ହୀରାକୁଦ ଜଳଭଣ୍ଡାର ଗେଟ୍ ଖୋଲିବା ପରେ ବଢ଼ିଲା ମହାନଦୀର ଜଳସ୍ତର, ନଦୀକୂଳିଆ ଲୋକେ ଆତଙ୍କିତ

Published By : Prameya-News7 Bureau | August 13, 2022 IST

ବୌଦ୍ଧ ୧୩।୮: ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ବୌଦ୍ଧ ଜିଲ୍ଲାରେ ମଧ୍ୟ ଗତ ୪ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ଶୁକ୍ରବାରଠାରୁ ହରଭଙ୍ଗାରୁ ଆରମ୍ଭ କରି କଣ୍ଟାମାଳ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗିରହିଛି । ସେହିପରି ବୌଦ୍ଧ ସହରର ବିଭିନ୍ନ ତଳିଆ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଛି । କେଉଁଠି କାହା ଘର ଭିତରେ ପାଣି ପଶିଲାଣି ତ କେଉଁଠି ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣିର ସୁଅ ଦେଖିବାକୁ ମିଳିଥିଲା । ବିଶେଷକରି ଜିଲ୍ଲାର ପ୍ରବାହିତ ବଡ ନଦୀ ମହାନଦୀର ଜଳ ପତ୍ତନ ବୃଦ୍ଧି ପାଇବାରେ ଲଗିଛି । ବର୍ତ୍ତମାନ ମହାନଦୀର ଜଳସ୍ତର ୮୫.୯୫ରେ ପ୍ରବାହିତ ହେଉଛି ଏବଂ ଘଣ୍ଟା ପ୍ରତି ୨ ମିଟର ଜଳସ୍ତର ବୃଦ୍ଧି ପାଉଥିବା ଆକଳନ କରାଯାଉଛି ।

ସେପଟେ ଜିଲ୍ଲାରେ ୧୧୩.୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବୌଦ୍ଧ ସହରରେ ବିଭିନ୍ନ ବସ୍ତି ଓ ପଡାମାନଙ୍କରେ ବର୍ଷା ଜଳ ଜମି ରହିଛି । ଯାହା ଫଳରେ ବସ୍ତିବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡିଛି ।

ସେପଟେ ହୀରାକୁଦରେ ଗେଟ୍ ଖୋଲିବା ପରେ ମହାନଦୀରେ ଧୀରେ ଧୀରେ ଜଳ ପତ୍ତନ ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରିଥିବା ଜଣାପଡିଛି । ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯିବା ସହିତ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.