ତାଲିବାନ ଏବଂ ଆଫଗାନ୍‌ ସେନା ମଧ୍ୟରେ ଘମାଘୋଟ ଯୁଦ୍ଧ ଆରମ୍ଭ : ପଞ୍ଜଶୀର ଘାଟିକୁ ପ୍ରବେଶ ବେଳେ ଅଟକାଇଲେ ସ୍ପେଶାଲ ଫୋର୍ସ, ଉଭୟ ପକ୍ଷରୁ ଅନେକ ମୃତାହତ

Published By : Prameya-News7 Bureau | August 22, 2021 IST

କାବୁଲ ୨୨/୦୮ : ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ବର୍ବରତା ବଢିବାରେ ଲାଗିଛି । ଜନସାଧାରଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରୁଛନ୍ତି ତାଲିବାନୀ । ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେଇ ସାରିଛନ୍ତି । କିନ୍ତୁ ଏବେବି ଏମିତି ଏକ ଅଞ୍ଚଳ ରହିଛି ଯାହାକୁ କି ସେମାନେ କବ୍‌ଜା କରିବାକୁ ସକ୍ଷମ ହୋଇନାହାନ୍ତି । ଆଫଗାନିସ୍ତାନର ପଞ୍ଜଶୀର ଯେଉଁଠାରେ କି ଆମେରିକା ଏବଂ ଋଷ ଭଳି ଦେଶ ମଧ୍ୟ ପଶିବାକୁ ଭୟ କରନ୍ତି । ସେଠାରେ ବର୍ତ୍ତମାନ ତାଲିବାନ ବିରୁଦ୍ଧରେ ଲଢେଇ ପାଇଁ ପ୍ରସ୍ତୁତ ଚଳାଇଥିଲେ ପଞ୍ଜଶୀରର ସିଂହ କୁହାଯାଉଥିବା ଅହମ୍ମଦ ଶାହା ମସୁଦଙ୍କ ପୁଅ ଅହମ୍ମଦ ମସୁଦ ।

କିନ୍ତୁ ବର୍ତ୍ତମାନ ଖବର ଅନୁଯାୟୀ, ତାଲିବାନୀମାନେ ପଞ୍ଜଶୀର ଭିତରକୁ ପ୍ରବେଶ କରିବା ଆରମ୍ଭ କରିଦେଇଛନ୍ତି । ପଞ୍ଜଶୀର ଘାଟିରେ ତାଲିବାନ ଏବଂ ନର୍ଦନ୍‌ ଆଲିୟାନ୍ସ ମଧ୍ୟରେ ଜବରଦ୍ସତ ଯୁଦ୍ଧ ଆରମ୍ଭ ହୋଇଛି । ପୂର୍ବରୁ ପଞ୍ଜଶୀର ଘାଟିରେ ପ୍ରବେଶ କରିପାରିନଥିଲା ତାଲିବାନ । ତେବେ ବର୍ତ୍ତମାନ ସେଠାରେ ତାଲିବାନ ଏବଂ ଆଫଗାନିସ୍ତାନ ସେନା ମଧ୍ୟରେ ପ୍ରବଳ ଗୁଳିକାଣ୍ଡ ଜାରି ରହିଛି ।

ତାଲିବାନୀମାନେ ପଞ୍ଜଶୀର ଘାଟିରେ ପ୍ରବେଶ କରିବା ଆରମ୍ଭ କରିବା ମାତ୍ରେ ପାଲଟା ଜବାବ ଦେଉଛନ୍ତି ଅହମ୍ମଦ ମାସୁଦଙ୍କ ସେନା । ଉଭୟଙ୍କ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଥିବା ଜଣାପଡିଛି । ଅହମ୍ମଦ ମାସୁଦଙ୍କ ସେନା, ତାଲିବାନକୁ କୌଣସି ମତେ ପଞ୍ଜଶୀର ଘାଟିରେ ପୁରାଇ ଦେଉନାହିଁ ।

ପୂର୍ବରୁ ନ୍ୟୁଜ ଏଜେନ୍ସି ଅଲଜଜୀରା ଦାବି କରିଥିଲା ଯେ, ଅହମ୍ମଦ ଶାହା ମସୁଦର ପୁଅ ଅହମ୍ମଦ ମସୁଦ ତାଲିବାନୀଙ୍କ ସହିତ ହାତ ମିଳାଇ ଦେଇଛି । କିନ୍ତୁ ଏହାକୁ ଭୁଲ ପ୍ରମାଣିତ ହୋଇଛି । ମିଳିଥିବା ରିପୋର୍ଟ ଅନୁସାରେ, ପଞ୍ଜଶୀର ଘାଟିରେ ଉଭୟ ପଟୁ ଭବରଦସ୍ତ ଗୁଳିଗୋଳା ଜାରି ରହିଛି । ଅହମ୍ମଦ ମସୁଦ ନର୍ଦନ୍‌ ଆଲିଆନ୍ସ ଗଢିବା ପରେ ତାଲିବାନ ବିରୁଦ୍ଧରେ ଲଢେଇ କରିବା ପାଇଁ ଆହ୍ବାନ ଦେଇଥିଲେ । ସେ କେବେ ବି ତାଲିବାନକୁ ସେଠାରେ କବ୍‌ଜା କରିବାକୁ ଦେଇନଥିଲେ । ତେବେ ବର୍ତ୍ତମାନ ସେଠାରେ ତାଲିବାନୀ ଆତଙ୍କବାଦୀମାନେ ପଶିବାକୁ ଉଦ୍ୟମ କରିବାରୁ ଉଭୟଙ୍କ ମଧ୍ୟରେ ଜୋରଦାର ଲଢେଇ ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା କେତେ ମୃତାହତ ହେଲେଣି ସେ ନେଇ ସୂଚନା ମିଳିନାହିଁ ।

ବାଗଲାନ୍ ପ୍ରଦେଶର ତିନୋଟି ଜିଲ୍ଲା ହରାଇବା ପରେ ତାଲିବାନ ମଧ୍ୟ ପୁନର୍ବାର ଯୁଦ୍ଧ ଚଳାଇଛି। ଏହି ଜିଲ୍ଲାଗୁଡ଼ିକରେ ପୁନର୍ବାର ତାଲିବାନ ଦ୍ୱାରା ଲଢେଇ ଜୋରଦାର ହୋଇଛି । ଖବର ମୁତାବକ, ତାଲିବାନ ବାଗଲାନ ପ୍ରଦେଶର ବାନୁ ଏବଂ ଆଣ୍ଡ୍ରାବରେ ପୁଣି ଆକ୍ରମଣ ଆରମ୍ଭ କରିଛି।

ଆଜି କାବୁଲ ବିମାନବନ୍ଦରରେ ବିଶୃଙ୍ଖଳା ପରିସ୍ଥିତି ମଧ୍ୟରେ ତାଲିବାନ ଗୁଳି ଚଳାଇଥିଲା । ଯାହାଫଳରେ ସେଠାରେ ୭ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ବାସ୍ତବରେ, ଆଫଗାନିସ୍ତାନ ଛାଡିବା ପାଇଁ ଲୋକମାନେ କ୍ରମାଗତ ଭାବରେ କାବୁଲ ବିମାନବନ୍ଦରରେ ପହଞ୍ଚୁଛନ୍ତି ଏବଂ ସେଠାରେ ହଜାର ହଜାର ଲୋକଙ୍କ ଭିଡ ଜମୁଛି । ଅନ୍ୟପଟେ ତାଲିବାନମାନେ ଆଫଗାନିସ୍ତାନର ପୋଲିସ ମୁଖ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.