ନୂଆଦିଲ୍ଲୀ ୧୩/୧୧: ପାକିସ୍ତାନର ପୂର୍ବତନ କ୍ରିକେଟର ୱାସିମ ଆକ୍ରମ ଏବେ ଅଜବ କାରଣ ଲାଗି ଚର୍ଚ୍ଚାରେ । ଅଷ୍ଟ୍ରେଲିଆରେ ନିଜ ବିଲେଇର ହେୟାରକଟ୍ କରାଇବା ପରେ ସେ ଠକି ଯାଇଥିବା ପ୍ରକାଶ କରିଛନ୍ତି । ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍ର ଧାରା ବିବରଣୀ ପ୍ରଦାନ କରିବା ଲାଗି ଏବେ ସେ ଅଷ୍ଟ୍ରେଲିଆରେ ଅଛନ୍ତି ।
ଆକ୍ରମ କହିଛନ୍ତି, ବିଲେଇର ହେୟାରକଟ୍ ଲାଗି ତାଙ୍କୁ ଯେତିକି ଅର୍ଥ ଦେବାକୁ ପଡି଼ଛି ସେତିକିରେ ଏକ ନୂଆ ଆଇଫୋନ୍ କିଣିହୋଇଥାନ୍ତା । ଏପରିକି ସେହି ଅର୍ଥରେ ପାକିସ୍ତାନରେ ୨୦୦ ବିଲେଇଙ୍କ ହେୟାରକଟ୍ ହୋଇପାରିଥାନ୍ତା । ଆକ୍ରମ ବିଲେଇର ହେୟାରକଟ୍ ଲାଗି ପ୍ରାୟ ୧୦୦୦ ଅଷ୍ଟ୍ରେଲୀୟ ଡଲାର ଖର୍ଚ୍ଚ କରିଛନ୍ତି । ଭାରତୀୟ ମୁଦ୍ରାରେ ଦେଖିବାକୁ ଗଲେ ଏହା ୫୬ ହଜାର ଟଙ୍କା ।
Wasim Akram @wasimakramlive got charged 822$ for the haircut of a CAT 🐈 in Australia 🤣🤣🤣
— Zain Cric (@Zain_Cric) November 11, 2024
Commentary in Australia >>>>>#ChampionsTrophy2025 #PAKvAUS pic.twitter.com/jroq5x5hyg
ପାକିସ୍ତାନୀ ମୁଦ୍ରା ହିସାବରେ ଏହା ୧ ଲକ୍ଷ ୮୫ ହଜାର ଟଙ୍କା ହେବ । ଲାଇଭ୍ କମେଣ୍ଟ୍ରି ସମୟରେ ଆକ୍ରମ ଏହି ଘଟଣା ସଂପର୍କରେ ପ୍ରକାଶ କରିବା ପରେ ତାଙ୍କର ସାଥୀ ଭାଷ୍ୟକାରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଆକ୍ରମ ସେମାନଙ୍କୁ ବିଲ୍ ଦେଖାଇବା ସହିତ କହିଥିଲେ ଯେ, ତାଙ୍କଠାରୁ ବିଲେଇର ମେଡିକାଲ୍ ଚେକଅପ୍ ବାବଦରେ ୧୦୫ ଅଷ୍ଟ୍ରେଲୀୟ ଡଲାର, ଆନାସ୍ଥେସିଆ ଲାଗି ୩୦୫ ଡଲାର, କେଶ କାଟିବା ଲାଗି ୪୦ ଡଲାର ନିଆଯାଇଥିଲା ।
ପୋଷ୍ଟ ପ୍ରୋସିଜର କେୟାର ଲାଗି ୧୨୦ ଡଲାର, କାର୍ଡିଆକ୍ ଟେଷ୍ଟ ଲାଗି ୨୫୧ ଅଷ୍ଟ୍ରେଲୀୟ ଡଲାର ମଧ୍ୟ ଅତିରିକ୍ତ ଭାବେ ନିଆଯାଇଥିଲା । ତାଙ୍କର ବୟାନକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରାଯାଉଛି ।