ଏକ ପ୍ରତିଶତରୁ ବି କମ ଭୋଟର ବ୍ୟବଧାନ କିନ୍ତୁ ୬୦ ପ୍ରତିଶତ ଆସନ ଉପରେ ପ୍ରଭାବ, ହିମାଚଳରେ ବିଜେପି ପରାଜୟର କାହାଣୀ

Published By : Prameya-News7 Bureau | December 08, 2022 IST

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପରିଣାମ ବିଜେପି ଆଶ ବିପରୀତ ରହିଛି ଏବଂ ଦଳ ସେଠାରେ ୨୫ ଆସନରେ ସୀମିତ ରହିଛି । ଅନ୍ୟପଟେ କଂଗ୍ରେସ ୬୮ ଆସନ ବିଶିଷ୍ଟ ବିଧାନସଭାରେ ୪୦ ଆସନ ବିଜୟ କରିଛି । ଏହିପରି ବିଜେପି ତୁଳନାରେ କଂଗ୍ରେସ ସିଟ୍ ପ୍ରତିଶତ ୬୦ ପ୍ରତିଶତ ଅଧିକ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ଦେଉଛି ଦୁଇ ପାର୍ଟି ମଧ୍ୟରେ ଭୋଟ ପ୍ରତିଶତର ବ୍ୟବଧାନ ଏକ ପ୍ରତିଶତରୁ କମ ରହିଛି । କଂଗ୍ରେସକୁ ୪୩.୩ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେପିକୁ ୪୩ ପ୍ରତିଶତ ଭୋଟ ମିଳିଛି । ଅର୍ଥାତ ଯଦି ବିଜେପି ଆଉ ଏକ ପ୍ରତିଶତ ଭୋଟ ହାସଲ କରି ନିଅନ୍ତା ତେବେ ବାଜି ଓଲଟି ଯାଇଥାନ୍ତା । କମ ଜନସଂଖ୍ୟା ଥିବା ହିମାଚଳ ପ୍ରଦେଶର ଅଧିକାଂଶ ଆସନରେ ବିଜୟ ଏବଂ ପରାଜୟର ବ୍ୟବଧାନ ବହୁ କମ ରହିଛି ।

ଏହାରି ଭିତରେ ରାଜ୍ୟରେ ମିଳିଥିବା ପରାଜୟ ଉପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପ୍ରଦାନ କରିବେ । ସେ କହିଛନ୍ତି, 'ପରାଜୟ ଉପରେ ଦଳ ମନ୍ଥନ କରିବ । ମୁଁ ଜନାଦେଶକୁ ସମ୍ମାନ ଜଣାଉଛି । ହିମାଚଳରେ ଜନତା ମୋତେ ଯେଉଁ ଭଲ ପାଇବା ଦେଇଛନ୍ତି ସେଥିପାଇଁ ମୁଁ କୃତଜ୍ଞ' ।

ବିଧାୟକ କିଣି ସରକାର ଗଠନ କରିବା ଅଭିଯୋଗ ଏବଂ ରାଜ୍ୟରେ ବିଜେପି କିଛି କରିପାରେ ବୋଲି କଂଗ୍ରେସର ବୟାନ ଉପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କଂଗ୍ରେସ ଭିତରେ ମୁଖ୍ୟମନ୍ତ୍ରୀ ହେବା ନେଇ ସମସ୍ତେ ଚାହିଁ ବସିଛନ୍ତି । ଏହି କାରଣରୁ ତାଙ୍କ ନେତା ଭୟଭୀତ ଅଛନ୍ତି । ଗତ ପାଞ୍ଚ ବର୍ଷ ସମୟରେ ମୋ ଉପରେ ବିଶ୍ୱାସ ରଖିବା ନେଇ ପିଏମ ମୋଦୀ ଏବଂ ଅନ୍ୟ କେନ୍ଦ୍ରୀୟ ନେତୃତ୍ୱକୁ ଧନ୍ୟବାଦ ଜଣାଉଛି । ଆମେ ରାଜନୀତିରୁ ବାହାରେ ରାଜ୍ୟର ବିକାଶ ପାଇଁ ସମର୍ପିତ ରହିବୁ । ଆମେ ଆମ ପରାଜୟର ବିଶ୍ଲେଷଣ କରିବୁ । ଭବିଷ୍ୟତର ପ୍ରସ୍ତୁତି ଆମେ ଜାରି ରଖିବୁ ।

ଉଲ୍ଲେଖଯୋଗ୍ୟ ଯେ ହିମାଚଳ ପ୍ରଦେଶର ୧୯୮୫ରୁ ଏହି ରାଜନୈତିକ ଇତିହାସ ରହିଛି ଯେ ରାଜ୍ୟ ଜନତା କୌଣସି ପାର୍ଟିକୁ ଲଗାତାର ଦୁଇ ଥର କ୍ଷମତାରେ ବସାଇ ନାହାନ୍ତି । ଚଳିତ ଥର ବିଜେପି ରାଜ୍ୟରେ ଲଗାତାର ଦ୍ୱିତୀୟ ଥର ସରକାର ଗଠନ କରିବ ବୋଲି ଦାବି କରୁଥିଲା । କିନ୍ତୁ କଂଗ୍ରେସ ତାର ସ୍ୱପ୍ନ ଭାଙ୍ଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.