ଲଗାଣ ବର୍ଷାରେ କନ୍ଧମାଳ ବେହାଲ, ଡାକପାଲା ପୋଲ ଉପରେ ଦୁଇ-ତିନି ଫୁଟ ଉଚ୍ଚରେ ଚାଲୁଛି ପାଣି

Published By : Prameya-News7 Bureau | August 14, 2022 IST

ଫୁଲବାଣୀ, ୧୪/୦୮ : ଗତ ଦୁଇ-ତିନି ଦିନ ଧରି ଲଗାଣ ବର୍ଷାରେ କନ୍ଧମାଳ ବେହାଲ ହୋଇପଡିଛି l ଜିଲ୍ଲାରେ ଥିବା ବିଭିନ୍ନ ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି l ଫୁଲବାଣୀ ସହର ଦେଇ ବୋହି ଯାଇଥିବା ସଲୁଙ୍କି ନଦୀରେ ବନ୍ୟାପାଣି ଆସିବା ଯୋଗୁଁ ଡାକପାଲା ପୋଲ ଉପରେ ଦୁଇ ତିନି ଫୁଟ ଉଚ୍ଚରେ ପାଣି ଚାଲୁଥିବା ଯୋଗୁଁ ନଦୀଖଣ୍ଡି ସାହି ଓ ଡାକପାଲା ବିଚ୍ଛିନ୍ନ ହୋଇଛି l ଗତ ରାତିଠାରୁ ଲଗାଣ ବର୍ଷା ଯୋଗୁଁ ଫୁଲବାଣୀ ସହର ରାସ୍ତାରେ ମଧ୍ୟ ଦୁଇ ଫୁଟର ପାଣି ଚାଲିବାର ଦେଖିବାକୁ ମିଳିଛି l

ଫୁଲବାଣୀର ମାଷ୍ଟ୍ର ପଡ଼l, ନଦୀଖଣ୍ଡି, ପ୍ରକୃତି ବିହାର, ଆଦି ବିଭିନ୍ନ ସାହିରେ କେଉଁଠି କେଉଁଠି ଘରେ ମଧ୍ୟ ପାଣି ପଶିବାର ଦେଖିବାକୁ ମିଳିଛି l ଜିଲ୍ଲାର ବିଭିନ୍ନ ବ୍ଲକରେ କେତକ କଚ୍ଚା ଘର କାନ୍ଥ ମଧ୍ୟ ଭୁଷୁଡ଼ି ପଡିଥିବା ଖବର ମିଳିଛି l ଗତକାଲି ଜିଲ୍ଲାର ଫିରିଙ୍ଗିଆ ବ୍ଲକରେ ସର୍ବାଧିକ ୧୬୧.୬ ମି ମି ବର୍ଷା ହୋଇଥିବା ବେଳେ ଫୁଲବାଣୀରେ, ୮୦ ମିମି, କ. ନୂଆଗାଁରେ ୭୬ ମିମି, ବାଲିଗୁଡାରେ ୬୫ ମିମି, ରାଇକିଆ ୬୨ ମିମି, ବର୍ଷା ହୋଇଥିବାବେଳେ ଅନ୍ୟ ସବୁ ସ୍ଥାନରେ କମ ପରିମାଣ ବର୍ଷା ହୋଇଥିବା ରେକର୍ଡ କରାଯାଇଛି l ବନ୍ୟା ଉପରେ ପ୍ରଶାସନ ସତର୍କ ଦୃଷ୍ଟି ରଖିଛି । ଆବଶ୍ୟକ ସ୍ଥଳେ ପାଣି ଘେରରେ ଥିବା ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା କରାଯାଇଛି । ପ୍ରତି ବ୍ଲକ ଓ ତହସିଲ ଅଂଚଳରେ କଣ୍ଟ୍ରୋଲ ରୁମ ଖୋଲାଥିବା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ କହିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.