ଜିମ୍ବାଓ୍ୱେ ସିରିଜ ପୂର୍ବରୁ ଭାରତକୁ ବଡ ଝଟ୍‌କା, ଆହତ କାରଣରୁ ବାଦ୍ ପଡିଲେ ଓ୍ୱାଶିଂଟନ୍ ସୁନ୍ଦର

Published By : Prameya-News7 Bureau | August 16, 2022 IST

ନୂଆଦିଲ୍ଲୀ, ୧୬|୦୮: ଜିମ୍ବାଓ୍ୱେ ବିପକ୍ଷରେ ଭାରତ ଆସନ୍ତା ୧୮ ତାରିଖରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ । ତେବେ ଏହା ପୂର୍ବରୁ ଦଳକୁ ବଡ ଝଟକା ଲାଗିଛି । ଅଲରାଉଣ୍ଡର ଓ୍ୱାଶିଂଟନ ସୁନ୍ଦରେ କାନ୍ଧରେ ଆଘାତ କାରଣରୁ ସିରିଜରୁ ବାଦ୍ ପଡିଛନ୍ତି । ସୁନ୍ଦର ଓଲ୍ଡ ଟ୍ରାଫୋର୍ଡରେ ରୟାଲ ଲଣ୍ଡନ କପ୍ ଟୁର୍ଣ୍ଣାମେଣ୍ଟରେ ଆହତ ହୋଇଥିଲେ । ଫିଲ୍ଡିଂ ବେଲେ ତାଙ୍କୁ ଆଘାତ ଲାଗିଥିଲା । ସେ ଇଂଲଣ୍ଡରେ ଚାଲିଥିବା ଘରୋଇ ଟୁର୍ଣ୍ଣାମେଣ୍ଟରେ ଦମଦାର୍ ଫର୍ମରେ ଥିଲେ ଓ ଚୂଡାନ୍ତ ଏକାଦଶରେ ସାମିଲ ହେବା ପାଇଁ ପ୍ରମୁଖ ଦାବିଦାର ମଧ୍ୟ ଥିଲେ ।

ବିସିସିଆଇ ସୂତ୍ରାନୁସାରେ, ଓ୍ୱାଶିଂଟନ ସୁନ୍ଦର ଜିମ୍ବାଓ୍ୱେ ସିରିଜରୁ ବାଦ୍ ପଡିଛନ୍ତି । ରୟାଲ ଲଣ୍ଡନ୍ କପରେ ସେ ଫିଲ୍ଡିଂ କରୁଥିବା ବେଳେ ତାଙ୍କର ବାମ କାନ୍ଧରେ ଗୁରୁତର ଆଘାତ ଲାଗିଛି । ତାଙ୍କୁ ନ୍ୟାଶନାଲ କ୍ରିକେଟ୍ ଆକାଡେମୀରେ କିଛି ଦିନ ରହିବାକୁ ହେବ । ସେଠାରେ ତାଙ୍କର ଚିକିତ୍ସା ଚାଲିବ । ସେ ଗତ ଫେବ୍ରୁଆରୀରେ ଦଳ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ । ଆହତ ଜନିତ ସମସ୍ୟା ପାଇଁ ସେ ଲଗାତର ଦଳରୁ ବାଦ୍ ପଡୁଛନ୍ତି ।

ବିସିସିଆଇର ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ଓ୍ୱାଶିଂଟନ ଜଣେ ପ୍ରତିଭାବାନ ଖେଳାଳି । କିନ୍ତୁ ଭାଗ୍ୟ ତାଙ୍କୁ ସମର୍ଥନ କରୁନି । ତାଙ୍କୁ କିଛି ସୌଭାଗ୍ୟର ଆବଶ୍ୟକତା ରହିଛି । ତାଙ୍କ ଆଘାତ ମଧ୍ୟ ବିରଳ । କାରଣ ସେ ୭ ଦିନ ମଧ୍ୟରେ ଭାରତ ପାଇଁ ଖେଳିଥାନ୍ତେ ।

ସୂଚନାଯୋଗ୍ୟ, ଗତବର୍ଷ ସୁନ୍ଦରଙ୍କ ପାଇଁ କ୍ରିକେଟ୍ ଖୁବ ଚ୍ୟାଲେଞ୍ଜଭରା ଥିଲା । ଇଂଲଣ୍ଡ ଗସ୍ତ ବେଳେ ସେ କାଉଣ୍ଟିଂ ମ୍ୟାଚରେ ଆହତ ହୋଇଥିଲେ । ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଫଳରେ ସେ ଅନେକ ମାସ ଧରି ଦଳରୁ ବାହାରେ ରହିଥିଲେ । ପରେ ସୟଦ ମୁସ୍ତାକ ଅଲ୍ଲୀ ଓ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ତାଙ୍କୁ ସୁଯୋଗ ମିଳିଥିଲା । କିନ୍ତୁ ସେ କରୋନା ପଜିଟିଭ୍ ହୋଇ ଏହି ସିରିଜରୁ ବାଦ୍ ପଡିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.