ଋଷରେ ବିମାନ ଦୁର୍ଘଟଣା; ବିମାନର ଯାତ୍ରୀ ତାଲିକାରେ ଥିଲା ପୁଟିନଙ୍କ ବିଦ୍ରୋହୀ ୟେଭଗେନି ପ୍ରିଗୋଝିନ୍ଙ୍କ ନାଁ
23/08/2023 at 11:21 PM

ମସ୍କୋ: ଋଷ ୟୁକ୍ରେନ୍ ଯୁଦ୍ଧ ଭିତରେ ସବୁଠାରୁ ବଡ଼ ଖବର ସାମ୍ନାକୁ ଆସିଛି। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ୱାଗନର ସେନା ସଂଗଠନର ମୁଖ୍ୟ ପ୍ରିଗୋଝିନ୍ଙ୍କ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏକ ବିଜନେସ ବିମାନରେ ବସି ପ୍ରିଗୋଝିନ ମସ୍କୋରୁ ସେଣ୍ଟ ପିଟସବର୍ଗ ଯାଉଥିବା ବେଳେ ବୁଧବାର ବିମାନଟି କ୍ରାସ୍ ହୋଇଯାଇଥିବା ସୂଚନା ମିଳିଛି। ଋଷର ବେସାମରିକ ବିମାନ ଚଳାଚଳ ନିୟନ୍ତ୍ରକ, ରୋସାଭିଆସିଆ ଏହି ସୂଚନା ଦେଇଛି।
ବିମାନରେ ଥିବା ସମସ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଋଷର ଜରୁରିକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କ୍ରାସ୍ ହୋଇଥିବା ବିମାନର ଯାତ୍ରୀ ତାଲିକାରେ ୟେଭଗେନି ପ୍ରିଗୋଝିନ୍ଙ୍କ ନାଁ ରହିଥିଲା। ତେବେ ସେ ବିମାନରେ ଉପସ୍ଥିତ ଥିଲେ କି ନା ସେ ନେଇ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ୱାଗନର୍ କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଭିଯୋଗ କରି ୟେବଗେନି ପ୍ରିଗୋଝିନ୍ ତାଙ୍କ ସୈନିକଙ୍କୁ ମସ୍କୋ ଆଡକୁ ଅଗ୍ରସର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ୱାଗନର୍ ସୈନ୍ୟମାନେ ଦକ୍ଷିଣ ଋଷର ରୋସ୍ତୋଭ୍-ଅନ୍-ଡନ୍ରେ ଏକ ସେନା ଶିବିର ଉପରେ କବ୍ଜା କରିନେଇଥିଲା। ଅବଶ୍ୟ, ପରେ ୟେଭେଗେନି ପ୍ରିଗୋଜିନ୍ ତାଙ୍କ ଆଦେଶ ପ୍ରତ୍ୟାହାର କରି ନେଇଥିଲେ। ଯାହା ପରେ ଋଷର ଗୃହ ଯୁଦ୍ଧ ଭଳି ବିପଦ ଟଳିଥିଲା। ହେଲେ ପୁଟିନ ପ୍ରିଗୋଝିନଙ୍କୁ ଦଣ୍ଡିତ କରିବେ ବୋଲି ମନରେ ପଣ କରିନେଇଥିଲେ ବୋଲି ପୁଟିନଙ୍କୁ ଜାଣିଥିବା ଲୋକମାନେ ଦାବି କରିଥିଲେ।
ଋଷ ମିଡିଆ ଟାସ୍ର ସୂଚନା ଅନୁସାରେ, ବିମାନରେ ତିନିଜଣ ପାଇଲଟ୍ ଏବଂ ୭ ଜଣ ଯାତ୍ରୀ ଥିଲେ। ମସ୍କୋଠାରୁ ୧୦୦ କିଲୋମିଟର ଦୂରରେ ଥିବା ଟଭର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ବର୍ତ୍ତମାନ ଏହାର ତଦନ୍ତ ଜାରି ରହିଛି।