କମୁଛି ବୈତରଣୀ, କିନ୍ତୁ ଟଳିନାହିଁ ବନ୍ୟା ବିପତ୍ତି
16/08/2022 at 2:31 PM

ଭଦ୍ରକ ୧୬।୮: ବୈତରଣୀ ନଦୀରେ ବନ୍ୟାଜଳ କମୁଛି । କିନ୍ତୁ ବନ୍ୟା ସମସ୍ୟା ବଢୁଛି । ତଳିଆ ଅଞ୍ଚଳ ଏବେ ମଧ୍ୟ ପାଣି ଘେରରେ ରହିଛି । ଅନେକ ଗାଁ ଜଳବନ୍ଦୀ ହୋଇଥିବା ବେଳେ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବୈତରଣୀରେ ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକ୍ ପ୍ରଭାବିତ ହୋଇଛି । ଧାମନଗର ବ୍ଲକ୍ର ୧୦ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ପାଣି ଘେରରେ ଥିବାବେଳେ ସୋହଡା, ପଧାନୀ, କରଦା ଆଦି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।

ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି ଯେ, ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ବନ୍ୟାଞ୍ଚଳରେ ବୋଟ୍ ପ୍ରସ୍ତୁତ କରି ରଖାଯାଇଛି । ଗାଈ ଗୋରୁଙ୍କୁ ବନ୍ଧରେ ରଖାଯାଇଥିବା ବେଳେ ଗୋ-ଖାଦ୍ୟର ବ୍ୟବସ୍ଥା କରାଯାଇଛି ।

ସେହିପରି ଭଣ୍ଡାରିପୋଖରୀ ବ୍ଲକ୍ର ୫ଟି ପଞ୍ଚାୟତ ୧୫ରୁ ଉର୍ଦ୍ଧ୍ବ ଗାଁ ଏବେ ମଧ୍ୟ ବନ୍ୟା ଘେରରେ ରହିଛି । ଷୋଳମପୁର ନିକଟରେ ରାସ୍ତା ଉପରେ ପାଣି ଚାଲୁଥିବାରୁ ଭଣ୍ଡାରିପୋଖରୀରୁ ଯାଜପୁରକୁ ଯୋଗାଯୋଗ କରୁଥିବା ରାସ୍ତା ଓ ବେଦପୁର ନିକଟରେ ବନ୍ୟାଜଳ ଚାଲୁଥିବାରୁ ଧାମନଗରରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୮.୦୪ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ।