ଝିପି ଝିପି ବର୍ଷା ହେଲା କାଳ, କାନ୍ଥ ପଡି ନାବାଳକଙ୍କ ମୃତ୍ୟୁ
6/07/2023 at 4:48 PM

ମୋରଡା ୬।୭: ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଘୋଳମୁଁହା ପଞ୍ଚାୟତରେ ଅଘଟଣ । କାନ୍ଥ ଭୁଶୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଘୋଳମୁଁହା ପଞ୍ଚାୟତ ଅନ୍ତର୍ଗତ ଆଣୁଆ ଗ୍ରାମର ପ୍ରଗଣାସାହିର ଯମୁନା ମାର୍ଣ୍ଡିଙ୍କ ଘର କାର୍ଯ୍ୟ ଚାଲିଥିଲା l କିନ୍ତୁ ବର୍ଷାରେ ଘର କାର୍ଯ୍ୟ ବନ୍ଦ ହୋଇ ପଡିଥିଲା । ତେବେ ଝିପି ଝିପି ବର୍ଷା ହୋଇଛି କାଳ । ଯମୁନାଙ୍କ ପଡୋଶୀ ମାଇସା ମାର୍ଣ୍ଡିଙ୍କ ୧୪ ବର୍ଷର ସାନ ପୁଅ ଭୁଜୁ ମାର୍ଣ୍ଡି ଖେଳୁଥିବା ସମୟରେ ହଠାତ ଯମୁନାଙ୍କ ଉକ୍ତ ମାଟି ଘର କାନ୍ଥ ପଡି ଯିବାରୁ ସେ କାନ୍ଥ ତଳେ ଚାପି ହୋଇଯାଇଥିଲେ । ତେବେ ଗ୍ରାମବାସୀ ସଙ୍ଗେ ସଙ୍ଗେ ଭୁଜୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏକ ଅଟୋ ଯୋଗେ ତାଙ୍କୁ ବାରମାଇଲ ସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇଥିଲେ । ତେବେ ସେଠାରେ ଭୁଜୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଭୁଜୁ ମାର୍ଣ୍ଡି ଅଷ୍ଟମ ଶ୍ରେଣୀରେ ପଢୁଥିବା ବାପା କହିଛନ୍ତି । ତେବେ ଭୁଜୁଙ୍କ ସମ୍ପର୍କୀୟ କାକା ବାଜାଲ ସୋରେନ, ଧାନ ମାର୍ଣ୍ଡି ଏବଂ ଗ୍ରାମବାସୀ ଭୁଜୁଙ୍କ ପରିବାରକୁ ଯଥାଶୀଘ୍ର ସରକାରୀ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି ।
You Can Read :