ମାଲକାନଗିରିରେ ସ୍ଥିତି ସଙ୍ଗୀନ : ଫୁଲୁଛି ସାବେରୀ ନଦୀ, ମୋଟୁ ତହସିଲର ୬ଟି ଗାଁ ଜଳମଗ୍ନ
18/08/2020 at 7:49 AM

ମାଲକାନଗିରି ୧୮।୮: ବନ୍ୟାରେ ବୁଡି ଯାଇଛି ମୋଟୁ । ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ସିଲେରୁ ସାବେରୀ ନଦୀର ପାଣି ଫୁଲିବା ଯୋଗୁଁ ମୋଟୁ ତହସିଲର ୬ଟି ଗାଁ ଜଳମଗ୍ନ ହୋଇଛି । ରାଜ୍ୟର ଶେଷ ସୀମା ମୋଟୁ ମୁଗି ପଏଣ୍ଟରେ ୭ ଫୁଟ ରହିଛି ।

ବନ୍ୟା ପାଣି ଯୋଗୁଁ ପୁରୁଣା ମୋଟୁ, ବିନାୟକପୁର, ଆଲମା, ପେଟା, ମୁରାଳିଗୁଡା ଓ ଜିଲେନଗୁଡା ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି । ଶହ ଶହ ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଛି । ଲୋକଙ୍କୁ ଉଦ୍ଧାର କରାଯାଇ ମୋଟୁ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି ।

ଗୋଦାବରୀ ନଦୀରେ ଜଳସ୍ତର ବଢୁଥିବାରୁ ମୋଟୁ ଅଞ୍ଚଳରେ ଆହୁରି ଅଧିକ ବନ୍ୟା ପରିସ୍ଥିତି ହେବାର ଆଶଙ୍କା ରହିଛି । ଆନ୍ଧ୍ରପ୍ରଦେଶର ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ମୋଟୁ ଅଞ୍ଚଳ ବୁଡ ଥିବା ଜଣାପଡିଛି । ବନ୍ୟାରେ ଜିଲ୍ଲାର କାଲିମେଳା ଓ ପଡିଆ ବ୍ଲକ୍ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।

ତେଣୁ ଆଜି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ମାଲକାନଗିରି ଜିଲ୍ଲା ଗସ୍ତ କରି ଆକାଶ ମାର୍ଗରୁ ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ପରେ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।