ପୂର୍ବତନ ମୁମ୍ବାଇ ପୋଲିସ କମିଶନରଙ୍କ ବିରୋଧରେ ଜାରି ହେଲା ୱାରେଣ୍ଟ

Published By : Prameya-News7 Bureau | September 07, 2021 IST

ମୁମ୍ବାଇ ୭।୯: ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ବିରୋଧରେ ଜଷ୍ଟିସ କୈଲାଶ ଉତ୍ତମଚନ୍ଦ ଚାନ୍ଦିୱାଲାଙ୍କ ତଦନ୍ତ ଆୟୋଗ ମଙ୍ଗଳବାର ୱାରେଣ୍ଟ ଜାରି କରିଛନ୍ତି।  ତେବେ ଏହି ୱାରେଣ୍ଟ ଜାମିନ ଯୋଗ୍ୟ ବୋଲି ଜଣାପଡିଛି। ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଓ ମୁମ୍ବାଇ ପୋଲିସ ବିବାଦରେ ରାଜ୍ୟ ସରକାର ବିଚାରବିଭାଗୀୟ ତଦନ୍ତ ଆୟୋଗ ଗଠନ କରିଥିଲେ।

ବମ୍ବେ ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ କୈଲାଶ ଉତ୍ତମ ଚନ୍ଦ ଚାନ୍ଦିୱାଲାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଶନ ରାଜ୍ୟ ସରକାରଙ୍କୁ ୬ ମାସରେ ରିପୋର୍ଟ ଦେବେ। ମୁମ୍ବାଇ ପୋଲିସ କମିଶନର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ମୁମ୍ବାଇ ପୋଲିସକୁ ସହରର ବାର, ରେଷ୍ଟୁରାଣ୍ଟ ମାଲିକମାନଙ୍କଠାରୁ ଚାନ୍ଦା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିବାର ଅଭିଯୋଗ କରିଥିଲେ।

ତେବେ ପୋଲିସ କମିଶନରଙ୍କ ଅଭିଯୋଗ ଆଧାରରେ ଗୃହମନ୍ତ୍ରୀଙ୍କ ଏଭଳି ବେଆଇନ କାର୍ଯ୍ୟର ତଦନ୍ତ ରାଜ୍ୟ ଭ୍ରଷ୍ଟାଚାର ନିରୋଧକ ବ୍ୟୁରୋ ଦ୍ୱାରା କରାଯିବାର ଆବଶ୍ୟକତା ରହିଛି କି ନା ସେ ନେଇ ଯାଞ୍ଚ ନିମନ୍ତେ ଗତ ମାର୍ଚ୍ଚ ମାସରେ ଚାନ୍ଦିୱାଲା ଆୟୋଗ ଗଠନ କରାଯାଇଥିଲା। ତେବେ କମିଶନଙ୍କ ବିରୋଧରେ ପରମବୀର ସିଂହ ଗତ ଅଗଷ୍ଟ ୪ ତାରିଖରେ ବମ୍ବେ ହାଇକୋର୍ଟଙ୍କ ଶରଣାପନ୍ନ ହୋଇଛନ୍ତି।

{"id":507676,"sizeSlug":"large","linkDestination":"none"}

ଏ ନେଇ ପରମବୀର ସିଂହ ହାଇକୋର୍ଟଙ୍କୁ କରିଥିବା ଆବେଦନରେ ତାଙ୍କ ଅଭିଯୋଗ ନେଇ ସୁପ୍ରିମକୋର୍ଟ ଓ ବମ୍ବେ ହାଇକୋର୍ଟ ସିବିଆଇ ତଦନ୍ତର ନିର୍ଦ୍ଦଶ ଦେଇଛନ୍ତି। ସେହି ଆଧାରରେ ଦେଶମୁଖଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହୋଇ ସାରିଥିବା ବେଳେ ଚାନ୍ଦିୱାଲା କମିଶନଙ୍କ ତଦନ୍ତ ଆବଶ୍ୟକତା ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏଣୁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କମିଶନ ତୁରନ୍ତ ଭଙ୍ଗ କରିବାକୁ ନିର୍ଦ୍ଦେଶ ଦେବା ନିମନ୍ତେ କୋର୍ଟଙ୍କୁ ନିବେଦନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଚାନ୍ଦିୱାଲା କମିଶନ ମାମଲାର ତଦନ୍ତଭାର ହାତକୁ ନେବା ପରଠାରୁ ପରମବୀର ସିଂହଙ୍କୁ ବାରମ୍ବାର ସମନ ଜାରି କରିଛନ୍ତି। ତେବେ ସେ କମିଶନଙ୍କ ତଦନ୍ତ ଟାଳି ଚାଲିଛନ୍ତି। ଏଥିପାଇଁ କମିଶନ ତାଙ୍କୁ ଥରେ ୫ ହଜାର ଓ ଆଉ ଥରେ ୨୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

ସେପଟେ ସିଂହଙ୍କ ବିରୋଧରେ ୪ଟି ଏତଲା ରୁଜୁ ହୋଇଥିବା ଜଣାପଡିଛି। ଏଥିରୁ ୨ଟି ମୁମ୍ବାଇରେ ରୁଜୁ ହୋଇଥିବା ବେଳେ ଆଉ ୨ଟି ଠାଣେର ରୁଜୁ ହୋଇଛି। ଜୋରଜବରଦସ୍ତ ଟଙ୍କା ଦାବି କରିବା ନେଇ ମୁମ୍ବାଇର ଜନୈକ ବ୍ୟବସାୟୀ ଗତ ଅଗଷ୍ଟ ୨୧ ତାରିଖରେ ଚତୁର୍ଥ ଏତଲା ରୁଜୁ କରିଛନ୍ତି। ସେହିପରି ସିଂହ ଯେପରି ଦେଶରୁ ବାହାରକୁ ଚାଲି ନ ଯାଆନ୍ତି ସେଥିଲାଗି ଠାଣେ ପୋଲିସ ଏକ ଲୁକଆଉଟ୍ ନୋଟିସ୍ ମଧ୍ୟ ଜାରି କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.