରମନ୍ତ୍ରୀ ବୟାନ ଦେଇ ପରିସ୍ଥିତିକୁ ସ୍ୱୀକାର କରିଛନ୍ତି । ଗୁରୁବାର କେନ୍ଦ୍ର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି, ଯାହା କିଛି ହୋଇଛି ସେଥିପାଇଁ ଆମେ ଦାୟୀ, କିନ୍ତୁ ଚିତା ସ୍ଥାନାନ୍ତରଣ ପରିଯୋଜନା ଯେପରି ସଫଳ ହେବ ସେଥିପାଇଁ ଜୋର ଦିଆଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମିବ୍ୟାରୁ ଆଣାଯାଇଥିବା ଆଠ ଚିତାଙ୍କୁ ଗତ ବର୍ଷ ସେପ୍ଟେମ୍ୱର ୧୭ରେ ମଧ୍ୟ ପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଛାଡ଼ିଥିଲେ । ଏହାପରେ ଫେବ୍ରୁଆରୀ ୧୮ରେ ଦ.ଆଫ୍ରିକାରୁ ଅଣାଯାଇଥିବା ଅନ୍ୟ ୧୨ ଚିତାଙ୍କୁ ମଧ୍ୟ କୁନୋରେ ଛଡ଼ାଯାଇଥିଲା ।
ପଢନ୍ତୁ: ଜଙ୍ଗଲରେ ଛଡ଼ାଯିବ ଆଉ ୭ ଚିତା, ସୁରକ୍ଷାକୁ ନେଇ କୁନୋ ନ୍ୟାସନାଲ ପାର୍କ ପ୍ରସ୍ତୁତ !
ମାର୍ଚ୍ଚ ଏବଂ ଏପ୍ରିଲରେ ତିନି ଚିତାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୧୭ ଚିତାଙ୍କ ମଧ୍ୟରୁ ସାତକୁ ପୂର୍ବରୁ ହିଁ ଜଙ୍ଗଲରେ ଛଡାଯାଇଛି । ତିନି ଚିତା ଏବଂ ନାମିବ୍ୟାରୁ ଆସିଥିବା ମାଇ ଚିତା ସିସାୟରୁ ଜନ୍ମ ହୋଇଥିବା ତିନି ଶାବକଙ୍କ ମୃତ୍ୟୁ ପରେ ଅନେକ ବିଶେଷଜ୍ଞ ପ୍ରାକୃତିକ ବାସ ଏବଂ ବନ୍ୟଜୀବ ପରିଚାଳନା ଉପରେ ପ୍ରଶ୍ନ ଉଠାଇଥିଲେ । ଟାଇମ୍ସ ନେଟୱାର୍କର କାର୍ଯ୍ୟକ୍ରମରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଏହା ଏକ ଅନ୍ତରାଷ୍ଟ୍ରୀୟ ପରିଯୋଜନା ଏବଂ ଆମେ ମୃତ୍ୟୁ ନେଇ ଆମ ପାଖରେ ପୂର୍ବାନୁମାନ ଥିଲା । ଏହା ଆମ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଗୋଟିଏ ଚିତା ଭାରତ ଆସିବା ପୂର୍ବରୁ ହିଁ ଅସୁସ୍ଥ ଥିଲା । ଅନ୍ୟ ଦୁଇ ବୟସ୍କ ଚିତାର ମୃତ୍ୟୁ କାରଣ ଆମେ କହିସାରିଛୁ’।
ସେ କହିଛନ୍ତି, ‘ତିନି ଶାବକଙ୍କ ମୃତ୍ୟୁ ଅତ୍ୟଧିକ ଗରମ ଯୋଗୁଁ ହୋଇଛି । ତାପମାତ୍ରା ୪୭ ଡିଗ୍ରୀ ଯାଏ ପହଞ୍ଚିଥିଲା… ଯାହା ବି ଘଟିଲା ସେଥିପାଇଁ ଆମେ ଦାୟୀ । କିନ୍ତୁ, ପରିଯୋଜନା ଏକ ବଡ଼ ସଫଳତା ପ୍ରମାଣିତ ହେବ ଏବଂ ସାରା ଦେଶକୁ ଏହା ଉପରେ ଗର୍ବ ହେବ’ ।