ସୁବର୍ଣ୍ଣରେଖା ସିଷ୍ଟମରେ ବଡ଼ ବନ୍ୟା ! ଗାଲୁଡ଼ିହ ବ୍ୟାରେଜର ୧୬ ଗେଟ୍ ଖୋଲିଛି ଝାଡ଼ଖଣ୍ଡ
21/08/2022 at 12:31 PM

ଭୁବନେଶ୍ୱର ୨୧।୦୮: ସୁବର୍ଣ୍ଣରେଖା ସିଷ୍ଟମରେ ବଡ଼ ବନ୍ୟା ଆଶଙ୍କା। ଗାଲୁଡ଼ିହ ବ୍ୟାରେଜର ୧୬ ଗେଟ୍ ଖୋଲି ଦେଇଛି ଝାଡ଼ଖଣ୍ଡ। ପୂର୍ବରୁ ୧୪ ଗେଟ୍ ଖୋଲିଥିଲା । ଏବେ ଆଉ ୨ ଟି ଗେଟ୍ ଖୋଲି ଦେଇଛି ଝାଡଖଣ୍ଡ । ଫଳରେ ପାଣି ଘେରରେ ବାଲେଶ୍ଵର ଜିଲ୍ଲାର ଅନେକ ତଳିଆ ଅଞ୍ଚଳ।

ତେବେ ସୁବର୍ଣ୍ଣରେଖା ବଡ ବନ୍ୟା ଆଣୁଥିବା ଏସ ଆର୍ ସି ସତର୍କ କରିଥିବା ବେଳେ କ୍ରମଶଃ ଜଳକା ଓ ବୁଢ଼ାବଳଙ୍ଗ ର ଜଳସ୍ତର ବୃଦ୍ଧି ପାଉଛି । ରାଜଘାଟରେ ସୁବର୍ଣ୍ଣ ରେଖା ନଦୀରେ ବିପଦ ସଂକେତ ୧୦.୩୬ ମିଟର ଥିଲା ବେଳେ ରବିବାର ସକାଳ ୧୦ ଟା ସୁଦ୍ଧା ନଦୀର ଜଳପତନ ୯ ମିଟର ଉପରେ ପ୍ରଭାବିତ ହେଉଛି। ଏସବୁ ଗେଟ୍ ଦେଇ ପ୍ରତି ମିନିଟରେ ୪ ଦଶମିକ ୨୫ ଘନଫୁଟ ଜଳ ନିଷ୍କାସିତ ହେଉଛି। ସ୍ଥିତି ନେଇ ବାଲେଶ୍ବର ଏବଂ ମୟୂରଭଞ୍ଜର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରାହ୍ନରେ ବିପଦ ସଂକେତ ଟପିବ ବୋଲି ସୂଚନା ମିଳିଛି। ଅତିରିକ୍ତ ୨ ଏନଡିଆରଏଫ, ୨ଟି ଓଡ୍ରାଫ୍ ଏବଂ ୮ଟି ଅଗ୍ନିଶମ ଟିମ୍ ବାଲେଶ୍ୱରକୁ ପଠାଯାଇଛି।

ସେହିପରି ଜଳକା ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିଲା ବେଳେ ସକାଳ ୯ଟା ସୁଦ୍ଧା ୬.୮୮ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ଜଳକାରେ ବନ୍ୟା ଆସିବା ଯୋଗୁଁ ବସ୍ତା ବ୍ଲକର ୧୩ଟି ପଞ୍ଚାୟତରେ ୨୦ରୁ ଅଧିକ ଗାଁ ଓ ସଦର ବ୍ଲକର ଦୁଇଟି ପଞ୍ଚାୟତରେ ପାଣି ପଶିଛି। ବନ୍ୟାପାଣି ୧୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି।