ଆମେରିକାରେ ପ୍ରକୃତିର ତାଣ୍ଡବ: ଭୀଷଣ ତୁଷାରପାତରେ ୬୦ରୁ ଉର୍ଦ୍ଧ୍ଵ ମୃତ, ଗାଡି ଚଳାଚଳ ଉପରେ ଲାଗିଲା ରୋକ୍
28/12/2022 at 10:28 AM

ନୂଆଦିଲ୍ଲୀ: ତୁଷାରପାତରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ଆମେରିକା। ବରଫ ଝଡର ପ୍ରକୋପ ଏତେ ମାତ୍ରାରେ ଜାରି ରହିଛି ଯେ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ଏପରିକି ଗତ ସୋମବାର ପୂରା ଆମେରିକାରେ ୩୮୦୦ରୁ ଅଧିକ ଉଡାଣ ରଦ୍ଦ ହୋଇ ସାରିଛି। ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ୭୦ ପ୍ରତିଶତ ଉଡାଣ ବାତିଲ୍ କରାଗଲାଣି। ବରଫପାତରେ ସବୁ ପ୍ରକାରର ପରିବହନ ସେବା ପ୍ରଭାବିତ ହୋଇଛି। ଭୀଷଣ ତୁଷାରପାତରେ ରାସ୍ତାଘାଟ ବନ୍ଦ ହୋଇ ଯାଇଛି।
ଯେଉଁ ଅଞ୍ଚଳରେ ତୁଷାରପାତ ଚରମରେ ରହିଛି ସେଠାରେ ଗାଡିଚାଳନା ଉପରେ କଟକଣା ଲାଗୁ କରାଯାଇଛି। ପୁରା ଆମେରିକା ବରଫର ମୋଟା ଆସ୍ତରଣରେ ଢାଙ୍କି ହୋଇ ଯାଇଛି। ସାମାଜିକ ଗଣମାଧ୍ୟମରେ ଏହା ଫଟୋ ଭାଇରାଲ୍ ହେବାରେ ଲାଗିଛି। ଆମେରିକାର ଟେନେସିରେ ସୋମବାର ଏକ ଝରଣା ୯୦ ପ୍ରତିଶତ ବରଫରେ ପରିଣତ ହୋଇ ସାରିଛି।

ଆମେରିକାରେ ପ୍ରକୃତିର ତାଣ୍ଡବ ଏମିତି ରହିଛି ଯେ, ଭୟାନକ ଥଣ୍ଡାରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଚାରିଆଡେ ବରଫର ମୋଟା ଆସ୍ତରଣରେ ଜନଜୀବନ ଅଟକି ଯାଇଛି। ଗୋଟିଏ ପଟେ ଲୋକେ ଘରୁ ଗୋଡ କାଢି ପାରୁନଥିବା ବେଳେ ଅନ୍ୟପଟେ ଗାଡିଗୁଡିକରୁ ମୃତଦେହ ଦେଖିବାକୁ ମିଳିଛି।
ଅନ୍ୟପଟେ ଉତ୍ତର ଭାରତରେ ମଧ୍ୟ ଭୀଷଣ ଥଣ୍ଡା ଲହରି ଜାରି ରହିଛି। ତେବେ ଆମେରିକା ଏବଂ ଜାପାନରେ ଭୀଷଣ ତୁଷାରପାତ ଜାରି ରହିଛି। ନ୍ୟାସନାଲ ଓ୍ଵେଦର ସର୍ଭିସ ମୁତାବକ, ଫ୍ଲୋରିଡାର ମିୟାମି, ଥମ୍ପା, ଆରଲେଣ୍ଡୋ ଏବଂ ଓ୍ଵେଷ୍ଟ ପାଲ୍ମରେ ପାରଦ ଏତେ ତଳକୁ ଖସିଛି ଯେ, ଯାହା ୧୯୮୩ ପରଠୁ ସବୁଠୁ କମ ରହିଛି।

ଆମେରିକାରେ ତୁରଷାପାତ କାରଣରୁ ସାତ ଲକ୍ଷରୁ ଅଧିକ ଘରମାନଙ୍କରେ ବିଜୁଳି ସେବା ଠପ୍ ହୋଇ ଯାଇଛି। ଥଣ୍ଡାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ନ୍ୟୁୟର୍କର ବଫେଲୋ ଅଞ୍ଚଳ। ଏଠାରେ ୪୩ ଇଞ୍ଚର ବରଫ ଆସ୍ତରଣ ଜମି ରହିଛି। ଲୋକଙ୍କୁ ଚାଲିବା ମୁସ୍କିଲ ହୋଇ ପଡିଛି। ପାଓ୍ଵରଷ୍ଟେସନରେ ବରଫଝଡ କାରଣରୁ ବିଜୁଳି ସେବା ପ୍ରଭାବିତ ହୋଇଛି। ଏଠାରେ ପ୍ରଚଣ୍ଡ ଶୀତରେ ୧୦ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି।