ଆମକୁ ବ୍ରିଟେନରେ ଡର ଲାଗୁଛି...ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କୁ ଚିଠି ଲେଖିଲେ ୧୮୦ ହିନ୍ଦୁ ସଂଗଠନ

Published By : Prameya-News7 Bureau | October 15, 2022 IST

ନୂଆଦିଲ୍ଲୀ: ଆମକୁ ବ୍ରିଟେନ୍‌ରେ ଡର ଲାଗୁଛି। ଏଠାରେ ଆମ ଜୀବନ ପ୍ରତି ବିପଦ ରହିଛି। ଆମକୁ ସୁରକ୍ଷା ଦିଅ। ଏମିତି କହି ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କୁ ଚିଠି ଲେଖିଛନ୍ତି ବ୍ରିଟେନ୍‌ରେ ବଡ ସଂଖ୍ୟାରେ ଭାରତୀୟ, ହିନ୍ଦୁ ସଂଗଠନ ଏବଂ ମନ୍ଦିର କର୍ତ୍ତୃପକ୍ଷ। ଚିଠିରେ ଲିଷ୍ଟର ଏବଂ ବର୍ମିଂହାମରେ ଘଟିଥିବା ଘଟଣାର ଉଲ୍ଲେଖ କରିଛନ୍ତି। ଏଥିସହ ଭାରତୀୟ ଏବଂ ହିନ୍ଦୁ ସଂଗଠନର ସୁରକ୍ଷା ସୁନିଶ୍ଚିତ କରାଯାଉ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରାଯାଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଜରିଆରେ ମୋଟ୍ ଛଅଟି ଅପିଲ୍ କରାଯାଇଛି।

ଚିଠିରେ ଲେଖା ହୋଇଛି, ଆମେ ଲିଷ୍ଟର, ବର୍ମିଂହାମ ଏବଂ ଅନ୍ୟ ସହରରେ ଘଟିଥିବା ଘଟଣା ବିଷୟରେ ଆପଣଙ୍କ ଧ୍ୟାନ ଆକର୍ଷିତ କରିବାକୁ ଚାହୁଁଛୁ। ଏହି ସବୁ ଘଟଣା ବ୍ରିଟେନରେ ରହୁଥିବା ଭାରତୀୟ ଏବଂ ହିନ୍ଦୁ ସମୁଦାୟଙ୍କୁ ବ୍ୟଥିତ କରିଛି।  ହିନ୍ଦୁ ସଂପ୍ରଦାୟଙ୍କ ପ୍ରତି ଘୃଣାଭାବ ଅଧିକ ବଢି ସାରିଛି। ହିନ୍ଦୁଙ୍କ ବିରୋଧରେ ଗାଳିଗୁଲଜ, ଶାରୀରିକ ହିଂସା, ସାମାଜିକ ଗଣମାଧ୍ୟମରେ ମାନସିକ ନିର୍ଯ୍ୟାତନା ପରେ ଏବେ ସ୍କୁଲ ଏବଂ କାର୍ଯ୍ୟସ୍ଥଳରେ ଟାର୍ଗେଟ୍ କରାଯାଉଛି। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରୁଛୁ ଯେ, ସେ ସାଂପ୍ରତିକ ସ୍ଥିତିକୁ ଦେଖି ସଠିକ୍ ନିର୍ଣ୍ଣୟ ନିଅନ୍ତୁ ଏବଂ ବ୍ରିଟିଶ-ଭାରତୀୟଙ୍କ ଭୟକୁ ଦୂର କରିବା ଦିଗରେ ଠୋସ୍ ପଦକ୍ଷେପ ନିଅନ୍ତୁ।

ଏହି ଚିଠି ଲେଖିଥିବା ବିଭିନ୍ନ ସଂଗଠନରେ ହିନ୍ଦୁ ମନ୍ଦିର ରାଷ୍ଟ୍ରୀୟ ପରିଷଦ, ବିଏପିଏସ ଶ୍ରୀ ସ୍ଵାମୀନାରାୟଣ ସଂସ୍ଥା ୟୁକେ, ଇଣ୍ଡିଆନ ନ୍ୟାସନାଲ ଷ୍ଟୁଡେଣ୍ଟ୍ସ ଆସୋସିଏସନ ୟୁକେ, ଇସ୍କନ ମାଞ୍ଚେଷ୍ଟର, ଓଭରସିସ୍ ଫ୍ରେଣ୍ଡ୍ସ ଅଫ ବିଜେପି(ୟୁକେ), ହିନ୍ଦୁ ଲୟର୍ସ ଆସୋସିଏସନ(ୟୁକେ) ଆଦି ସାମିଲ୍। ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ହିନ୍ଦୁ ସମୁଦାୟ ପ୍ରାୟ ଅଧା ଶତାବ୍ଦୀରୁ ବ୍ରିଟେନକୁ ନିଜର ଘର କରି ରଖିଛନ୍ତି। ଆମେ ଦେଶର ଜନସଂଖ୍ୟାରେ ଦୁଇ ପ୍ରତିଶତରୁ ବି କମ ହେବୁ। ତଥାପି ଆମର ଯୋଗଦାନ ମହତ୍ଵପୂର୍ଣ୍ଣ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.