କଲେଜିୟମର ପୂର୍ବ ନିଷ୍ପତ୍ତି ଉପରେ ଟିପ୍ପଣୀ କରିବା ଫ୍ୟାସନ ହୋଇଛି; ଆମେ ସବୁଠୁ ସ୍ୱଚ୍ଛ ଅନୁଷ୍ଠାନ -ସୁପ୍ରିମକୋର୍ଟ

Published By : Prameya-News7 Bureau | December 02, 2022 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି କଲେଜିୟମ ସିଷ୍ଟମ୍ ଠିକ୍ ଭାବରେ କାମ କରୁଛି, ଏହାକୁ ଲାଇନ ଚ୍ୟୁତ୍ ହେବାକୁ ଦିଅ ନାହିଁ । କଲେଜିୟମର ପୂର୍ବ ନିଷ୍ପତ୍ତି ଉପରେ ଟିପ୍ପଣୀ କରିବା ସେବାନିବୃତ୍ତ ଜଜଙ୍କ ପାଇଁ ଏକ ଫ୍ୟାସନ ହୋଇଯାଇଛି, ଯେତେବେଳେ କି କଲେଜିୟମ ସବୁଠୁ ସ୍ୱଚ୍ଛ ଅନୁଷ୍ଠାନ (most transparent institution) ଅଟେ । ଏପରି ସ୍ଥଳେ ପୂର୍ବତନ ଜଜଙ୍କ ବୟାନ ଉପରେ ଟିପ୍ପଣୀ କରିବାକୁ ଚାହୁଁ ନାହୁଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଜଷ୍ଟିସ ଏମଆର ଶାହ ଏବଂ ସିଟି ରବିକୁମାରଙ୍କ ଖଣ୍ଡପୀଠ କହିଛନ୍ତି ଯେ କଲେଜିୟମ ଅନ୍ୟର ବ୍ୟକ୍ତିଗତ ଜୀବନରେ ଅତ୍ୟଧିକ ରୁଚି ରଖୁଥିବା କୌଣସି ବ୍ୟକ୍ତିଙ୍କ ଆଧାରରେ କାମ କରୁ ନାହିଁ । ଆମକୁ ଆମ କର୍ତ୍ତବ୍ୟ ପାଳନ କରିବା ଦରକାର ଏବଂ କଲେଜିୟମକୁ ତାହାର କର୍ତ୍ତବ୍ୟ ଅନୁସାରେ କାମ କରିବାକୁ ଦେବା ଦରକାର । ଆମେ ସବୁଠୁ ସ୍ୱଚ୍ଛ ଅନୁଷ୍ଠାନ ଅଟୁ ।  

ଉଲ୍ଲେଖଯୋଗ୍ୟ, ଜଷ୍ଟିସ ଏମଆର ଶାହ ଏବଂ ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠ ଆରଟିଆଇ କର୍ମୀ ଅଞ୍ଜଳି ଭାରଦ୍ୱାଜଙ୍କ ଦିଲ୍ଲୀ ହାଇକୋର୍ଟଙ୍କ ଏକ ନିଷ୍ପତ୍ତି ବିରୋଧରେ ବିଶେଷ ଅନୁମତି ଯାଚିକା ଉପରେ ଶୁଣାଣି କରୁଥିଲେ । ଆରଟିଆଇ ଅଧିନରେ କଲେଜିୟମ ବୈଠକରେ ନିଆଯାଉଥିବା ନିଷ୍ପତ୍ତି ବାବଦରେ ତଥ୍ୟ ମଗାଯାଇଥିବା ଏକ ଯାଚିକାକୁ ହାଇକୋର୍ଟ ୨୦୧୮ ଡିସେମ୍ୱର ୧୨ରେ ଖାରଜ କରିଥିଲେ ।

ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ସେବାନିବୃତ୍ତ ଜଷ୍ଟିସ ମଦନ ବି ଲୋକୁର(୨୦୧୮ରେ ସୁପ୍ରିମକୋର୍ଟ କଲେଜିୟମର ସଦସ୍ୟ) କହିଥିଲେ ଯେ କଲେଜିୟମଙ୍କ ନିଷ୍ପତ୍ତି ଗୁଡିକ ମଧ୍ୟରୁ ଗୋଟିଏକୁ ସୁପ୍ରିମକୋର୍ଟଙ୍କ ୱେବସାଇଟରେ ଅପଲୋଡ୍ କରାଯିବା ଦରକାର ।

ଏହା ଉପରେ ଜଷ୍ଟିସ ଶାହ କହିଥିଲେ ଯେ ଆଜିକାଲି କଲେଜିୟମର ପୂର୍ବ ନିଷ୍ପତ୍ତି ଉପରେ ଟିପ୍ପଣୀ କରିବା ଫ୍ୟାସନ ହୋଇଛି । ଆମେ ଏହା ଉପରେ କିଛି କହିବାକୁ ଚାହୁଁ ନାହୁଁ । ୨୦୧୮ ଡିସେମ୍ୱର ୧୨ରେ ତତ୍କାଳୀନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ଜଜଙ୍କ ନିଯୁକ୍ତି ସମ୍ପର୍କରେ କିଛି ନିଷ୍ପତ୍ତି ନେଇଥିଲେ । ଜଷ୍ଟିସ ଲୋକୁର ମଧ୍ୟ ଏହି କଲେଜିୟମର ସଦସ୍ୟ ଥିଲେ । ବୈଠକ ପରେ ବିବରଣୀକୁ ୱେବସାଇଟରେ ଅପଲୋଡ୍ କରାଯାଇ ନଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପରେ ଏହି ନିଷ୍ପତ୍ତି ଗୁଡିକୁ ବଦଳାଇ ଦିଆଯାଇଥିଲା।

ଆଇନଜୀବୀ ପ୍ରଶାନ୍ତ ଭୂଷଣ ଯୁକ୍ତି ରଖିଥିଲେ ଯେ ଆବେଦନକାରୀ ତିନି ବିଶିଷ୍ଟ ଦସ୍ତାବିଜ ଦାବି କରିଛନ୍ତି । ଭୂଷଣଙ୍କ ଯୁକ୍ତି ଥିଲା ଯେ ସିଜେଆଇ ଏବଂ ସରକାରଙ୍କ ମଧ୍ୟରେ ସମସ୍ତ ଚିଠି ଏବଂ ମଖ୍ୟ ବିଚାରପତିଙ୍କ ମଧ୍ୟରେ ଚିଠି ଆରଟିଆଇ ଅଧିନରେ ଲୋକଙ୍କୁ ଉପଲବ୍ଧ ହେବା ଦରକାର, କାରଣ ଆରଟିଆଇ ମୌଳିକ ଅଧିକାର ଅଟେ । ପ୍ରଶାନ୍ତ ଭୂଷଣଙ୍କ ଯୁକ୍ତି ପରେ ଖଣ୍ଡପୀଠ ଏହି ମାମଲାରେ ରାୟକୁ ସଂରକ୍ଷିତ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.