ନରମିଲା କି ଡ୍ରାଗନ ? ଭାରତ ସହ ସ୍ଥିର ଓ ବିକାଶମୂଳକ ସମ୍ପର୍କ ସ୍ଥାପନ ପାଇଁ ଆମେ ପ୍ରସ୍ତୁତ ବୋଲି କହିଲେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
25/12/2022 at 5:00 PM

ବେଜିଂ: ବହୁରୂପୀ ଏଣ୍ଡୁଅ ଯେମିତି ରୂପ ବଦଳାଏ ସେମିତି କଥା ବଦଳାଉଛି ଚୀନ। କେତେବେଳେ ସୀମାରେ ଅଶାନ୍ତି କରୁଛି ତ ଆଉ କେତେବେଳେ ଶାନ୍ତିର କଥା କହୁଛି। ଚୀନର ଦୋମୁହାଁ ନୀତିକୁ ବିଶ୍ୱାସ କରିବା ସହଜ ନୁହେଁ।
ନିକଟରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ଭାରତୀୟ ଯବାନମାନେ ଚୀନ ଯବାନଙ୍କୁ ପିଟିପିଟି ଘଉଡ଼ାଇ ଦେଇଥିଲେ। ଯାହାକୁ ନେଇ ସୀମାରେ ଏବେ ବି ତିକ୍ତତା ଲାଗି ରହିଛି। ହେଲେ ଏପଟେ ଭାରତ ସହ ସମ୍ପର୍କ ସୁଧାରିବାକୁ କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି।
ଚୀନ ଭାରତ ସହିତ କାମ କରିବାକୁ ପ୍ରସ୍ତୁତ ଅଛି। ଭାରତ ସହିତ ସମ୍ପର୍କରେ ସ୍ଥିରତା ଆଣିବା ସହ ଦ୍ରୁତ ବିକାଶ ପାଇଁ ଚୀନ ମିଶିକରି କାମ କରିବାକୁ ପ୍ରସ୍ତୁତ ଅଛି ବୋଲି ଚୀନ ବୈଦେଶିକ ମନ୍ତ୍ରାଳୟ ୱେବ୍ସାଇଟ୍ରେ ଉଲ୍ଲେଖ ରହିଛି।
ଭାରତ-ଚୀନ ସମ୍ପର୍କକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ୱାଙ୍ଗ ୟି କହିଛନ୍ତି “ଚୀନ-ଭାରତ ମଧ୍ୟରେ କୂଟନୈତିକ ସହ ସେନାସ୍ତରୀୟ ଆଲୋଚନା ଜାରି ରହିଛି। ଉଭୟ ଦେଶ ସୀମାରେ ସ୍ଥିରତା ପାଇଁ ପ୍ରତିଶ୍ରୁତିବଦ୍ଧ। ଚୀନ-ଭାରତ ସୁସମ୍ପର୍କ ଓ ବିକାଶ ପାଇଁ ଆମେ ଭାରତ ସହିତ କାମ କରିବାକୁ ପ୍ରସ୍ତୁତ ଅଛୁ।”
ଏହା ପୂର୍ବରୁ ଡିସେମ୍ବର ୯ ତାରିଖରେ ଅରୁଣାଚଳ ପ୍ରଦେଶ ତୱାଙ୍ଗ ସେକ୍ଟରରେ ଚୀନ- ଭାରତ ସେନା ମୁହାଁମୁହିଁ ହୋଇଥିଲେ। ଏଥିରେ ଉଭୟ ସେନା ଆହତ ହୋଇଥିଲେ।। ହେଲେ ମୃତହାତ ନେଇ କୌଣସି ସୂଚନା ନିଥିଲା। ଏହି ଲଢ଼େଇ ପରେ ଡିସେମ୍ବର ୨୦ ତାରିଖରେ ଭଭୟ ଦେଶ ମଧ୍ୟରେ କର୍ପ କମାଣ୍ଡର ସ୍ତରୀୟ ୧୭ତମ ବୈଠକ ହୋଇଥିଲା। ଚୀନ ସାଇଡ୍ରେ ଚୁଶୁଲ ମୋଲୋଡ ବର୍ଡରରେ ଏହି ବୈଠକ ହୋଇଥିଲା। ପଶ୍ଚିମ ସୀମାରେ ସ୍ଥିରତା କାଏମ ରଖିବାକୁ ଉଭୟ ଦେଶ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।