ପ୍ରେମ କରି ବିବାହ କଲେ, ଅଧବାଟରେ ସ୍ତ୍ରୀଙ୍କ ହାତ ଛାଡ଼ି ଦେଲେ : ନ୍ୟାୟ ଅପେକ୍ଷାରେ ଗର୍ଭବତୀ ମହିଳା

Published By : Prameya-News7 Bureau | August 21, 2020 IST

ମା​‌ର୍ଶାଘାଇ୨୧/୮:  ଜଣେ ନବ ବିବାହିତା ମହିଳା ପ୍ରତାରିତ ହୋଇ ଥାନାର ଦ୍ବାରସ୍ତ ହେବା ପରେ ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଭଗବାନପୁର ଗାଁରେ। କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଭଗବାନପୁର ଗାଁର ଗୁରୁଚରଣ ବେହେରାଙ୍କ ଝିଅ ଶୁଭଦର୍ଶିନୀ ବେହେରା ଏବଂ କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ଭରତପୁର ଗାଁର ଦେବରାଜ ବେହେରାଙ୍କ ମଧ୍ୟରେ ୨ ବର୍ଷ ପୂର୍ବରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଦେବରାଜ ଏବଂ ଶୁଭଦର୍ଶିନୀ ୧ ବର୍ଷ ତଳୁ ଘରୁ ପଳେଇ ଯାଇ ଏକ ମନ୍ଦିରରେ ବିବାହ କରି ମଧ୍ୟପ୍ରଦେଶର ଇନ୍ଦୋରରେ ରହୁଥିଲେ । କରୋନା ପାଇଁ ଓଡ଼ିଶା ଫେରି ଆସିବା ପରେ ଭରତପୁର କ୍ବାରେଣ୍ଟାଇନ୍ ସେଣ୍ଟରେ ରହିଥିଲେ । କ୍ବାରେଣ୍ଟାଇନ ସେଣ୍ଟରରୁ ବାହାରିବା ପରେ ଗାଡ଼ି ଆଣିଆସିବା ବାହାନା କରି ଦେବରାଜ ସେଠାରୁ ଖସି ପଳେଇଥିଲେ । ଅପେକ୍ଷା କରି କରି ନ ଫେରିବାରୁ ଶୁଭଦର୍ଶିନୀ ଦେବରାଜଙ୍କ ଘରକୁ ଯାଇଥିଲେ ।

ସେଠାରେ ଦେବରାଜଙ୍କ ପରିବାର ଲୋକେ ମିଳିମିଶି ଶୁଭଦର୍ଶିନୀଙ୍କୁ ମାଡ଼ମାରି ଘରୁ ବାହାର କରିଦେଇଥିବା ନେଇ ଶୁଭଦର୍ଶିନୀ କେନ୍ଦ୍ରାପଡା ସଦରଥାନାରେ ଅଭିଯୋଗ କରିଛନ୍ତି । ଶୁଭଦର୍ଶିନୀଙ୍କ ବାପା ଓ ମାଆ ଉଭୟ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ଶୁଭଦର୍ଶିନୀ ଏବେ ଗର୍ଭବତୀ । ଅଭିଯୋଗ କରିବାର ୨୫ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ନେବାରୁ ଶୁଭଦର୍ଶିନୀ ଗଣମାଧ୍ୟମ ଆଗରେ ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.