ଓ୍ବରେନ ବଫେଙ୍କ ନୂଆ ରେକର୍ଡ, ବର୍କଶାୟର ହାଥଓ୍ବେ ହେଲା ଟ୍ରିଲିୟନ ଡଲାର କମ୍ପାନି

Published By : Prameya-News7 Bureau | August 31, 2024 IST

ନୂଆଦିଲ୍ଲୀ: ଆମେରିକୀୟ ବିଲେନିୟର ତଥା ଜଣାଶୁଣା ନିବେଶକ ଓ୍ବରେନ ବଫେଙ୍କ କମ୍ପାନି ବର୍କଶାୟର ହାଥଓ୍ବେ ହାସଲ କରିଛି ନୂଆ ମାଇଲଖୁଣ୍ଟ । କାରଣ ବଫେଙ୍କ କମ୍ପାନି ୧ ଟ୍ରିଲିୟନ ଡଲାରରୁ ଅଧିକ ମାର୍କେଟ କ୍ୟାପ୍ ହାସଲ କରିବାରେ ପ୍ରଥମ ନନ୍‌-ଟେକ କମ୍ପାନି ହୋଇଛି । ଚଳିତ ବର୍ଷ ଓ୍ବର୍କଶାୟର ହାଥଓ୍ବେରେ ଶେୟାରରେ ୩୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ଫଳରେ ଓ୍ବରେନ ବଫେଙ୍କ କମ୍ପାନିର ମାର୍କେଟ କ୍ୟାପ୍‌ ଟ୍ରିଲିୟନ ଡଲାର ପାର୍‌ ହୋଇଛି।

ଓ୍ବରେନ ବଫେଙ୍କ ବର୍କଶାୟର ହାଥଓ୍ବେର ଶେୟାର ୨୦୨୪ରେ ୩୦ ପ୍ରତିଶତ ବଢ଼ିଛି, ଯେତେବେଳେକି ଇଣ୍ଡେକ୍ସ S&P 500 ଏହି ସମୟରେ ମାତ୍ର ୧୮ ପ୍ରତିଶତ ରିଟର୍ଣ୍ଣ ଦେଇଛି। ଚଳିତ ବର୍ଷ ବର୍କଶାୟର ହାଥଓ୍ବେର ମାର୍କେଟ କ୍ୟାପରେ ୨୦୦ ବିଲିୟନ ଡଲାରୁ ଅଧିକ ବୃଦ୍ଧି ହୋଇଛି । ଏହା କମ୍ପାନିର ଇତିହାସରେ ସବୁଠୁ ଭଲ ପ୍ରଦର୍ଶନ।ଅବଶ୍ୟ Nvidia ଭଳି ଟେକ୍‌ ଜାଏଣ୍ଟଙ୍କ ତୁଳନାରେ ବର୍କଶାୟର ହାଥଓ୍ବେର ପ୍ରଦର୍ଶନ କମ୍ ରହିଛି।

ବର୍କଶାୟର ହାଥଓ୍ବେ ପ୍ରଥମେ ଏକ କପଡ଼ା କମ୍ପାନି ଥିଲା। ନିବେଶ ଦୁନିଆରେ ପ୍ରସିଦ୍ଧ ଓ୍ବରେନ ବଫେ ଏହାକୁ ନିଜର ସହଯୋଗୀ ଚାର୍ଲି ମଙ୍ଗର ସହ ମିଶି କିଣିଥିଲେ ଏବଂ ଏକ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟରେ ପରିବର୍ତ୍ତନ କରିଥିଲେ। ଚାର୍ଲି ମଙ୍ଗରଙ୍କ ଗତ ବର୍ଷ ନଭେମ୍ବରରେ ୯୯ ବର୍ଷରେ ପରଲୋକ ହୋଇଥିଲା।

ବର୍କଶାୟର ହାଥଓ୍ବେର ମାର୍କେଟ କ୍ୟାପ ୧୯୬୫ରୁ ୨୦୨୩ ପର୍ଯ୍ୟନ୍ତ ବାର୍ଷିକ ୨୦ ପ୍ରତିଶତ ଆଧାରରେ ବଢ଼ିଛି। ଏହା S&Pର ହାରାହାରି ବାର୍ଷିକ ରିଟର୍ଣ୍ଣ ଠାରୁ ପ୍ରାୟ ଦୁଇଗୁଣା। ଏହି ନିରନ୍ତର ବୃଦ୍ଧି ନିବେଶ ଦୁନିଆରେ ତାଙ୍କୁ ନିବେଶ ଦୁନିଆର ବାଦଶାହ କରିଛି।ଦୁନିଆର ନିବେଶକ ତାଙ୍କୁ ଅନୁକରଣ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.