ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନେଇ ପିଏମ୍ ମୋଦିଙ୍କୁ ଚିଠି ଲେଖିଲେ ମମତା: ଟ୍ୟାକ୍ସ କମ୍ କରିବାକୁ ଦାବି

Published By : Prameya-News7 Bureau | July 05, 2021 IST

କୋଲକାତା ୦୫/୦୭ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ର ତରଫରୁ ପେଟ୍ରୋଲ ଓ ଡିଜେଲ ଉପରେ ନିଆଯାଇଥିବା ଟ୍ୟାକ୍ସ କମ କରିବାକୁ ସେ ଦାବି କରିଛନ୍ତି। ଏହାସହ ଦେଶରେ ମୁଣ୍ଡ ଟେକିଥିବା ମହଙ୍ଗା ଦର ପ୍ରତି ଟିକେ ଧ୍ୟାନ ଦେବାକୁ ସେ ମୋଦିଙ୍କୁ ଅପିଲ କରିଛନ୍ତି।

ଚିଠିରେ ମମତା ଲେଖିଛନ୍ତି ଯେ ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର କରିଛି। ମେ' ୪ ତାରିଖ ପରେ ପେଟ୍ରୋଲ ଡିଜେଲ ଦର ୮ଥର ବୃଦ୍ଧି ହେଲାଣି। ଜୁନରେ ୬ଥର ଓ ଗୋଟିଏ ସପ୍ତାହରେ ୪ଥର ଦର ବୃଦ୍ଧି ହୋଇଛି। ଦର ବୃଦ୍ଧି ଯୋଗୁଁ ସାଧାରଣ ଜନତା ଚିନ୍ତିତ ବୋଲି ସେ ଚିଠିରେ ଲେଖିଛନ୍ତି।

ମମତା କହିଛନ୍ତି, ୨୦୧୪-୧୫ ରେ ଆପଣଙ୍କ ସରକାର, ଭାରତ ସରକାରଙ୍କ ତୈଳ ଓ ପେଟ୍ରୋଲିୟମ ଉତ୍ପାଦରୁ ହେଉଥିବା ଟ୍ୟାକ୍ସ କଲେକ୍ସନରେ ୩୭୦ ପ୍ରତିସର ବୃଦ୍ଧି ପାଇଛି। ପଶ୍ଚିମବଙ୍ଗ ସରକାର ସାଧାରଣ ଜନତାଙ୍କ ପ୍ରତି ସହାନୁଭୂତି ଦେଖାଇ ପେଟ୍ରୋଲ ଡିଜେଲ ଦର ରିହାତି ଦେଇଛନ୍ତି। ଏପଟେ ମମତାଙ୍କ ଦଳ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧିକୁ ନେଇ ସମଗ୍ର ରାଜ୍ୟରେ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦର ବୃଦ୍ଧି ବିରୋଧରେ ରାଜ୍ୟରେ ଜୁଲାଇ ୧୦ ଓ ୧୧ ତାରିଖରେ ସକାଳ ୧୧ଟା ରୁ ସନ୍ଧ୍ୟା ୪ଟା ଯାଏଁ ଟିଏମସି ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି। ପ୍ରଦର୍ଶନ ବେଳେ କୋଭିଡ ନିୟମ ପାଳନ କରାଯିବ।

ସୋମବାର ଦିନ କୋଲକାତାରେ ପେଟ୍ରୋଲ ଲିଟର ପିଛା ୯୯.୮୪ ଟଙ୍କା ରହିଛି। ବିନା ସବସିଡି ଘରୋଇ ଏଲ୍ପିଜି ସିଲିଣ୍ଡର ୨୫ ଟଙ୍କା ବୃଦ୍ଧି ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.