ପୁଟିନଙ୍କୁ ଭେଟି ପୁଣିଥରେ ଶାନ୍ତିର କଥା ଦୋହରାଇଲେ ମୋଦୀ: ୟୁକ୍ରେନ୍ କହିଲା, ନିରାଶ କଲା ପ୍ରଧାନମନ୍ତ୍ରୀଙ୍କ ଆଲିଙ୍ଗନ

Published By : Prameya-News7 Bureau | July 09, 2024 IST

indiatoday

ମସ୍କୋ: ଋଷ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବା ପରେ ପୁଣିଥରେ ଶାନ୍ତିର କଥା ଦୋହରାଇଛନ୍ତି। ଯୁଦ୍ଧ କୌଣସି ସମାଧାନ ନୁହେଁ ବୋଲି ମୋଦୀ କହିଛନ୍ତି। ଋଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ମୋଦୀ ଏପରି କହିଛନ୍ତି। ମଙ୍ଗଳବାର ପୁଟିନଙ୍କ ସହ ଆଲୋଚନା ବେଳେ ମୋଦୀ କହିଛନ୍ତି “ମୁଁ ଖୁସି ଯେ ଆମେ ଖୋଲା ମନରେ ୟୁକ୍ରେନ ଯୁଦ୍ଧ ବିଷୟରେ ଆଲୋଚନା କରିପାରିଲୁ ଏବଂ ଯୁଦ୍ଧ ବିଷୟରେ ପରସ୍ପରର ଚିନ୍ତାଧାରାକୁ ଆମେ ସମ୍ମାନର ସହ ଶୁଣିଲୁ।”

ମୋଦୀ ଆହୁରି କହିଛନ୍ତି “ସେ ଯୁଦ୍ଧ ହେଉ, ବିବାଦ ହେଉ କିମ୍ବା ଆତଙ୍କବାଦୀ ଆକ୍ରମଣ, ମାନବିକତା ଉପରେ ବିଶ୍ୱାସ କରୁଥିବା ସମସ୍ତେ କାହାର ଜୀବନ ଗଲେ ଯନ୍ତ୍ରଣା ଅନୁଭବ କରନ୍ତି। କିନ୍ତୁ ଯେତେବେଳେ ନିରୀହ ପିଲାମାନଙ୍କୁ ହତ୍ୟା କରାଯାଏ, ଯେତେବେଳେ ଆମେ ନିରୀହ ପିଲାମାନଙ୍କ ମୃତ୍ୟୁକୁ ଆଖି ଆଗରେ ଦେଖୁ,ଏହା ଖୁବ ହୃଦୟ ବିଦାରକ ଓ ଯନ୍ତ୍ରଣା ଦିଏ। ଏ ବିଷୟରେ ମଧ୍ୟ ମୁଁ ତୁମ ସହିତ ଆଲୋଚନା କରିଛି।”

ଅନ୍ୟପଟେ ମୋଦୀଙ୍କ ଋଷ ଗସ୍ତକୁ ସମାଲୋଚନା କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଜମିର ଜେଲେନ୍‌ସ୍କି। ମୋଦୀଙ୍କ ଋଷ ଗସ୍ତ ଶାନ୍ତି ପ୍ରୟାସ ପାଇଁ ଏକ ବଡ଼ ନିରାଶ ଓ ବିନାଶକାରୀ ଝଟ୍‌କା ବୋଲି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି। 

ସୋମବାର ମସ୍କୋ ବାହାରେ ନୋଭୋ-ଓଗାରିଓଭୋରେ ଥିବା ସରକାରୀ ବାସଭବନରେ ପୁଟିନଙ୍କ ସହ ଏକ ଔପଚାରିକ ବୈଠକ କରିଛନ୍ତି। ଫେବୃଆରୀ ୨୦୨୨ରେ ୟୁକ୍ରେନ ଉପରେ ଋଷର ସମ୍ପୂର୍ଣ୍ଣ ଆକ୍ରମଣ ଆରମ୍ଭ ହେବା ପରେ ଏହା ମୋଦୀଙ୍କ ପ୍ରଥମ ଋଷ ଗସ୍ତ। ଅନ୍ୟପଟେ ଜି-୭ ସମ୍ମିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିବା ଜେଲେନସ୍କି କିନ୍ତୁ ମୋଦୀଙ୍କ ଋଷ ଗସ୍ତକୁ ନିନ୍ଦା କରିଛନ୍ତି। ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି  “ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନେତାଙ୍କର ଏଭଳି ସ୍ଥିତିରେ ମସ୍କୋରେ ବିଶ୍ୱର ସବୁଠାରୁ ରକ୍ତରଞ୍ଜିତ ଅପରାଧୀଙ୍କୁ ଆଲିଙ୍ଗନ କରିବା ଶାନ୍ତି ପ୍ରୟାସ ପାଇଁ ଏକ ବଡ଼ ନିରାଶା ଏବଂ ଶକ୍ତ ଝଟ୍‌କା।”

ମୋଦୀଙ୍କ ଗସ୍ତ ସମୟରେ ଋଷ ୟୁକ୍ରେନ୍‌ର ଏକ ଶିଶୁ ଚିକିତ୍ସାଳୟରେ ଋଷ ଇସ୍ରାଏଲ ଆଟାକ୍ କରିଥିଲା। ଏଥିରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା। ସୋମବାର ୟୁକ୍ରେନ୍‌ର ବିଭିନ୍ନ ସ୍ଥାନରେ ଋଷ ମିସାଇଲ ଆଟାକ୍ କରିଥିଲା। ଏଥିରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି। 

ମୋଦୀଙ୍କ ଋଷ ଗସ୍ତ ନେଇ ଆମେରିକା ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛି। ଆମେରିକା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସର୍ବସାଧାଣ ମନ୍ତବ୍ୟ ଉପରେ ଆମର ନଜର ରହିବା। ତା ଛଡ଼ା ଋଷ ସହିତ ସମ୍ପର୍କ ନେଇ ଆମର ଚିନ୍ତାକୁ ଆମେ ସିଧାସଳଖ ଭାରତ ସହିତ ଶେୟାର କରି ସାରିଛୁ। ତେଣୁ ଆମେ ଆଶା କରିବୁ ଯେ ଭାରତ ହେଉ କିମ୍ବା ଅନ୍ୟ କୌଣସି ଦେଶ ଋଷ ସହିତ ଜଡିତ ହେବେ ସେମାନେ ଏହା ସ୍ପଷ୍ଟ କରିବା ଉଚିତ ଯେ ଋଷ ୟୁଏନ୍ ଚାର୍ଟରକୁ ସମ୍ମାନ ଦେବା ଉଚିତ। ୟୁକ୍ରେନର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା ଉଚିତ୍ ବୋଲି ଆମେରିକା କହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.