ବୃଦ୍ଧିପାଉଛି କାବେରୀ ନଦୀର ଜଳସ୍ତର, ୧୧ ଜିଲ୍ଲା ପାଇଁ ବଢିଲା ବନ୍ୟା ଆଶଙ୍କା

Published By : Prameya-News7 Bureau | October 19, 2022 IST

ତାମିଲନାଡୁ ୧୯/୧୦: ତାମିଲନାଡୁରେ କାବେରୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ରାଜ୍ୟର ୧୧ ଜିଲ୍ଲା ପାଇଁ ବନ୍ୟା ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଡ୍ୟାମରୁ ଜଳ ନିଷ୍କାସନ ପାଇଁ ଗେଟ ଖୋଲାଯାଉଛି । ମେଟ୍ଟୁରର ଷ୍ଟାନଲେ ଜଳ ଭଣ୍ଡାରରୁ ଦେଢ଼ଲକ୍ଷ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ଯେହେତୁ ନଦୀକୁ ଜଳ ପ୍ରବାହ ବଢୁଛି ତେଣୁ ଅଧିକ ଜଳ ମଧ୍ୟ ଛଡ଼ାଯିବାର ଆଶଙ୍କା ରହିଛି । ତେଣୁ କାବେରୀ ନଦୀକୂଳିଆ ଅଞ୍ଚଳ ପାଇଁ ବନ୍ୟା ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି ।

ପଶ୍ଚିମଘାଟର କୁର୍ଗରୁ ବାହାରିଥିବା କାବେରୀ ନଦୀ କର୍ଣ୍ଣାଟକ ଏବଂ ତାମିଲନାଡୁ ଦେଇ ପ୍ରବାହିତ ହେଉଛି। ତେବେ ତଳ ଅଞ୍ଚଳ ପାଇଁ ବନ୍ୟା ଆଶଙ୍କା ବଢ଼ିବାରେ ଲାଗିଛି। ତାମିଲନାଡୁର ତ୍ରିଚି, ସାଲେମ, କରୁର, ଇରୋଡ, ନାମକ୍କାଲ, ଆରିୟାଲୁର, ତାଞ୍ଜାଭୁର , ତିରୁଭାରୁର, ମୈଲାଦୁତୁରାଇ, ନାଗପଟ୍ଟିନମ ଏବଂ କ୍ୟୁଡାଲୋର ଜିଲ୍ଲା ପାଇଁ ବନ୍ୟା ଆଲର୍ଟ ଜାରି କରାଯାଇଛି ।

ନଦୀକୂଳିଆ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେହିପରି ନଦୀରେ ବୁଡ଼ ପକାଇବା ପାଇଁ ଥିବା ତୀର୍ଥସ୍ଥଳଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯଇଛି । ଜିଲ୍ଲା ପ୍ରଶାସନକୁ ସତର୍କ ରହିବା ଲାଗି କୁହାଯାଇଛି। କାବେରୀ ସହିତ କୋଲିଡାମରେ ମଧ୍ୟ ବନ୍ୟା ଜଳ ବଢ଼ିବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.