ଜଗତସିଂହପୁରରେ ମହାନଦୀ ଓ ଦେବୀ ନଦୀର ଜଳସ୍ତର ବୃଦ୍ଧି, ଦଳେଇ ଘାଇ ନିକଟରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ

Published By : Prameya-News7 Bureau | August 16, 2022 IST

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ମହାନଦୀ ଓ ଦେବୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି । ସୋମବାର ସନ୍ଧ୍ୟାରୁ ବନ୍ୟାଜଳ ହୁ ହୁ ହୋଇ ବୃଦ୍ଧି ପାଇବା ଫଳରେ ଆହୁରି ଅନେକ ସ୍ଥାନରେ ରାସ୍ତା ବୁଡିବା ଯୋଗୁଁ ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜିଲ୍ଲାର ତିର୍ତ୍ତୋଲ ନିକଟରେ ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଇବାରୁ ରାସ୍ତାରେ ବନ୍ୟାପାଣି ପ୍ରବାହିତ ହେବାରେ ଲାଗିଛି । ଫଳରେ ୫ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।

ସେହିପରି ଦେବୀ ନଦୀର ଦଳେଇ ଘାଇ ନିକଟରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଫଳରେ ଏହି ଅଞ୍ଚଳର ଲୋକେ ଆଶଙ୍କା ଭିତରେ ରହିଛନ୍ତି । ଏଥିସହିତ ଉତ୍ତର ଶାସନ ଗାଁରେ ପାଣି ପଶିବା ଯୋଗୁଁ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ସୋମବାର ରାତିରୁ ଆଶ୍ରୟସ୍ଥଳକୁ ଅଣାଯାଇଛି । ତେବେ ଜଗତସିଂହପୁର ବ୍ଲକ୍ ମୁଣ୍ଡିଲୋ ଗାଁର ୨୦ ପରିବାର ଜଳବନ୍ଦୀ ହୋଇ ରହିଥିବା ବେଳେ ସେମାନଙ୍କ ପାଖରେ ପ୍ରଶାସନ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି ।

ଦେବୀ ନଦୀ ବନ୍ଧର ଯାହାନପୁର ନିକଟରେ ବନ୍ଧରୁ ମାଟି ଅତଡା ଖସୁଥିବାରୁ ଉକ୍ତ ଅଞ୍ଚଳର ଲୋକେ ଭୟଭୀତ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ତିର୍ତ୍ତୋଲ, କୁଜଙ୍ଗ ଓ ବିରିଡି ବ୍ଲକରୁ ସୋମବାର ରାତି ସୁଦ୍ଧା ୫ଶହରୁ ଅଧିକ ବିପନ୍ନଙ୍କୁ ଜଳବନ୍ଦୀରୁ ଉଦ୍ଧାର କରାଯାଇ ବିଭିନ୍ନ ଆଶ୍ରୟସ୍ଥଳରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.