ଲଗାଣ ବର୍ଷାରେ ବେହାଲ ପୁରୀ ସହର ; ଜଳବନ୍ଦୀ ରହିଛନ୍ତି ହଜାର ହଜାର ଲୋକ

Published By : Prameya-News7 Bureau | September 06, 2018 IST

ପୁରୀ ୬|୯: ଲଗାଣ ବର୍ଷା ଯୋଗୁଁ ପୁରୀ ସହରର ତଳି ଅଞ୍ଚଳରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି । ଦୀର୍ଘ ୨ ମାସ ଧରି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ପ୍ରାୟ ୧୫ ହଜାରରୁ ଅଧିକ ଲୋକେ । ଛାତିଏ ପାଣିରେ ବୁଡ଼ି ଯିବା ଆସିବା କରୁଛନ୍ତି ଲୋକେ । ତେବେ ସ୍ପଟ୍ ଭିଜିଟ୍ କରିବା ସହ ଖୁବ୍ ଶୀଘ୍ର ଜଳ ନିସ୍କାସନ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ । ବର୍ଷାଜଳରେ ବୁଡ଼ି ରହିଛି ପୁରୀ ସହରର ସୁଜାତା ନଗର, ମାଟିତୋଟା, ମୁକୁନ୍ଦ ମିଶ୍ର ନଗର, ଗୋପିନାଥପୁର, ଜେଟିପି କଲୋନୀ ଏବଂ ତଳ ନୂଆସାହି । ପ୍ରାୟ ୧୫ ହଜାରରୁ ଅଧିକ ଲୋକ ଦୀର୍ଘ ୨ ମାସ ହେଲାଣି ଏମିତି ଜଳବନ୍ଦୀ ହୋଇ ରହିଛନ୍ତି । ଗୁରୁତର ସମସ୍ୟା ଘେରରେ ଥିବା ଏଠାକାର ବାସିନ୍ଦା, ଜଳ ନିଷ୍କାସନ ପାଇଁ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରି ଆସୁଥିଲେ ମଧ୍ୟ କିଛି ବି ପ୍ରଭାବ ପଡ଼ିନଥିଲା । ଏବେ ଆକ୍ସନକୁ ଆସିଛି ଜିଲ୍ଲା ପ୍ରଶାସନ । ଝିପ୍ ଝିପ୍ ବର୍ଷା ସତ୍ବେ ବୁଧବାର ସନ୍ଧ୍ୟାରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଡ଼ାକି ଆଲୋଚନା କରିବା ସହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ । ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା ସହ ସ୍ଥାୟୀ ପ୍ରତିକାର କରାଯିବା ନେଇ ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ପାଖରେ ଥିବା ନ୍ୟାସନାଲ ହାଇଓ୍ବେକୁ କଟାଯାଇ ପାଣି ନିସ୍କାସନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସଂପୃକ୍ତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ଦୁର୍ଦ୍ଦଶା ଦେଖିବା ପରେ ତୁରନ୍ତ ସେମାନଙ୍କୁ ସ୍ବାସ୍ଥ୍ୟସେବା, ଖାଦ୍ୟପଦାର୍ଥ ସହ ଅତ୍ୟାବଶ୍ୟକୀୟ ସାହାଯ୍ୟ ଯୋଗାଇ ଦେବା ପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.