ବାରାଣସୀ ସିରିଏଲ୍‌ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ୱାଲିଉଲ୍ଲାହ ଖାନକୁ ଫାସୀଦଣ୍ଡାଦେଶ ଶୁଣାଇଲେ କୋର୍ଟ

Published By : Prameya-News7 Bureau | June 06, 2022 IST

ନୂଆଦିଲ୍ଲୀ: ବାରାଣସୀ ସିରିଏଲ୍‌ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ୱାଲିଉଲ୍ଲାହ ଖାନକୁ ମୃତ୍ୟୁ ଦଣ୍ଡ। ୧୬ ବର୍ଷ ପୁରୁଣା ଏହି ମାମଲାରେ ଜୁନ ୪ ତାରିଖରେ ୱାଲିଉଲ୍ଲାହଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ସିରିଏଲ ବିସ୍ଫୋରଣର ଦୁଇଟି ମାମଲାରେ ଜିଲ୍ଲା ଜଜ୍ ଆତଙ୍କବାଦୀ ୱାଲିଉଲ୍ଲାହକୁ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ଏକ ମାମଲାରେ ପ୍ରମାଣ ଅଭାବରୁ ତାକୁ ଦୋଷମୁକ୍ତ କରାଯାଇଥିଲା

ମାମଲାରେ ଅଭିଯୁକ୍ତି ୱାଲିଉଲ୍ଲାହକୁ ଜୁନ ୪ ତାରିଖ ଅପରାହ୍ମରେ ଜିଲ୍ଲା ଅଦାଲତରେ ହାଜର କରାଯାଇଥିଲା। ଜିଲ୍ଲା ଜଜ ଜିତେନ୍ଦ୍ର କୁମାର ସିହ୍ନା ବାରାଣସୀର ସଂକଟମୋଚନ ମନ୍ଦିରରେ ହୋଇଥିବା ସିରିଏଲ ବିସ୍ଫୋରଣରେ ବଲିଉଲ୍ଲାହ ଦୋଷୀ ଥିବା ଘୋଷଣା କରିଥିଲେ। ଏହି ବିସ୍ଫୋରଣରେ ମୋଟ ୭ ଜଣଙ୍କ ମୃତ୍ୟୁ ହୋଇଥିଲା।

ସେହିପରି ଦଶାଶ୍ୱମେଘ ଘାଟରେ କୁକର ବୋମା ମିଳିବା ଘଟଣାରେ ମଧ୍ୟ ୱାଲିଉଲ୍ଲାହ ଦୋଷୀ ସାବ୍ୟସ୍ତ ହୋଇଥିଲା। ଏଠାରେ ବିସ୍ଫୋରଣ ହେବା ପୂର୍ବରୁ ବୋମାକୁ ଉଦ୍ଧାର କରାଯାଇଥିଲା। ତୃତୀୟ ମାମଲାରେ ରେଲୱେ କ୍ୟାଣ୍ଟ ନିକଟରେ ବିସ୍ଫୋରଣ ହୋଇଥିଲା। ଏଠାରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ସାକ୍ଷୀ ଅଭାବ ଯୋଗୁଁ ୱାଲିଉଲ୍ଲାହକୁ କୋର୍ଟ ଏହି ମାମଲାରୁ ମୁକ୍ତ କରିଛନ୍ତି।

୨୦୦୬ ମସିହାରେ ବାରାଣସୀରେ ସଂକଟମୋଚନ ମନ୍ଦିର ଏବଂ କ୍ୟାଣ୍ଟ ରେଲୱ ଷ୍ଟେସନରେ ବୋମା ବିସ୍ଫୋରଣ ହୋଇଥିଲା। ଏହାଛଡା ଦଶାଶ୍ୱମେଘ ଘାଟ ନିକଟରେ କୁକର ବୋମା ମିଳିଥିଲା। ବୋମା ବିସ୍ଫୋରଣରେ ଅନେକଙ୍କ ଜୀବନ ଯାଇଥିବାବେଳେ, ଡର୍ଜନରୁ ଅଧିକ ଲୋକେ ଆହତ ହୋଇଥିଲେ। ସିରିଏଲ ବ୍ଲାଷ୍ଟ ମାମଲାରେ ୟୁପି ପୋଲିସ ୨୦୦୬ ଏପ୍ରିଲ ୫ ତାରିଖରେ ପ୍ରୟାଗରାଜ ଜିଲ୍ଲାର ଫୁଲପୁର ଗାଁର ୱାଲିଉଲ୍ଲାହକୁ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.