୮୪ ଦିନ ପରେ ହେଲା ନିର୍ବାଚନ, ୩୪ ଭୋଟରେ ଜିତିଲେ, ମାତ୍ର ୩୮ ଦିନ ମେୟର ରହିବେ ସେଲି ଓବ୍ରୟ

Published By : Prameya-News7 Bureau | February 22, 2023 IST

ନୂଆଦିଲ୍ଲୀ ୨୨।୨: ଦିଲ୍ଲୀ ନଗରନିଗମ (ଏମସିଡି) ନିର୍ବାଚନରେ ନିଜର ମେୟର ଦେବାରେ ଆମ ଆଦମୀ ପାର୍ଟି ସଫଳ ହୋଇଛି। ସେଲି ଓବ୍ରୟ ବିଜେପିର ରେଖା ଗୁପ୍ତାଙ୍କୁ ହରାଇ ଦିଲ୍ଲୀର ମେୟର ହୋଇଛନ୍ତି। ଦିଲ୍ଲୀ ଏମସିଡି ନିର୍ବାଚନର ୮୪ ଦିନର ଦୀର୍ଘ ଅପେକ୍ଷା ପରେ ସେଲି ଓବ୍ରୟ ୩୪ ଭୋଟରେ ନିର୍ବାଚନରେ ବିଜୟୀ ହୋଇଛନ୍ତି। ତେବେ ସେ ଏହି ପଦରେ ମାତ୍ର ୩୮ ଦିନ ରହି କାମ କରିପାରିବେ। ସେଲି ଦିଲ୍ଲୀ ଏମସିଡିରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମେୟର ରହିବେ ପରେ ଏପ୍ରିଲ ୧ ତାରିଖ ଦିନ ପୁଣି ମେୟର ନିର୍ବାଚନ ହେବ।

ଦିଲ୍ଲୀ ମେୟର ନିର୍ବାଚନରେ ଆମ ଆଦମୀ ପାର୍ଟି ପ୍ରାର୍ଥୀ ସେଲି ଓବ୍ରୟଙ୍କୁ ୧୫୦ଟି ଭୋଟ ମିଳିଛି। ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବିଜେପିର ରେଖା ଗୁପ୍ତା ୧୧୬ଟି ଭୋଟ ପାଇଛନ୍ତି। ଫଳରେ ସେଲି ଓବ୍ରୟ ୩୪ ଭୋଟରେ ବିଜୟୀ ହୋଇଛନ୍ତି। ତେବେ ତାଙ୍କୁ ମେୟର ହେବା ଲାଗି ଦୀର୍ଘ ୮୪ ଦିନ ଅପେକ୍ଷା କରିବାକୁ ପଡିଲା। ଦିଲ୍ଲୀ ଏମସିଡିର ନିର୍ବାଚନ ଫଳାଫଳ ଡିସେମ୍ବର ୭ ତାରିଖରେ ଘୋଷଣା ହୋଇଥିଲା। ଯେଉଁଥିରେ ଆମ ଆଦମୀ ପାର୍ଟି ବଡ ପାର୍ଟି ଭାବେ ଉଭା ହୋଇଥିଲା। ଏମସିଡି ନିର୍ବାଚନ ଫଳାଫଳ ପରେ ମେୟର ନିର୍ବାଚନ ଲାଗି ୩ ଥର ଏମସିଡି ସଦନରେ ବୈଠକ ହୋଇଥିଲା। ତେବେ ବିଜେପି ଓ ଆପ୍‌ କାଉନସିଲରଙ୍କ ହଙ୍ଗାମା ଯୋଗୁ ନିର୍ବାଚନ ହୋଇ ପାରିନଥିଲା।  ଏଥିରେ ଚତୁର୍ଥବାର ବୁଧବାର ଦିନ ଏମସିଡି ସଦନ ବୈଠକ ହୋଇଥିବା ବେଳେ ସେଲି ଓବରୟ ମେୟର ନିର୍ବାଚିତ ହୋଇଛନ୍ତି।

{"id":749417,"width":840,"height":470,"sizeSlug":"full","linkDestination":"none"}

ସେଲି ଓବ୍ରୟ ବଡ କଷ୍ଟରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ମେୟର ନିର୍ବାଚିତ ହୋଇଛନ୍ତି। ତେବେ ତାଙ୍କ ପଦରେ ସେ ମାତ୍ର ୩୮ ଦିନ ରହିବେ। ଯଦି ଏହାର କାରଣ ଜାଣିବାକୁ ଚାହୁଁଛନ୍ତି ତେବେ ଏମସିଡି ଆକ୍ଟ ଜାଣିବା ଜରୁରି। ଆକ୍ଟ ଅନୁସାରେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ମେୟର ନିର୍ବାଚିତ ହୋଇଥାନ୍ତି। ଡିଏମସି ଆକ୍ଟ ଧାରା ୨(୬୭) ଅନୁସାରେ ଏମସିଡିର ବର୍ଷ ଏପ୍ରିଲ ମାସର ପ୍ରଥମ ଦିନରୁ ଆରମ୍ଭ ହୋଇଥାଏ। ସେହି ଅନୁସାରେ ମାର୍ଚ୍ଚ ୩୧ ତାରିଖରେ ବର୍ଷ ସମାପ୍ତ ହୋଇ ଯାଉଛି। ସେହି ଅନୁସାରେ ସେଲି ଓବ୍ରୟ ଫେବୃଆରୀ ୨୨ ତାରିଖ ଦିନ ମେୟର ନିର୍ବାଚିତ ହୋଇଥିବାରୁ ତାଙ୍କର କାର୍ଯ୍ୟକାଳ ମାର୍ଚ୍ଚ ୩୧ ତାରିଖରେ ସମାପ୍ତ ହୋଇଯିବ।

ଜାଣନ୍ତୁ ସେଲି ଓବ୍ରୟ କିଏ?
୩୯ ବର୍ଷ ବୟଷ୍କା ସେଲି ଓବ୍ରୟ ପଶ୍ଚିମ ଦିଲ୍ଲୀର ପୂର୍ବ ପଟେଲ ନଗର ୱାର୍ଡରୁ କାଉନସିଲର ନିର୍ବାଚିତ ହୋଇଛନ୍ତି। ସେ ଦିଲ୍ଲୀ ୟୁନିଭର୍ସିଟିରେ ଆସିଷ୍ଟାଣ୍ଟ ପ୍ରଫେସର ଥିବା ବେଳେ ଭାରତୀୟ ବାଣିଜ୍ୟ ସଂଘର ଆଜୀବନ ସଦସ୍ୟ ମଧ୍ୟ। ଇଗ୍ନୋ ସ୍କୁଲ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜରେ ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ସେ ପିଏଚଡି କରିଛନ୍ତି। ତାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିଛି। ସେଲି ଓବ୍ରୟ ୨୦୧୩ ମସିହାରେ ଜଣେ ସାଧାରଣ କର୍ମୀ ଭାବେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ୨୦୨୦ରେ ସେ ପାର୍ଟି ମହିଳା ମୋର୍ଚ୍ଚାର ସଭାପତି ହୋଇଥିଲେ। ସେ ପ୍ରଥମ ଥର କାଉନସିଲର ଭାବେ ବିଜେପି ଗଡ ପଶ୍ଚିମ ଦିଲ୍ଲୀରେ ବିଜୟ ହାସଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.