କ୍ରିଷ୍ଣା ନଦୀ ଜଳ ବିବାଦ ତୀବ୍ର, ଆନ୍ଧ୍ର-ତେଲେଙ୍ଗାନା ମୁହାଁମୁହିଁ, ନଦୀବନ୍ଧରେ ସାମ୍ନାସାମ୍ନି ହେଲେ ଦୁଇ ରାଜ୍ୟର ପୋଲିସ ଫୋର୍ସ

Published By : Prameya-News7 Bureau | July 02, 2021 IST

ହାଇଦ୍ରାବାଦ ୨/୦୭: ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ମଧ୍ୟରେ ଜଳ ବିବାଦ ଉଗ୍ରରୂପ ଧାରଣ କରିଥିବା ବେଳେ ଏବେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। କ୍ରିଷ୍ଣା ନଦୀ ଉପରେ ବେଆଇନ୍‌ ଜଳସେଚନ ପ୍ରକଳ୍ପକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ବଢ଼ିବା ପରେ ଶହ ଶହ ପୋଲିସ କର୍ମଚାରୀ ମୁତୟନ ହୋଇଥିବା ଜଣାପଡ଼ିଛି। ଦୁଇ ରାଜ୍ୟ ସୀମାରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ନିକଟରେ ଉତ୍ତେଜନା ସ୍ଥିତିକୁ ଦେଖି ତେଲେଙ୍ଗାନା ସରକାର ପୁଲିଚନ୍ତାଲା ଡ୍ୟାମରେ ସ୍ବତନ୍ତ୍ର ପୋଲିସ ଫୋର୍ସ ମୁତୟନ କରିଛନ୍ତି । ସେପଟେ ଆନ୍ଧ୍ର ସରକାର ନିଜ ପ୍ରକଳ୍ପର ସୁରକ୍ଷା ନିମନ୍ତେ ବହୁ ସଂଖ୍ୟକ ପୋଲିସ କର୍ମଚାରୀଙ୍କୁ ନିୟୋଜିତ ମଧ୍ୟ କରିଛନ୍ତି।

ଏପରିକି ତେଲେଙ୍ଗାନା ପୋଲିସ ଆନ୍ଧ୍ର ଅଧିକାରୀଙ୍କୁ ନିଜ ସୀମାକୁ ପ୍ରବେଶ ପାଇଁ ଅନୁମତି ଦେଉନାହିଁ। ପୁଲିଚିନ୍ତାଲା ଏବଂ ନାଗାର୍ଜୁନସାଗରରେ ତାପଜ ଉତ୍ପାଦନ ବନ୍ଦ କରିବାକୁ ଗୁଣ୍ଟୁରରୁ ଚିଠି ନେଇ  ଆସିଥିବା ରାଜସ୍ବ ଏବଂ ଜଳସେଚନ ଅଧିକାରୀଙ୍କୁ ମଧ୍ୟ ପୋଲିସ ତେଲେଙ୍ଗାନାରେ ପ୍ରବେଶ କରିବାକୁ ଦେଉନଥିବା ଅଭିଯୋଗ ହୋଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସୁପରିଟେଣ୍ଡିଂ ଇଞ୍ଜିନିୟର ଜେ ରମେଶ ବାବୁ ଆନ୍ଧ୍ର ସୀମା ଅତିକ୍ରମ କରି ତେଲେଙ୍ଗାନା ଅଧିକାରୀଙ୍କୁ ସ୍ମାରକପତ୍ର ଦେଇଛନ୍ତି। ଦୁଇ ରାଜ୍ୟ ସୀମାରେ ଦୁଇ ପକ୍ଷର ଅଧିକାରୀଙ୍କ ଆଲୋଚନା ବେଳେ ନାଲଗୋଣ୍ଡା ଡିଆଇଜି ଏବଂ ଗୁଣ୍ଟୁର ଏସପି ଉପସ୍ଥିତ ଥିଲେ।

ଆନ୍ଧ୍ର ସୀମାରେ ଶ୍ରୀଶୈଳମ ପ୍ରକଳ୍ପର ସୁରକ୍ଷା ପାଇଁ ଫୋର୍ସ ମୁତୟନ ହୋଇଥିବା ବେଳେ ଜଳଭଣ୍ଡାର ପାଖକୁ ଲୋକଙ୍କୁ ନଯିବା  ପାଇଁ ପରାମର୍ଶ ଦିଆଯାଇଥିବା କହିଛନ୍ତି କୁର୍ନୁଲ ଏସପି। ପ୍ରକଳ୍ପ ଅଞ୍ଚଳରେ କୌଣସି ପ୍ରକାର ବିକ୍ଷୋଭକୁ ଏଡ଼ାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଏସପି କହିଛନ୍ତି। ଦୁଇ ରାଜ୍ୟ ମଧ୍ୟରେ କ୍ରିଷ୍ଣା ନଦୀର ଜଳକୁ ​‌ନେଇ ପ୍ରଥମ ଥର ବିବାଦ ହୋଇନାହିଁ ବରଂ ଏହା ତୃତୀୟ ଥର ହୋଇଛି। ଏହା ପୂର୍ବରୁ ୨୦୧୫, ୨୦୧୭ ଏବଂ ୨୦୨୧ରେ ଏହି ବିବାଦ ଉପୁଜିଛି। ଏହି ସମୟରେ ଉଭୟ ରାଜ୍ୟ ସରକାର ଡ୍ୟାମରେ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରିଛନ୍ତି।

୧୩ ଫେବୃଆରୀ ୨୦୧୫ରେ ଉଭୟ ରାଜ୍ୟର ପୋଲିସ ମଧ୍ୟରେ ହାତାହାତି ​ପରିସ୍ଥିତି ଉପୁଜିଥିଲା। ଏପରିକି ୨୦୧୭ରେ ଆନ୍ଧ୍ର ଏବଂ ତେଲେଙ୍ଗାନା ଅଧିକାରୀ ନାଗାର୍ଜୁନସାଗରରୁ ଜଳ ନିଷ୍କାସନ ହେଉନଥିବା ନେଇ ଥାନାରେ ଏତଲା ଦେଇଥିଲେ। ‌ ଦୁଇ ତେଲୁଗୁ ରାଜ୍ୟ ମଧ୍ୟରେ ଶ୍ରୀଶୈଳମ, ନାଗାର୍ଜୁନସାଗର ଏବଂ ପୁଲିଚିନ୍ତାଲା ପ୍ରକଳ୍ପକୁ ନଇେ ବିବାଦ ଉଗ୍ର ରୂପ ନେବା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀ  ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ତାଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି। ଏପରିକି କ୍ରିଷ୍ଣା ନଦୀ ପରିଚାଳନା ବୋର୍ଡ (କେଆରଏମବି)କୁ ବିବାଦ ସମାଧାନ ପାଇଁ ହସ୍ତକ୍ଷେପ କରିବା ଏବଂ ପ୍ରକଳ୍ପର ସୁରକ୍ଷା ପାଇଁ ସିଆଇଏସ୍‌ଏଫ ଯବାନମାନଙ୍କୁ ପଠାଇବାକୁ ମୋଦୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.