ସୁପ୍ରିମକୋର୍ଟରେ କେନ୍ଦ୍ରର ତର୍କ, ପରିବାର ନିୟୋଜନ ପାଇଁ ଲୋକଙ୍କୁ ବାଧ୍ୟ କରି ପାରିବୁ ନାହିଁ

Published By : Prameya-News7 Bureau | December 12, 2020 IST

ନୂଆଦିଲ୍ଲୀ ୧୨।୧୨: ଭାରତ ନିଜ ଦେଶବାସୀଙ୍କୁ ପରିବାର ନିୟୋଜନ ପାଇଁ ବାଧ୍ୟ କରି ପାରିବ ନାହିଁ। ଏପରିକି ବ୍ୟକ୍ତି କେତେ ଛୁଆ ଜନ୍ମ କରିବେ ତାର ସଂଖ୍ୟା ନିର୍ଦ୍ଧାରଣ କରାଯାଇ ପାରିବ ନାହିଁ। ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟରେ ଏହା କହିଛନ୍ତି କେନ୍ଦ୍ର ସରକାର।

ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ସତ୍ୟପାଠରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ସ୍ଵେଚ୍ଛାକୃତ। ନିଜର ପରିବାର କେତେ ବଡ ହେବ, ଭରଣପୋଷଣ ପାଇଁ ପରିବାରର ଆର୍ଥିକ ସ୍ଥିତି କେମିତି ରହିବା ଉଚିତ୍ ଏସବୁ ପରିବାର ଲୋକଙ୍କୁ ସକ୍ଷମ କରିଥାଏ। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଏହି ଉତ୍ତର ବିଜେପି ନେତା ତଥା ଓକିଲ ଅଶ୍ଵିନୀ କୁମାର ଉପାଧ୍ୟାଙ୍କ ଦ୍ଵାରା ଦାଖଲ ଜନସ୍ଵାର୍ଥ ମାମଲା ଉପରେ ଦେଇଛନ୍ତି।  

ଅଶ୍ଵିନୀ କୁମାର ଉପାଧ୍ୟାୟଙ୍କ ଏହି ଆବେଦନ ଦିଲ୍ଲୀ ହାଇକୋର୍ଟର ଏକ ଆଦେଶକୁ ଚ୍ୟାଲେଞ୍ଜ ଦେଇଥିଲା। ଦେଶରେ ବଢୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଦୁଇ ଶିଶୁ ରଣନୀତି ସହିତ ଆଉ କିଛି ଦାବିକୁ କୋର୍ଟ ଖାଜର କରିଥିଲେ। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ମତରେ ସାର୍ବଜନୀନ ସ୍ଵାସ୍ଥ୍ୟ ରାଜ୍ୟର ବିଷୟ।

ମନ୍ତ୍ରଣାଳୟ କହିଛନ୍ତି, ରାଜ୍ୟ ସରକାରଙ୍କୁ ସ୍ଵାସ୍ଥ୍ୟ କ୍ଷେତ୍ରର ସୁଧାର ପ୍ରକ୍ରିୟାର ନେତୃତ୍ଵ କରିବା ଉଚିତ୍ ଯଦ୍ଵାରା ସାଧାରଣ ଜନତାଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯାଇ ପାରିବ। ସ୍ଵାସ୍ଥ୍ୟ କ୍ଷେତ୍ରରେ ସୁଧାର ପାଇଁ ନିର୍ଦ୍ଧାରିତ ଗାଇଡ୍‌ଲାଇନ୍‌ ଅନୁଯାୟୀ ଯୋଜନାକୁ ଲାଗୁ କରିବା ପାଇଁ ସମ୍ବନ୍ଧିତ ରାଜ୍ୟ ସରକାର ନେତୃତ୍ଵ ନେଇ ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.