୬ବର୍ଷ ପର୍ଯ୍ୟନ୍ତ ୧୮ଟଙ୍କାରେ ମାଜିଥିଲେ ବାସନ, ଏବେ ବର୍ଷକୁ ରୋଜଗାର ୩୦୦କୋଟି
10/09/2023 at 6:32 PM

ନୂଆଦିଲ୍ଲୀ 10/09 : ଜଣେ ବ୍ୟକ୍ତିଙ୍କୁ ଆଉ ଜଣେ ବ୍ୟକ୍ତି ହିଁ ପ୍ରେରଣା ଦେଇପାରେ। ଯେଉଁଥିପାଇଁ ଆମେ ସଫଳ ଲୋକଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ବିଷୟରେ ଜାଣିବାକୁ ଆଗ୍ରହ ଦେଖାଉ। ସଂଘର୍ଷ କରି ସଫଳତା ହାସଲ କରିବାର ଏପରି ପ୍ରେରଣାଦାୟକ କାହାଣୀ ଆମକୁ ଆଗକୁ ବଢ଼ିବାକୁ ଯୋଗାଏ ପ୍ରେରଣା। ଜୟରାମ ବନାନଙ୍କ କାହାଣୀ ମଧ୍ୟ ସେମିତି କିଛି। ଯିଏ ତାଙ୍କ ଜୀବନର କଠିନ ପରିସ୍ଥିତିରେ ବି ହାର ନ ମାନି ଆଗକୁ ବଢ଼ିଥିଲେ। ଫଳ ସ୍ୱରୂପ ଆଜି ସେ ଦେଶର ସଫଳ ବ୍ୟବସାୟୀମାନଙ୍କ ମଧ୍ୟରୁ ଜଣେ ହୋଇପାରିଛନ୍ତି।

ଜୟରାମ ବନାନ ଜୀବନର ଥିଲା ଅନେକ ସଂଘର୍ଷ। ତଥାପି ନିଜ ଶକ୍ତିରେ ସାଗର ରତ୍ନା ରେଷ୍ଟୁରାଣ୍ଟ ପରି ଏକ ପ୍ରସିଦ୍ଧ ଖାଦ୍ୟ ଆଉଟଲେଟ୍ କରିଥିଲେ ପ୍ରତିଷ୍ଠା । ଦିନ ଥିଲା କିଛି ଟଙ୍କା ପାଇଁ ବାସନ ଧୋଉଥିଲେ ଜୟରାମ୍ ବନାନ୍ ଆଜି 300 କୋଟିରୁ ଅଧିକ ମୂଲ୍ୟର ବ୍ୟବସାୟ ଛିଡ଼ା କରିଛନ୍ତି। ଆଜି ଜୟରାମ ବାନନଙ୍କର 60ରୁ ଅଧିକ ଆଉଟଲେଟ୍ ଚାଲିଛି।
ସାଉଥ୍ ଇଣ୍ଡିଆନ୍ ଖାଦ୍ୟ ପାଇଁ ସାଗର ରତ୍ନା ରେଷ୍ଟୁରାଣ୍ଟ ବହୁତ ଲୋକପ୍ରିୟ । ଏହା ଲୋକଙ୍କ ପ୍ରିୟ ଖାଦ୍ୟ ପଏଣ୍ଟ ମଧ୍ୟରୁ ଗୋଟିଏ । ତେବେ ଜୟରାମଙ୍କୁ ଏଠାରେ ପହଞ୍ଚିବା ନଥିଲା ସହଜ। କର୍ଣ୍ଣାଟକର ଉଦପିରେ ଜନ୍ମିତ ଜୟରାମ ବାନାନ୍ ତାଙ୍କ ବାପାଙ୍କୁ ଖୁବ୍ ଡରୁଥିଲେ। ଏହି ଭୟ ତାଙ୍କୁ ଘରୁ ବାହାରକୁ ଯିବାକୁ ବାଧ୍ୟ କଲା । ଯେତେବେଳେ ଜୟରାମଙ୍କୁ 13 ବର୍ଷ ହୋଇଥିଲା, ସେ ଫେଲ୍ ହୋଇଯାଇଥିଲେ। ଏହା ପରେ ସେ ଡରି ଯାଇଥିଲେ କାଳେ ତାଙ୍କ ବାପା ତାଙ୍କୁ ମାଡ଼ ମାରିବେ। ବାପାଙ୍କ ମାଡ଼ ଭୟରେ ସେ ଘରୁ ଚାଲିଯାଇଥିଲେ। ଆଉ 1967ରେ ପହଞ୍ଚିଥିଲେ ମୁମ୍ବାଇରେ। ମୁମ୍ବାଇରେ ପହଞ୍ଚିବା ପରେ ଜୟରାମ ତାଙ୍କର ଜଣେ ପରିଚିତ ବ୍ୟକ୍ତିଙ୍କ ରେଷ୍ଟୁରାଣ୍ଟରେ କାମ କରିବା ଆରମ୍ଭ କରିଥିଲେ।

ଏଠାରେ ସେ ମାସିକ 18 ଟଙ୍କା ଦରମାରେ ବାସନ ଧୋଇବାରେ କାମ କରୁଥିଲେ। 6 ବର୍ଷ ଧରି ଜୟରାମଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ଦେଖିବା ପରେ ତାଙ୍କୁ ପ୍ରଥମେ ୱେଟର ଏବଂ ପରେ ସେହି ରେଷ୍ଟୁରାଣ୍ଟର ମ୍ୟାନେଜର କରାଯାଇଥିଲା । ସେହି ସମୟରେ ସେ ମାସକୁ 200 ଟଙ୍କା ରୋଜଗାର କରୁଥିଲେ। ବର୍ଷ ବର୍ଷ ଧରି କାମ କରିବା ପରେ ଜୟରାମ ନିଜର ବ୍ୟବସାୟ କରିବାକୁ ଚାହିଁଥିଲେ। ଯେଉଁଥିପାଇଁ ସେ ମୁମ୍ବାଇ ଛାଡିବାକୁ ନିଷ୍ପତ୍ତି ନେଇଥିଲେ।
ସେଥିପାଇଁ ସେ 1974 ମସିହାରେ ଦିଲ୍ଲୀ ଆସିଥିଲେ। ଗାଜିଆବାଦରେ ସେଣ୍ଟ୍ରାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡର କ୍ୟାଣ୍ଟିନ ଚଳାଇବା ପାଇଁ କାର୍ଯ୍ୟ କରିଥିଲେ। ସେ ଏହି କ୍ୟାଣ୍ଟିନରେ 2000 ଟଙ୍କା ବିନିଯୋଗ କରିଥିଲେ। ଏହା ପରେ ସେ ଦକ୍ଷିଣ ଦିଲ୍ଲୀର ଡିଫେନ୍ସ କଲୋନୀରେ 1986 ରେ ତାଙ୍କର ପ୍ରଥମ ରେଷ୍ଟୁରାଣ୍ଟ ଖୋଲିଥିଲେ । ସେ ଏହି ରେଷ୍ଟୁରାଣ୍ଟର ନାଁ ସାଗର ରଖିଥିଲେ। ଏଠାରୁ ସେ ପ୍ରଥମ ଦିନରେ 408 ଟଙ୍କା ରୋଜଗାର କରିଥିଲେ। ତାଙ୍କ ରେଷ୍ଟୁରାଣ୍ଟରେ 40 ଜଣ ଲୋକଙ୍କ ବସିବା ପାଇଁ ସୁବିଧା ଥିଲା। ଖାଦ୍ୟର ଗୁଣ ପ୍ରତି ସେ ବିଶେଷ ଧ୍ୟାନ ଦେଇଥିଲେ। ଯାହାର ଫଳାଫଳ ଲୋକମାନେ ତାଙ୍କୁ ବିଶ୍ୱାସ କରିବା ଆରମ୍ଭ କଲେ । ଆଉ ତାଙ୍କ ବ୍ୟବସାୟରେ ଖୁବ୍ ଲାଭ ହେବାକୁ ଲାଗିଲା। ଚାରି ବର୍ଷ ପରେ ସେ ଦିଲ୍ଲୀରେ ଆଉ ଏକ ରେଷ୍ଟୁରାଣ୍ଟ ଖୋଲି ନୂଆ ଦୋକାନରେ ସାଗର ସହ ରତନ ନାଁ ଯୋଡିଥିଲେ। ସମୟ ସହିତ ସାଗର ରତ୍ନା ଏକ ବ୍ରାଣ୍ଡ୍ ହେଲା ।
ଆଜି ଜୟରାମଙ୍କ ସାଗର ରତ୍ନା କେବଳ ଦେଶରେ ନୁହେଁ କାନାଡା, ସିଙ୍ଗାପୁର ଏବଂ ବ୍ୟାଙ୍କକକରେ ମଧ୍ୟ ଆଉଟଲେଟ୍ ଅଛି। ସାଗର ରତ୍ନା ବ୍ୟତୀତ ଜୟରାମ୍ 2001 ରେ ସ୍ୱାଗତ ନାମକ ଅନ୍ୟ ଏକ ରେଷ୍ଟୁରାଣ୍ଟ ଚେନ୍ ଆରମ୍ଭ କରିଥିଲେ । ଯାହା ବେଶ୍ ସଫଳ। ତେବେ ଜୟରାମ୍ ଶିଖାଇଦେଛନ୍ତି ଯଦି ଆମେ ଆମର ଲକ୍ଷ୍ୟ ଉପରେ ଧ୍ୟାନ ଦେବା ଆଉ କଠିନ ପରିଶ୍ରମ ସହିତ ଆଗକୁ ବଢ଼ିବା ତେବେ ସଫଳତା ନିଶ୍ଚିତ।
Also Read- ରେସ୍ତୋରାଣ୍ଟରେ ଥିଲେ ୱେଟର; ଆଜି ଲୋକପ୍ରିୟ ସୋସିଆଲ୍ ମିଡିଆ ଆପର ମୁଖ୍ୟ