ଲଗାଣ ବର୍ଷାରେ ସ୍ଥିତି ବେହାଲ: କାନ୍ଥ ଭୁଶୁଡ଼ି ୯ ମୃତ, ଘଟଣାରେ ଦୁଃଖପ୍ରକାଶ କଲେ ସିଏମ୍ ଯୋଗୀ
16/09/2022 at 11:27 AM

ଉତ୍ତରପ୍ରଦେଶ ୧୬/୦୯: ପ୍ରବଳ ବର୍ଷାରେ ବେହାଲ୍ ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହର । ଏଠାରେ ପ୍ରବଳ ବର୍ଷା ହେତୁ ବଡ ଅଘଟଣ ଘଟିଛି । ଦିଲକୁଶା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ୯ ଜଣଙ୍କ ଜୀବନ ଯାଇଛି । ସେହିପରି ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ରହିଥିବା ଜଣାପଡ଼ିଛି ।
Uttar Pradesh CM Yogi Adityanath announces an ex-gratia of Rs 4 lakh for those who died and Rs 2 lakh for the treatment of the injured https://t.co/jCESWfT5re
— ANI UP/Uttarakhand (@ANINewsUP) September 16, 2022
ଏମିତି ଅଘଟଣ ସଂପର୍କରେ ଖବର ପାଇ ପୋଲିସ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଯୁଗ୍ମ କମିଶନର ଅଫ ପୁଲିସ୍(ଆଇନ ଶୃଙ୍ଖଳା) ପୀୟୂଷ ମୋରଡିଆ କହିଛନ୍ତି, “ଦିଲକୁଶା ଅଞ୍ଚଳରେ ଥିବା ଗୋଟିଏ ଆର୍ମି ଏନକ୍ଲେଭ ବାହାରେ କିଛି ଶ୍ରମିକ ମାଟି ଘର ମଧ୍ୟରେ ରହୁଥିଲେ । ତେବେ ରାତି ସାରା ବର୍ଷା ଲାଗି ରହିବାରୁ ଆର୍ମି ଏନକ୍ଲେଭର ପାଚେରୀ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଏମିତିକି ଶ୍ରମିକମାନେ ରହୁଥିବା ଘର ଉପରେ ପଡ଼ି ଯିବାରୁ ଏହା ତଳେ ପ୍ରାୟ ୧୧ ଜଣ ଲୋକ ଚାପି ହୋଇଯାଇଥିଲେ ।
ସୂଚନା ଥାଉକି, ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟା ହେଲା ଲଗାଣ ବର୍ଷା ଲାଗି ରହିଛି । ଏଥିଯୋଗୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ଘଟଣା ସଂପର୍କରେ ଦୁଃଖପ୍ରକାଶ କରିଛନ୍ତି ସିଏମ ଯୋଗୀ । ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଏହାସହ ଆହତଙ୍କ ଚିକିତ୍ସା ଲାଗି ୨ ଲକ୍ଷ ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି ।