ବନ ବିଭାଗର ନିଦ ହଜାଇଲାଣି ସୁନ୍ଦରୀ ; ଅନୁଗୁଳରେ ଡବ୍ଲୁସିସିବି ଟିମ୍

Published By : Prameya-News7 Bureau | September 16, 2018 IST

ଅନୁଗୁଳ ୧୬|୯: ସାତକୋଶିଆରେ ସୁନ୍ଦରୀ ବାଘୁଣୀ ପାଇଁ ବନବିଭାଗର ନିଦ ହଜି ଯାଇଛି । ବାଘୁଣୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ ପରେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଅସନ୍ତୋଷ କୁହୁଳୁଛି । ତେଣୁ ବାଘର ସୁରକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଛି । ବାଘୁଣୀକୁ ସାତକୋଶିଆରେ ରଖାଯିବ ନା ମଧ୍ୟପ୍ରଦେଶ ଫେରାଇ ନିଆଯିବ ସେନେଇ ନିଷ୍ପତ୍ତି ନିଆଯାଇପାରିନି । ଗତକାଲି ପିସିସିଏଫ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏପଟେ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସଦସ୍ୟ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ସ୍ଥାନୀୟ ହାତିବାଡିରେ ହୋଇଥିବା ମହିଳାଙ୍କ ମୃତ୍ୟୁର ତଦନ୍ତ ପାଇଁ ଡବ୍ଲୁସିସିବିର କ୍ରାଇମବ୍ରାଞ୍ଚ, ସିଆଇଡି ଏବଂ ସ୍ପେସାଲ ଇନଭେଷ୍ଟିଗେସନ୍ ଟିମ୍ ଅନୁଗୁଳ ଆସି ପହଞ୍ଚିଛନ୍ତି । ଏଥି ସହ ଟିକରପଡାରେ ସ୍ଥାନୀୟ ଲୋକଙ୍କ ଦ୍ବାରା ବନବିଭାଗରେ ହୋଇଥିବା କ୍ଷୟକ୍ଷତି ଆକଳନ ପାଇଁ ଆଉ ଏକ ଟିମ ଯାଇଛନ୍ତି । ସୁନ୍ଦରୀ ବାଘୁଣୀର ଗତିବିଧି ଉପରେ ନଜର ରଖିବା ସହ ସୁରକ୍ଷିତ ସ୍ଥାନରେ ତାକୁ କିପରି କାବୁ କରାଯିବ ସେନେଇ ଅନୁଗୁଳରେ ଏକ ଟିମ୍ ପହଞ୍ଚିଛି । ସୁନ୍ଦରୀର ଗତିବିଧି, ଆଚରଣ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ । ସୁନ୍ଦରୀ ଉପରେ ନଜର ରଖିବାକୁ ୨ଟି ଟିମ୍ ଗଠନ କରାଯାଇଛି । ଏବେ ସୁନ୍ଦରୀ ବନଖଣ୍ଡର ଘଞ୍ଚ ଜଙ୍ଗଲରେ ବୁଲୁଥିବା ବନବିଭାଗ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.