କୋଲକାତା ୭।୯: ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତା ତଥା ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମସ୍ୟା ବଢିପାରେ। ବଡିଗାର୍ଡ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଆସ୍ୱସ୍ତିର ଦିନକ ପରେ ରାଜ୍ୟ ସରକାର ଡିଭିଜନ ବେଞ୍ଚରେ ମାମଲା ରୁଜୁ କରିଛନ୍ତି। ସେପ୍ଟେମ୍ବର ୮ ତାରିଖରେ ଏହାର ଶୁଣାଣି ହେବ।
ମାମଲାରେ କୋଲକାତା ହାଇକୋର୍ଟ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ନ କରିବାକୁ ସୋମବାର ଆଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏକକ ବେଞ୍ଚଙ୍କ ଏହି ଆଦେଶକୁ ମଙ୍ଗଳବାର ରାଜ୍ୟ ସରକାର ଡିଭିଜନ ବେଞ୍ଚରେ ଚାଲେଞ୍ଜ କରିଛନ୍ତି। ଯଦି ପ୍ରସଙ୍ଗରେ ଡିଭିଜନ ବେଞ୍ଚଙ୍କ ରାୟ ଓଲଟିଲା ତେବେ ଅଧିକାରୀଙ୍କ ସମସ୍ୟା ବଢ଼ିବା ନିଶ୍ଚିତ ବୋଲି କୁହାଯାଇଛି।
ରାଜ୍ୟ ସରକାର ଏକକ ବେଞ୍ଚଙ୍କ ରାୟକୁ ଚାଲେଞ୍ଜ କରିବା ସହ ଅଧିକାରୀଙ୍କୁ କାହିଁକି ରକ୍ଷା କବଚ ଦିଆଯାଉଛି ବୋଲି ଆବେଦନରେ ପ୍ରଶ୍ନ ଉଠାଇଛନ୍ତି। ସୋମବାର ଏକକ ବେଞ୍ଚ ବିଚାରପତି ଜଷ୍ଟିସ୍ ରାଜଶେଖର ମନ୍ଥର ବଡି ଗାର୍ଡ ହତ୍ୟା ସମେତ ଅଧିକାରୀଙ୍କ ବିରୋଧରେ ଆଗତ ୩ଟିଜାକ ମାମଲାରେ ରହିତାଦେଶ ଜାରି କରିଥିଲେ। ସେହିପରି ଅଧିକାରୀଙ୍କ ବିରୋଧରେ କୌଣସି ପ୍ରକାରର ବଡ଼ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ବାରଣ କରିଥିଲେ। ଏଥିରେ ଯଦି ତାଙ୍କ ବିରୋଧରେ ପୁଣି ଏତଲା ରୁଜୁ କରାଯାଏ ସେ ବାବଦେ କୋର୍ଟଙ୍କୁ ଜଣାଇବା ପରେ ରୁଜୁ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।
ଏବେ ଏହି ଆଦେଶକୁ ରାଜ୍ୟ ସରକାର ଡିଭିଜନ ବେଞ୍ଚରେ ଚାଲେଞ୍ଜ କରିଛନ୍ତି। ବୁଧବାର ଏହାର ଶୁଣାଣି ହେବ। ଉଲ୍ଲେଖ ଯୋଗ୍ୟଯେ ଶୁଭେନ୍ଦୁ ଅଧିକାରୀଙ୍କୁ ବଡି ଗାର୍ଡ ଶୁଭବ୍ରତ ଚକ୍ରବର୍ତ୍ତି ହତ୍ୟା ମାମଲାରେ ସିଆଇଡି ତଲବ କରିଥିଲା। ତେବେ ଇ-ମେଲ କରି ହାଜର ହୋଇପାରିବେନି ବୋଲି ଅଧିକାରୀ ସୂଚିତ କରିଥିଲେ।